ବିଜୁ ଶ୍ରାଦ୍ଧ ବାର୍ଷିକୀ ପାଇଁ ନବୀନ ଦେଲେ ଏହି ନିର୍ଦ୍ଦେଶ

ବିଜୁ ଶ୍ରାଦ୍ଧ ବାର୍ଷିକୀ  ପାଇଁ ନବୀନ ଦେଲେ ଏହି ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧୭ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଜେଡି ପକ୍ଷରୁ ସବୁ ନିର୍ବାଚନମଣ୍ଡଳୀରେ ‘ସମୂହ ରକ୍ତଦାନ ଶିବିର’ ଆୟୋଜନ ହେବ । ଏହାସହିତ ସକାଳେ ତିଳତର୍ପଣ, ପ୍ରଭାତଫେରୀ, ସମୂହ ସଫେଇ ଅଭିଯାନ, ସ୍ମୃତିସଭା  ସହ ସନ୍ଧ୍ୟାରେ ସମୂହ ଦୀପଦାନ ଏବଂ ଶପଥ ପାଠ  ନିମନ୍ତେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।


ବିଜେଡିର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ନଗର ଓ ବ୍ଲକ ସଭାପତିମାନଙ୍କୁ ଚିଠି ଲେଖି ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଜୁବାବୁଙ୍କ ଶ୍ରାଦ୍ଧ ଦିବସକୁ ରାଜ୍ୟସ୍ତରରେ ଓ ପ୍ରତ୍ୟେକ ନିର୍ବାଚନମଣ୍ଡଳୀସ୍ତରରେ ପାଳନ କରାଯିବାକୁ ସ୍ଥିର ହୋଇଛି । ବିଜୁ ଶ୍ରାଦ୍ଧ ଦିବସରେ ଦଳ ପକ୍ଷରୁ ହେବାକୁ ଥିବା କାର୍ୟ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସକାଳ ସାଢ଼େ ୬ଟାରେ ତିଳତର୍ପଣ, ସକାଳ ୭ଟାରେ ପ୍ରଭାତଫେରୀ,ସମୂହ ସଫେଇ ଅଭିଯାନ, ସକାଳ ସାଢ଼େ ୮ଟାରେ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ସ୍ମୃତିସଭା, ସମୂହ ରକ୍ତଦାନ ଶିବିର ଆୟୋଜନ, ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀଙ୍କୁ ନିର୍ବାଚନମଣ୍ଡଳୀସ୍ତରରେ ସମ୍ବର୍ଦ୍ଧନା ଦିଆଯିବ । ଅପରାହ୍ନ ୫ଟାରେ ସମୂହ ଦୀପଦାନ ଓ ଶପଥପାଠ ଉତ୍ସବ ହେବ । ଦଳର ପ୍ରତ୍ୟେକ ସଦସ୍ୟମାନେ ବିଜୁବାବୁଙ୍କ ବିଚାରଧାରା, ତ୍ୟାଗ, ସେବା, ସଂଗ୍ରାମ ଓ ସ୍ୱାଭିମାନରେ ବ୍ରତୀ ହୋଇ ଏକ ସମୃଦ୍ଧ, ସଶକ୍ତ, ସ୍ୱାଭିମାନୀ ନୂତନ ଓଡ଼ିଶା ଗଢ଼ିବା ପାଇଁ ଶପଥ ନେବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।