ବସଉଠ କରାଇବାକୁ ଧମକ ଦେଲେ ବିଜେପି ବିଧାୟିକା

ବସଉଠ କରାଇବାକୁ ଧମକ ଦେଲେ ବିଜେପି ବିଧାୟିକା

ବସଉଠ କରାଇବାକୁ ଧମକ ଦେଲେ ବିଜେପି ବିଧାୟିକା
ଭୁବନେଶ୍ୱର : ପାଟଣାଗଡ଼ର ବିଜେଡି ବିଧାୟକ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠବସ କରିବା ଘଟଣାର ଚର୍ଚ୍ଚା ଥମି ନଥିବା ବେଳେ ସୁନ୍ଦରଗଡ଼ ବିଜେପି ବିଧାୟିକା କୁସୁମ ଟେଟେ ସରକାରୀ କର୍ମଚାରୀମାନଙ୍କୁ ଅନୁରୂପ ଚେତାବନୀ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଆଜି ସୁନ୍ଦରଗଡ଼ ଜିଲ୍ଲାର ହେମଗିର ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ନବମ ପଞ୍ଚାୟତ ସମିତି ବୈଠକରେ ଶ୍ରୀମତୀ ଟେଟେ ତାଙ୍କ କଥା ନ ମାନିଲେ ସରକାରୀ କର୍ମଚାରୀମାନଙ୍କୁ ସେ ଉଠବସ କରାଇବେ ବୋଲି ଧମକ ଦେଇଛନ୍ତି । ବିଧାୟିକା ନିର୍ବାଚିତ ହେବା ପରେ ଶ୍ରୀମତି ଟେଟେ ପ୍ରଥମ ଥର ପାଇଁ ପଞ୍ଚାୟତ ସମିତି ବୈଠକରେ ଅତିଥି ଭାବେ ଉପସ୍ଥିତ ଥିଲେ । ତେବେ ବୈଠକରେ କୁସୁମଙ୍କର ଉଗ୍ର ବ୍ୟବହାର ସମସ୍ତଙ୍କୁ ଚକିତ କରିଥିଲା । ବିଶେଷ କରି ତାଙ୍କର ପ୍ରୋଟୋକଲ ଉଲ୍ଲଘଂନ ଓ ଅଶାଳୀନ ବ୍ୟବହାରକୁ ନେଇ ଉପସ୍ଥିତ ଜନପ୍ରତିନିଧିମାନେ ଖୋଲାଖୋଲି ଅସନ୍ତୋଷ ଓ ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ପ୍ରୋଟୋକଲ ଅନୁସାରେ ସଭାମଞ୍ଚରେ ଅନଧିକୃତ ବ୍ୟକ୍ତିଙ୍କ ବସିବା ନେଇ ନିୟମ ନଥିବା ବେଳେ ବିଧାୟିକା ନିଜର ଦୁଇ ଜଣ ସମର୍ଥକଙ୍କୁ ଡାକି ମଞ୍ଚରେ ବସାଇଥିଲେ । କେବଳ ସେତିକି ନୁହେଁ ଦସ୍ତଖତ ରେଜିଷ୍ଟରରେ ତାଙ୍କ ନାମ ତଳେ ଥିବାରୁ ବିଧାୟିକା ଭୀଷଣ ଭାବେ ରାଗିଯାଇ ତାହାକୁ ଚିରି ଦେଇଥିଲେ । ତାଙ୍କ ନାମ ସବା ଉପରେ ଲେଖାଯିବାକୁ ତାଗିଦ କରିଥିଲେ । ତାଙ୍କ କ୍ରୋଧ ସେତିକିରେ ଥମି ନଥିଲା, ସେ ଚେତାବନୀ ଦେଇ କହିଥିଲେ ଯେ ତାଙ୍କ କଥା ଅଧିକାରୀ ବା କର୍ମଚାରୀମାନେ ନ ମାନିଲେ ସେମାନଙ୍କୁ ସେ ଉଠ୍ବସ କରାଇବେ । ତାଙ୍କର ଏଭଳି ଆଚରଣ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।