ବ୍ୟବସାୟରେ ସଫଳ ହେବାକୁ ଚାହୁଁଥିଲେ, ରଖନ୍ତୁ ଏହି ସବୁ ଧ୍ୟାନ
ବ୍ୟବସାୟରେ ସଫଳ ହେବାକୁ ଚାହୁଁଥିଲେ, ରଖନ୍ତୁ ଏହି ସବୁ ଧ୍ୟାନ
ଯେକୌଣସି ବି ବ୍ୟବସାୟ ଆରମ୍ଭ କରିବା ମାତ୍ରେ ସଫଳତା ମିଳିଯିବ, ଏଥିରେ କୌଣସି ଗ୍ୟାରେଣ୍ଟି ନାହିଁ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାମ କରିବା ସହ ବାସ୍ତୁ ଦୋଷ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ । ବାସ୍ତୁଶାସ୍ତ୍ରରେ ଏଭଳି କିଛି ଉପାୟ ବିଷୟରେ କୁହାଯାଇଛି, ଯାହାକୁ ପ୍ରୟୋଗ କରି ଆପଣ ନିଜ ବ୍ୟବସାୟରେ ଉନ୍ନତି କରିପାରିବେ । ତେବେ ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ ।
- ଯଦି ଆପଣ ଏକ ଦୋକାନ କିମ୍ବା ଅଫିସ୍ ଖୋଲିବାକୁ ଚାହୁଁଛନ୍ତି, ତେବେ ଏହା ଉତ୍ତର, ଉତ୍ତର-ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗ ଆଡ଼କୁ ଯେପରି ରହିବ ସେଥିପ୍ରତି ଧ୍ୟାନ ରଖନ୍ତୁ । ଏହି ଦିଗରେ ଦୋକାନ କିମ୍ବା ଅଫିସ ରହିଲେ ସକରାତ୍ମକ ଶକ୍ତି ଏବଂ ଗୁଡ୍ଲକ୍ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱା ରହିଛି ।
- ଦୋକାନ କିମ୍ବା ଅଫିସର ମୁଖ୍ୟ ଦ୍ୱାର ସାମ୍ନାରେ ବିଦ୍ୟୁତ୍ ଖୁଣ୍ଟ, ବଡ ପଥର ଖଣ୍ଡ ଭଳି କୌଣସି ପ୍ରତିବନ୍ଧକ ରହିବା ଉଚିତ୍ ନୁହେଁ । ମୁଖ୍ୟ ଫାଟକ ସମ୍ପୂର୍ଣ୍ଣ ଖାଲି ଏବଂ ଏହାର ଦିଗ ଉତ୍ତର କିମ୍ବା ପୂର୍ବ ଦିଗରେ ରହିବା ଉଚିତ । ଏଥିସହ ନିଜ ଅଫିସ ତଥା ଦୋକାନର ମଧ୍ୟଭାଗକୁ ଯେତେ ସମ୍ଭବ ସେତେ ଖାଲି ରଖିବାକୁ ଚେଷ୍ଟା କରନ୍ତୁ ।
- ଆପଣଙ୍କ ଅଫିସ୍ ବା ଦୋକାନ ଦକ୍ଷିଣ-ପଶ୍ଚିମ ଦିଗରେ ରହିବା ଉଚିତ୍ ଏବଂ ଆପଣ ଏପରି ଭାବରେ ବସିବା ଉଚିତ୍ ଯେ ଆପଣଙ୍କ ମୁହଁଟି ଉତ୍ତର ଦିଗକୁ ରହିବ । ଆପଣ ଯେଉଁଠି ବସିବେ ତା’ ପଛପଟେ ଯେପରି ଭଗବାନଙ୍କ କୌଣସି ମୂର୍ତ୍ତି କିମ୍ବା ଫଟୋ ନ ରହିବ ସେଥିପ୍ରତି ଧ୍ୟାନ ଦେବା ଉଚିତ ।
- ଯଦି ଆପଣଙ୍କର ଟେବୁଲ୍ ଆୟତାକାର ହୋଇଥାଏ, ତା’ହେଲେ ଅତ୍ୟନ୍ତ ଭଲ। ବିକୃତ ଆକାରର ଟେବୁଲ ଗୁଡିକ ନକାରାତ୍ମକତା ଶକ୍ତି ଉତ୍ପନ୍ନ କରିଥାଏ, ଏହାଦ୍ୱାରା ନିର୍ଣ୍ଣୟ ପ୍ରକ୍ରିୟା ପ୍ରଭାବିତ ହୋଇପାରେ ବୋଲି ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି ।
- ଆପଣଙ୍କ ଅଫିସରେ ଶୌଚାଳୟ ଯେପରି ଉତ୍ତର-ପଶ୍ଚିମ ଦିଗରେ ନରହିବ ସେଥିପ୍ରତି ଧ୍ୟାନ ରଖିବା ଉଚିତ । ଏହି ଦିଗରେ ଶୌଚାଳୟ ରହିବା ଦ୍ୱାରା ଆପଣଙ୍କ ଆର୍ଥିକ ପରିଚାଳନା ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଆର୍ଥିକ ସ୍ଥିତିରେ ସମସ୍ୟା ଉପୁଜିବ ।
- ସମସ୍ତ ବିଦ୍ୟୁତ୍ ଉପକରଣକୁ ଅଫିସ୍ ବିଲ୍ଡିଂର ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ । ବାସ୍ତୁ ଅନୁଯାୟୀ ଏଥିପାଇଁ ଏହା ବେଶ ଉପଯୁକ୍ତ ସ୍ଥାନ ।
- ଅଫିସର ଆକାଉଣ୍ଟ ବିଭାଗଟି ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ । ସେହିପରି କର୍ମଚାରୀମାନେ ପୂର୍ବ କିମ୍ବା ଉତ୍ତର ଆଡକୁ ମୁହଁ କରି ବସିବା ଉଚିତ୍ ।