ବ୍ରିଟେନ କୋର୍ଟରେ ପଇସା ମାଗିଲେ ମାଲ୍ୟା, ଜାଣନ୍ତୁ କାହିଁକି

ବ୍ରିଟେନ କୋର୍ଟରେ ପଇସା ମାଗିଲେ ମାଲ୍ୟା, ଜାଣନ୍ତୁ କାହିଁକି

ବ୍ରିଟେନ କୋର୍ଟରେ ପଇସା ମାଗିଲେ ମାଲ୍ୟା, ଜାଣନ୍ତୁ କାହିଁକି
ଲଣ୍ଡନ : ଭାରତୀୟ ମଦ ସମ୍ରାଟ ବିଜୟ ମାଲ୍ୟା ବ୍ରିଟେନର ଏକ କୋର୍ଟରେ ପଇସା ମାଗିଛନ୍ତି । ବିଭିନ୍ନ ଭାରତୀୟ ବ୍ୟାଙ୍କରୁ ପ୍ରାୟ ୫ ହଜାର କୋଟି ଟଙ୍କା ଋଣ ନେଇ ଦେଶଛାଡି ପଳାୟନ କରିଥିବା ମାଲ୍ୟା ବର୍ତ୍ତମାନ ଲଣ୍ଡନରେ ରହିଛନ୍ତି । ଫ୍ରାନ୍ସରେ ମାଲ୍ୟାଙ୍କର ଏକ ସମ୍ପତ୍ତି ବିକ୍ରି କରାଯାଇଥିବା ବେଳେ ଉକ୍ତ ଅର୍ଥର କିଛି ଅଂଶ ଦାବି କରିଛନ୍ତି ମାଲ୍ୟା । ତାଙ୍କର ନିୟମିତ ଖର୍ଚ୍ଚ ପାଇଁ ଅର୍ଥର ଆବଶ୍ୟକତା ରହିଥିବା କାରଣରୁ ଏହି ଅର୍ଥର କିଛି ଅଂଶ ତାଙ୍କୁ ପ୍ରଦାନ କରାଯାଉ । ଲକ୍ଷ ଲକ୍ଷ ପାଉଣ୍ଡର ଅର୍ଥ ଆଦାୟ କରାଯାଇଥିବା ବେଳେ ଏହାର ଏକ ଛୋଟ ଅଂଶ ତାଙ୍କ ନାମରେ ସ୍ଥାନାନ୍ତର କରିବା ପାଇଁ ମାଲ୍ୟା କୋର୍ଟଙ୍କୁ ଅନୁରୋଧ କରିଥିଲେ । ଫ୍ରାନ୍ସର ଲେ ଗ୍ରାଣ୍ଡ ଜାର୍ଡିନରେ ରହିଥିବା ମାଲ୍ୟାଙ୍କର ଏକ ସମ୍ପତ୍ତି ବିକ୍ରି କରାଯାଇ ଏହି ଅର୍ଥ ଆଦାୟ କରାଯାଇଛି । ଏହି ଅର୍ଥ ବର୍ତ୍ତମାନ କୋର୍ଟଙ୍କ ହେପାଜତରେ ରହିଛି । ମାଲ୍ୟାଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରିଥିଲେ ତଳକୋର୍ଟର ଜଜ ରବର୍ଟ ଚାଫର । କୋର୍ଟଙ୍କ ଅଧୀନରେ ଏହି ଅର୍ଥ ରହିଥିବାରୁ ମାଲ୍ୟାଙ୍କୁ ଏହି ଅର୍ଥ ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି କୋର୍ଟ କହିଛନ୍ତି । କୋର୍ଟରେ ପ୍ରାୟ ୧୫ ଲକ୍ଷ ପାଉଣ୍ଡର ଅର୍ଥରାଶି ଜମା କରାଯାଇଥିବା ବେଳେ କୋର୍ଟ ଏଥିରୁ ୨ ଲକ୍ଷ ୪୦ ହଜାର ପାଉଣ୍ଡ ଅର୍ଥ ରିଲିଜ କରିଛନ୍ତି । ତେବେ ଏହି ଅର୍ଥ ମାଲ୍ୟାଙ୍କ ପାଇଁ ନୁହେଁ । ଅର୍ଥନୈତିକ ହେରଫେରକୁ ନେଇ ଚାଲିଥିବା ମାମଲାର ପରିଚାଳନା ପାଇଁ ଏହି ଅର୍ଥରାଶି ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଫ୍ରାନ୍ସରେ ମଧ୍ୟ ମାଲ୍ୟାଙ୍କ ବିରୋଧରେ ଅର୍ଥନୈତିକ ହେରଫେର ମାମଲା ରୁଜୁ କରାଯାଇଛି ।