ପୋଲିସକୁ ମାଡ

ପୋଲିସକୁ ମାଡ

ଭୁବନେଶ୍ୱର: ସହିଦନଗର ଥାନା ପୁଲିସ ମାଡ଼ ଖାଇବା ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଘଟଣା ଘଟିଛି ନୟାପଲ୍ଲୀ ଥାନା ସାଲିଆସାହି ଅଞ୍ଚଳରେ । ପିସିଆର କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ନିର୍ଘାତ ମାଡ଼ ମାରିଥିବା ସୂଚନା ମିଳିଛି । ଦୁଇଜଣ ନିଶା ବ୍ୟବସାୟୀଙ୍କୁ ପୁଲିସ ସହଯୋଗ କରୁଥିବା ଅଭିଯୋଗ ଆଣି ଏଭଳି କାଣ୍ଡ ଭିଆଇଛନ୍ତି ବସ୍ତିବାସିନ୍ଦା । ମିଳିଥିବା ରିପୋର୍ଟ ଅନୁସାରେ, ସାଲିଆସାହିରେ ଢ଼େରଦିନ ହେବ ନିଶା କାରବାର ହୋଇଆସୁଥିବା ଅଭିଯୋଗ ଆଣୁଥିଲେ ବସ୍ତିର କେତେକ ଲୋକ । ତେବେ ପୁଲିସ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ଚମ୍ପଟ ମାରୁଥିଲେ । ସୂଚନା ଅନୁସାରେ ସାଲିଆ ସାହିରେ ଡ୍ରଗ୍ସ ବ୍ୟବସାୟ କରୁଥିବା ବେପାରୀକୁ ମହିଳାମାନେ ଧରିଥିଲେ । ଏହାପରେ ବେପାରୀ ଜଣଙ୍କୁ ଗଛରେ ବାନ୍ଧି ଦେଇଥିଲେ । ଏ ନେଇ ନୟାପଲ୍ଲୀ ଥାନାକୁ ଖବର ଦିଆଯାଇଥିଲା । କିଛି ସମୟ ପରେ ନୟାପଲ୍ଲୀ ଥାନା ପିସିଆର ଆସି ଘଟଣାସ୍ଥଳରେ ପହଞ୍ଚିଥିଲା । ମହିଳାମାନେ ବାନ୍ଧି ଥିବା ବେପାରୀଙ୍କୁ ଆଣି ପିସିଆରରେ ଥିବା ହୋମଗାର୍ଡଙ୍କ ଜିମା ଦେଇଥିଲେ । ଜବତ କରିଥିବା କିଛି ଡ୍ରଗ୍ସ ପୁଡିଆ ମଧ୍ୟ ପୋଲିସର ଜିମା ଦେଇଥିଲେ । ମାତ୍ର ହୋମ୍ ଗାର୍ଡ ଜଣଙ୍କ ଡ୍ରଗ୍ସ ପୁଡିଆ ଲୁଚାଇଦେଇଥିଲେ । ଲୋକେ ତାଙ୍କୁ ଡ୍ରଗ୍ସ ପୁଡିଆ ଦେଇଥିବା କଥାକୁ ଫାଙ୍କି ଦେଇଥିଲେ । ଫଳରେ ବସ୍ତି ବାସିନ୍ଦା ଉତ୍ତ୍ୟକ୍ତ ହୋଇ ହୋମ୍ ଗାର୍ଡଙ୍କୁ ନିସ୍ତୁକ ମାଡ ମାରିଥିଲେ । ଘଟଣାସ୍ଥଳରେ ଅନ୍ୟ ଏକ ପିସିଆର ପହଞ୍ଚିଥିଲା । ନୟାପଲ୍ଲୀ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ବସ୍ତି ଲୋକ ବାନ୍ଧି ଥିବା ବେପାରୀ ସହ ଅନ୍ୟ ଜଣେ ସହଯୋଗୀଙ୍କୁ ମଧ୍ୟ ନୟାପଲ୍ଲୀ ଥାନାରେ ଅଟକ ରଖାଯାଇଛି । ମାଡ ଖାଇଥିବା ହୋମଗାର୍ଡ ଜଣଙ୍କ ଡ୍ରଗ୍ସ କାରବାରରେ ସାମିଲ ଥିବା ମଧ୍ୟ ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳକୁ ସଂପୃକ୍ତ ହୋମଗାର୍ଡ ସାଦା ପୋଷାକରେ ଯାଇଥିଲେ । ଏହାକୁ ନେଇ ମଧ୍ୟ ଲୋକେ ପ୍ରଶ୍ନ ଉଠାଇଛନ୍ତି ।