ବାଙ୍ଗିରିପୋଷି ବିଧାନସଭା କ୍ଷେତ୍ର ନୂଆ-ପୁରୁଣା ଲଢ଼େଇ
ବାଙ୍ଗିରିପୋଷି ବିଧାନସଭା କ୍ଷେତ୍ର ନୂଆ-ପୁରୁଣା ଲଢ଼େଇ
admin
Apr 5, 2019 - 09:30
Updated: Apr 5, 2019 - 09:30
ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଶାମାଖୁଂଟା, କୁଳିଅଣା ଓ ବାଙ୍ଗିରିପୋଷି ବ୍ଲକକୁ ନେଇ ଗଠିତ ହୋଇଥିବା ଓଡ଼ିଶା ବିଧାନସଭାର ୨୯ ନମ୍ବର ବାଙ୍ଗିରିପୋଷି(ସଂ) ବିଧାନସଭା କ୍ଷେତ୍ରରେ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିବ ନୂଆ-ପୁରୁଣା ମଧ୍ୟରେ ଘମାଘୋଟ ଲଢ଼େଇ । ରାଜନୀତି ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବିଜେପି ପ୍ରାର୍ଥୀ ସୁଗଦା ମୁର୍ମୁ ନୂଆ ଚେହେରା ହୋଇଥିବା ବେଳେ ବିଜେଡ଼ିରୁ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରି ଦ୍ୱିତୀୟ ଥର ପ୍ରାର୍ଥୀ କରାଇଛି । ସେହିପରି ଜେଏମଏମ(କଂଗ୍ରେସ-ଜେଏମଏମ ମେଂଟ)ରୁ ସୁନ୍ଦର ମୋହନ ସିଂ ପୁରୁଣା ହୋଇଥିଲେ ମଧ୍ୟ ଜେଏମଏମରୁ ନୂଆ ଚେହେରା ନେଇ ଆର୍ବିଭାବ ହୋଇଛନ୍ତି । ଏବେ ଏହି ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ହାରଜିତକୁ ନେଇ କଳ୍ପନାଜଳ୍ପନା ଚାଲିଛି ।
୨୦୦୪ ନିର୍ବାଚନ ଠାରୁ ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି ଦଖଲରେ ରହିଆସିଛି । ଗତ ୨୦୧୪ ନିର୍ବାଚନରେ ଉକ୍ତ ଆସନରୁ ଝାମୁମୋର ରାଜ୍ୟ ସଭାପତି ସୁଦାମ ମାର୍ଣ୍ଡି ଦଳ ତ୍ୟାଗ କରି ବିଜେଡ଼ି ଟିକଟରେ ଚମକ୍ରାର ପ୍ରଦର୍ଶନ ସହ ୫୮.୬୩ ପ୍ରତିଶତ ହାରରେ ୬୨,୪୦୬ ଖଣ୍ଡ ଭୋଟ ପାଇ ବିଜେପି ପ୍ରାର୍ଥୀ ପୁରୁଷୋତମ ନାଏକଙ୍କୁ ୩୧,୫୨୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିବା ସମୟରେ ଶ୍ରୀ ନାଏକ ୨୦.୧୧ ପ୍ରତିଶତ ହାରରେ ୩୦,୮୭୭ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ସୁନ୍ଦର ମୋହନ ସିଂ ୧୭.୧୫ ପ୍ରତିଶତ ହାରରେ ୨୬,୩୨୭ ଖଣ୍ଡ ଓ ଜେଏମଏମ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଅଜେନ ମୁର୍ମୁ ୧୫.୨୫ ପ୍ରତିଶତ ହାରରେ ୨୩,୪୧୧ ଖଣ୍ଡ ଭୋଟ ପାଇଥିଲେ । ବିଧାୟକ ଶ୍ରୀ ମାର୍ଣ୍ଡିଙ୍କ ଏହି ସଫଳତା ୨୦୧୭ ଜିଲ୍ଲାପରିଷଦ ନିର୍ବାଚନରେ ଦୋହରାଇବାରେ ବିଫଳ ହୋଇଥିଲେ । ଜିଲ୍ଲାପରିଷଦ ନିର୍ବାଚନରେ ବିଜେଡ଼ି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ୬ଟି ଜିଲ୍ଲାପରିଷଦ ଜୋନରେ ଶୋଚନୀୟ ଭାବେ ପରାସ୍ତ ହୋଇଥିବା ବେଳେ ସମସ୍ତ ଆସନ ବିଜେଡ଼ି ହାତରୁ ବିଜେପି ଛଡ଼ାଇ ନେଇଥିଲା । ନିର୍ବାଚନରେ ବିଜେଡ଼ି ଖାତାକୁ ୨୬.୯୪ ହାରରେ ମୋଟ ୪୨,୨୬୫ ଖଣ୍ଡ ଭୋଟ ପଡ଼ିଥିବା ବେଳେ ଭାଜପା ସପକ୍ଷରେ ୪୯.୯୨ ପ୍ରତିଶତ ହାରରେ ୭୮,୩୧୨ ଖଣ୍ଡ, ଜେଏମଏମକୁ ୧୪.୪୯ ପ୍ରତିଶତ ହାରରେ ୨୨,୭୩୬, କଂଗ୍ରେସକୁ ୪.୪୧ ପ୍ରତିଶତ ହାରରେ ୬,୯୧୩ ଖଣ୍ଡ ଭୋଟ ଆସିଥିଲା । ଏଥି ସହିତ କୁଳିଅଣା ବ୍ଲକକୁ ମଧ୍ୟ ବିଜେଡ଼ି ହାତରୁ ବିଜେପି ଛଡ଼ାଇନେଇଥିଲା । ନିର୍ବାଚନ ପୂର୍ବରୁ ବିଧାୟକ ଶ୍ରୀ ମାର୍ଣ୍ଡିଙ୍କ ଡ଼ାହାଣ ହାତ କୁହାଯାଉଥିବା ଧଣ୍ଡ ଓରଫ ସୁଗଦା ମୁର୍ମୁ କୌଣସି କାରଣରୁ ସୁଦାମଙ୍କ ହାତ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଏଥି ସହିତ ସୁଦାମ ସାନ୍ତାଲ ସମ୍ପ୍ରଦାୟର ହୋଇଥିବା ବେଳେ ତାଙ୍କର କନ୍ୟାକୁ ଦିକୁ(ଅଣଆଦିବାସୀ) ସମ୍ପ୍ରଦାୟ ସହ ବିବାହ ଦେବା ପ୍ରସଙ୍ଗକୁ ନେଇ ତୀବ୍ର ବିରୋଧର ସମ୍ମୁଖୀନ ହୋଇ ଜାତିରୁ ବାସନ୍ଦ ମଧ୍ୟ ହୋଇଥିଲେ । ଏହାର କୁପ୍ରଭାବ ବିଜେଡ଼ି ଉପରେ ପ୍ରତିଫଳିତ ହୋଇଥିବାର କୁହାଯାଇଥିଲା । ତେବେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ବିଗତ ୫ବର୍ଷ ଧରି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ସହିତ ସଂଗଠନର ଦକ୍ଷତା ଓ ଜନସମ୍ପର୍କକୁ ବୃଦ୍ଧି କରାଇବାରେ ସଫଳ ହୋଇଥିବାର ଦାବି କରିଛନ୍ତି । ସେହିପରି ବିଜେପିରୁ ଗତ ୨୦୧୪ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିବା ପୁରୁଷୋତମ ନାଏକଙ୍କ ଉପରୁ ଦଳ ଆସ୍ଥା ହରାଇଥିବାରୁ ତାଙ୍କ ସ୍ଥାନରେ ବିଜେଡ଼ିରୁ ଆସି ଦଳରେ ସାମିଲ ହୋଇଥିବା ସୁଗଦା ମୁର୍ମୁଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରାଇଛି । ତେବେ ସୁଗଦା ମୁର୍ମୁଙ୍କ ନାମରେ ବାଙ୍ଗିରିପୋଷି ଆଦି ବିଭିନ୍ନ ଥାନାରେ ଅନେକ ଫୌଜଦାରୀ ମାମଲା ରହିଥିବାର ଅଭିଯୋଗ ହେଉଛି । ସେହିପରି ବିଜେପିର କେତେକ ବିଦ୍ରୋହୀ କର୍ମୀ ଓ ସମର୍ଥକମାନେ ମଧ୍ୟ ସୁଗଦା ମୁର୍ମୁଙ୍କ ଶିକ୍ଷାଗତ ଯୋଗ୍ୟତାର ବୈଧତା ଉପରକୁ ଅଙ୍ଗୁଳି ଉଠାଇବା ଫଳରେ ବିଜେପି ପ୍ରାର୍ଥୀ ସୁଗଦା ଅଡ଼ୁଆ ମଧ୍ୟକୁ ଟାଣି ହୋଇଆସିଥିବା ସମୟରେ ଶ୍ରୀ ମୁର୍ମୁ ବିଜେଡ଼ି ପ୍ରାର୍ଥୀ ସୁଦାମ ମାର୍ଣ୍ଡିଙ୍କୁ ବହୁ ଭୋଟ ବ୍ୟବଧାନରେ ପରାସ୍ତ କରାଇବେ ବୋଲି ବିଭିନ୍ନ ସଭାସମିତିରେ ଦୃଢ଼ତାର ସହ ଦାବି କରିଛନ୍ତି । ଏହା ବ୍ୟତୀତ ବିଜେଡ଼ି ବିଧାୟକ ସୁଦାମ ଦୁର୍ନୀତି ଭ୍ରଷ୍ଟାଚାରରେ ଉବୁଟୁବୁ ହେଉଛନ୍ତି । ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ପ୍ରଗତୀର ରଥ ପଛକୁ ପଛକୁ ଚାଲିଛି ବୋଲି ଅଭିଯୋଗ ଆଣିଛନ୍ତି । ପୂର୍ବରୁ ସୁଦାମଙ୍କ ସହିତ ରହିଥିବା ବେଳେ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ କରାଇବାରେ ମୁଖ୍ୟ ଭୂମିକା ଲିଭାଇଥିଲେ ଏବଂ ଧଣ୍ଡ କହିଲେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ସମସ୍ତେ ତାଙ୍କୁ ଚିହ୍ନନ୍ତି । ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦି ଜଣେ ବିକାଶ ପୁରୁଷ ଅଟନ୍ତି । ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିର ଯୁବଗୋଷ୍ଠୀ ବିଜେପିକୁ ସମର୍ଥନ କରୁଥିବାରୁ ୨୦୧୯ ନିର୍ବାଚନରେ ଦୁର୍ନୀତିଗ୍ରସ୍ତ ବିଧାୟକ ସୁଦାମଙ୍କୁ ପରାସ୍ତ କରାଇ ନିର୍ବାଚିତ ହେବେ ବୋଲି ବିଜେପି ପ୍ରାର୍ଥୀ ଧଣ୍ଡ ଓରଫ ସୁଗଦା ଦାବି କରିଛନ୍ତି ।
ସେହିପରି ଚଳିତ ନିର୍ବାଚନରେ ଜେଏମଏମ ଓ କଂଗ୍ରେସ ମଧ୍ୟରେ ମେଂଟ ହୋଇଥିବାରୁ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସମର୍ଥନରେ ଜେଏମଏମରୁ ସୁନ୍ଦର ମୋହନ ସିଂ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଉହ୍ଲାଇଛନ୍ତି । ଜେଏମଏମ ବିଧାୟକ ପ୍ରାର୍ଥୀ ଶ୍ରୀ ସିଂ ଦଳରେ ନୂଆ ହୋଇଥିବା ବେଳେ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବାରେ ପୁରୁଣା । କେବଳ ଦଳ ଓ ଚିହ୍ନରେ ପରିବର୍ତନ ଘଟିଛି । ୨୦୧୪ ନିର୍ବାଚନରେ ଶ୍ରୀ ସିଂ କଂଗ୍ରେସ ଟିକଟରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରି ୩ୟ ସ୍ଥାନରେ ରହିଥିଲେ । ପରବର୍ତି ସମୟରେ କଂଗ୍ରେସ ତ୍ୟାଗକରି ଜେଏମଏମରେ ମିଶିବା ପରେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ନିର୍ବାଚନ ଲଢ଼ିବା ନିମନ୍ତେ ଦଳୀୟ ଟିକେଟ ଦେଇଛି । ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ଜନସାଧାରଣ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଯୋଗାଣ, କୃଷି, ଜଳସେଚନ ଆଦି ବିଭିନ୍ନ ସମସ୍ୟା ମଧ୍ୟରେ ଉବୁଟୁବୁ ହେଉଛନ୍ତି । ପ୍ରଶାସନିକ ଅଧିକାରୀ, ବିଧାୟକ ଓ ନିର୍ବାଚନ ମଣ୍ଡଳୀରେ ଦଳୀୟ ନେତାମାନେ ଦୁର୍ନୀତି ଭ୍ରାଷ୍ଟାଚାରେ ଲିପ୍ତ ରହୁଥିବାରୁ ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ବାଧାପ୍ରାପ୍ତ ହୋଇଛି । ଜେଏମଏମ ଆଦିବାସୀ ଓ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ହକ୍ ଏବଂ ସ୍ୱାର୍ଥରକ୍ଷା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟକରିଥାଏ । ତେଣୁ ଜେଏମଏମ ଦଳରେ ରହି ଜନସାଧାରଣଙ୍କ ସେବା କରିପାରିବେ ବୋଲି ନିଷ୍ପତି ନେଇ ସେ ଦଳରେ ସାମିଲ ହୋଇଛନ୍ତି ଏବଂ ତାଙ୍କର ପ୍ରଥମ ଲକ୍ଷ୍ୟ ହେଉଛି ନିର୍ବାଚନ ମଣ୍ଡଳୀରୁ ଦୁର୍ନୀତି ଭ୍ରାଷ୍ଟାରକୁ ଦୂର କରାଇବା ଏବଂ ସାମଗ୍ରିକ ବିକାଶ କରାଇବା । ଏଥି ନିମନ୍ତେ ସେ ସଙ୍କଳ୍ପ ନେଇ ନେଇଛନ୍ତି । ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସମର୍ଥନ ଓ ଆଶୀର୍ବାଦ ସହ ଜେଏମଏମ ଓ କଂଗ୍ରେସ ଦଳ ତାଙ୍କ ପଛରେ ରହିଛି । ତେଣୁ ନିର୍ବାଚନରେ ସେ ନିଶ୍ଚିତ ବିଜୟୀ ହେବେ ବୋଲି ଶ୍ରୀ ସିଂ ଆଶାବାଦୀ ଅଛନ୍ତି । ଏଥି ସହିତ ବିଜେଡ଼ି ଓ ବିଜେପି ଉଭୟକୁ କଡ଼ା ଟକ୍କର ଦେବାକୁ ସେ ପ୍ରସ୍ତୁତ ଥିବା କହିଛନ୍ତି । ତେଣୁ, ଏପ୍ରିଲ ୨୯ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଯାଉଥିବା ବାଙ୍ଗିରିପୋଷି ବିଧାନସଭା ନିର୍ବାଚନରେ ବିଜେଡ଼ି, ବିଜେପି ଓ କଂଗ୍ରେସ-ଜେଏମଏମ୍ ମେଂଟ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବାର କ୍ଷେତ୍ର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚି ସାରିଛି । ।
ଏଥି ସହିତ ବାଙ୍ଗିରିପୋଷି ଏକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ହୋଇଥିବା କାରଣରୁ ଏଠାରେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ କିପରି ପରିଚାଳନା କରାଯାଇ ପାରୁଛି ତାହା ସମୟ ହିଁ କହିପାରିବ ବୋଲି ମତ ପ୍ରକାଶ ପାଇଛି । ଶାମାଖୁଂଟା, କୁଳିଅଣା ଓ ବାଙ୍ଗିରିପୋଷି ବ୍ଲକକୁ ନେଇ ଗଠିତ ହୋଇଥିବା ବେଳେ ୨୧.୦୧.୨୦୧୯ରେ ପ୍ରକାଶିତ ଭୋଟର ତାଲିକା ଆଧାରରେ ୧,୦୩,୬୨୨ ପୁରୁଷ, ୧,୦୩,୦୭୪ ମହିଳା ଓ ୫ ଅନ୍ୟାନ୍ୟ ଏହିପରି ମୋଟ ୨,୦୬,୭୦୧ ଭୋଟର ରହିଛନ୍ତି । ଏମାନଙ୍କ ମଧ୍ୟରୁ ମହାନ୍ତ, ଭୂମିଜ, ମୁଣ୍ଡାରୀ ଓ ବାଥୁଡ଼ି ସମ୍ପ୍ରଦାୟର ଭୋଟର ନିର୍ଣ୍ଣାୟକ ଭୂମିକା ଲିଭାଇବେ ବୋଲି ଜଣାପଡ଼ିଛି । ତେବେ ବିଜେପି ଦଳରେ ଦେଖାଦେଇଥିବା ଗୃହଯୁଦ୍ଧ ବିଜେଡ଼ି ପ୍ରାର୍ଥୀ ସୁଦାମଙ୍କୁ ଅଧିକ ଫାଇଦା ପହଁଚାଇବାର ସମ୍ଭାବନା ରହିଛି ।