ବସ ମାଲିକମାନଙ୍କୁ ଟିକସ ଛାଡ଼ ସହ ଅନ୍ୟ ସୁବିଧା ଦେବାକୁ ବିଚାର ଚାଲିଛି: ପରିବହନ ମନ୍ତ୍ରୀ
ବସ ମାଲିକମାନଙ୍କୁ ଟିକସ ଛାଡ଼ ସହ ଅନ୍ୟ ସୁବିଧା ଦେବାକୁ ବିଚାର ଚାଲିଛି: ପରିବହନ ମନ୍ତ୍ରୀ
ଭୁବନେଶ୍ୱର: କଟକଣା ହଟିବା ପରେ ବି ୨୦ ଜିଲ୍ଲାରେ ବସ୍ ସେବା ସ୍ୱାଭାବିକ ହୋଇପାରୁନି । ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ବସ୍ ଚଳାଇବାକୁ ମଙ୍ଗୁ ନାହାନ୍ତି ଘରୋଇ ବସ୍ ମାଲିକମାନେ । ତେବେ ବସ ଚଳାଚଳ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଲକଡାଉନ ପରବର୍ତ୍ତୀ ବସ ଚଳାଚଳ ସ୍ୱାଭାବିକ ପାଇଁ ପଦକ୍ଷେପ ନିଆଯାଉଛି । ବସ ମାଲିକମାନଙ୍କୁ ଟିକସ ଛାଡ଼ ସହ ଅନ୍ୟ ସୁବିଧା ଦେବାକୁ ବିଚାର କରାଯାଉଛି । ‘ବି’ କାଟେଗୋରୀ ଜିଲ୍ଲାରେ ବସ ଚଳାଚଳ କରିବ କି ନାହିଁ ସେ ନେଇ ନିଷ୍ପତ୍ତି ହେବ । ତେବେ ନିଶ୍ଚିତଭାବେ ବସ ଚଳାଚଳ ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।
ପ୍ରକାଶ ଯେ, କରୋନା ସମୟରେ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କାଟେଗୋରୀ ‘ଏ’ ଓ ‘ବି’ ଅନୁଯାୟୀ ସରକାର ଲକଡାଉନ କଟକଣାକୁ କୋହଳ କରୁଛନ୍ତି । କାଟେଗୋରୀ ‘ଏ’ରେ ସରକାର କୋଭିଡ ଗାଇଡଲାଇନକୁ ମାନି ବସ ଚଳାଚଳ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।ରାଜ୍ୟ ସରକାର ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନାଗିରି, ରାୟଗଡ଼ା ଜିଲ୍ଲାରେ ବସ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । ହେଲେ ଭୁବନେଶ୍ୱର ଓ କଟକକୁ ବସ ଚଳାଚଳ ପାଇଁ ଅନୁମତି ନଥିବାରୁ ବହୁ ବସ ଏବେ ବି ଗଡ଼ିବା ସମ୍ଭବ ନୁହେଁ ।




admin 