ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ: ସୁଦାମ ମାରାଣ୍ଡି

ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ: ସୁଦାମ ମାରାଣ୍ଡି

ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ: ସୁଦାମ ମାରାଣ୍ଡି
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ବର୍ଷା ହେବା ଶୁଭଙ୍କର । ବନ୍ୟା ସ୍ଥିତି ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଏହା କହିଛନ୍ତି । ସେ କହିଛନ୍ତି ଯେ, କୋରାପୁଟ, ମାଲକାନଗିରି, ବଲାଙ୍ଗୀର, ବୌଦ୍ଧ ଓ ଫୁଲବାଣୀରେ ସମୀକ୍ଷା କରିଛି । ଏହାଛଡ଼ା ଆକାଶ ମାର୍ଗରୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ସ୍ଥିତି ସମୀକ୍ଷା କରିଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯାଇଥିବା ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଛନ୍ତି । ପ୍ରକାଶ ଯେ, ରାଜ୍ୟରେ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମ ଗେଟ ଖୋଲିବା ଫଳରେ ଦୟା ନଦୀର ଶାଖା ରଜୁଆ ନଦୀରେ ଜଳସ୍ତର ବୃଦ୍ଧି ପାଇ ଖୋର୍ଦ୍ଧାର କେତେକ ସ୍ଥାନ ଜଳାର୍ଣ୍ଣବ ହୋଇପଡ଼ିଛି । ରାଜ୍ୟରେ ଲଗାଣ ବର୍ଷା କାରଣରୁ ଦୟା, ମକରା, ମଲାଗୁଣି ଓ ରଜୁଆ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ କଣାସ ବ୍ଲକର ୬ଟି ପଞ୍ଚାୟତର ୧୦ଟି ଗାଁ ଜଳମଗ୍ନ । ଏହା ସହ ଖୋର୍ଦ୍ଧାର ଭଣ୍ଡୁଆ, ହରିପୁର, ମାଧୁଆ. ସାହାରାଡିହାର ଅନେକ ଗାଁରେ ପାଣି ପଶୁଛି । ଫଳରେ ଶତାଧିକ ପରିବାର ହନ୍ତସନ୍ତ ହେଉଛନ୍ତି । ବିପଦଜନକ ଅବସ୍ଥାରେ ସ୍ଥାନୀୟ ଲୋକେ ଯାତାୟତ କରୁଛନ୍ତି । ୪ଦିନ ହେଲାଣି ପାଣି ଘେରରେ ଜୀବନ କାଟୁଛନ୍ତି ଗ୍ରାମବାସୀ । ବନ୍ୟାସ୍ଥିତି ଉପୁଜିଥିବା ଯୋଗୁଁ ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛି । ସେହିପରି ସମ୍ବଲପୁର ଜିଲ୍ଲା ସଦର ୨ଟି ବ୍ଲକର ବହୁ ଗାଁରେ ବର୍ଷା ବିତ୍ପାତ ଦେଖାଦେଇଛି । ମଷନିକାନି ଗାଁରେ ରାସ୍ତାଉପରେ ଆଣ୍ଠୁଏ ବର୍ଷା ପାଣି ଚାଲୁଛି । ଲୋକେ ହନ୍ତସନ୍ତ ହେଉଛନ୍ତି । ଡାଙ୍ଗରାପାଲି ବ୍ଲକ କାଲୋବାହାଲ ଗାଁରେ ୩ଟି ପରିବାର ଜଳବନ୍ଦୀ ହୋଇପଡ଼ିଛନ୍ତି । ଗାଁରେ ଥିବା ଗୋଟିଏ ମାଟିଘର ମଧ୍ୟ ଭୁଷୁଡ଼ିଯାଇଛି । ଫଳରେ ସେହିଘରେ ରହୁଥିବା ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ରାସ୍ତା ଉପରେ ୨ଫୁଟର ପାଣି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଖରେ ଡ୍ରେନ ନଥିବାରୁ ନାଳ ନର୍ଦ୍ଦମାର ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି । ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।