ଭାରତ-ପାକିସ୍ତାନ ଲଢ଼େଇ ଆଜି

ଭାରତ-ପାକିସ୍ତାନ ଲଢ଼େଇ ଆଜି

ଭାରତ-ପାକିସ୍ତାନ ଲଢ଼େଇ ଆଜି

ନୂଆଦିଲ୍ଲୀ: ଚଳିତ ଆଇସିସି ମହିଳା ଟ୍ବେଣ୍ଟି୨୦ ବିଶ୍ବକପର କେପ୍‌ଟାଉନର ନ୍ୟୁଉସଲାଣ୍ଡ କ୍ରିକେଟ ଗ୍ରାଉଣ୍ଡରେ ଗ୍ରୁପ-ଏ ର ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ବାଧିନ ଭାରତୀୟ ମହିଳା କ୍ରିକେଟ ଦଳ ଗତ ୨୦୨୦ରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇ ରନର୍ସଅପ ହୋଇଥିଲା। ଚଳିତ ବିଶ୍ବକପରେ ଭାରତ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି। ତାରକା ଓପନର ସ୍ମୃତି ମାନ୍ଧାନା ଆଙ୍ଗୁଠି ଆଘାତ ସମସ୍ୟାରୁ ମୁକୁଳି ନଥିବାବେଳେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବା ନେଇ ଆଶଙ୍କା ରହିଛି। ୧୯ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ବିଜୟୀ ଭାରତୀୟ ଦଳର ଅଧିନାୟିକା ଶେଫାଳି ବର୍ମା ସିନିୟର ଟ୍ବେଣ୍ଟି୨୦ ବିଶ୍ବକପକୁ ନେଇ ଉତ୍ସାହିତ ଅଛନ୍ତି। ସେହିପରି ବ୍ୟାଟର ଭାବେ ହରମନପ୍ରୀତ ଓ ମାନ୍ଧାନାଙ୍କ ସମେତ ୟାସ୍ତିକା ଭାଟିଆ, ହର୍ଲିନ ଦେଓଲ, ରିଚା ଘୋଷ ରହିଥିବାବେଳେ ବୋଲିଂରେ ରାଜେଶ୍ବରୀ ଗାଏକ୍ବାର୍ଡ, ରେଣୁକା ସିଂହ, ଜେମିମା ରୋଡିଗ୍ବେଜ ରହିଛନ୍ତି। ଦୀପ୍ତି ଶର୍ମା ଓ ଶିଖା ପାଣ୍ଡେ ଅଲରାଉଣ୍ଡର ଭୂମିକା ତୁଲାଇବେ। ଅନ୍ୟପକ୍ଷରେ ପାକିସ୍ତାନ ବିସ୍‌ମା ମାରୁଫଙ୍କ ନେତୃତ୍ବରେ ଖେଳିବ। ଦଳରେ ନିଦା ଦର୍‌, ଫତିମା ସାନା, ଆଲିଆ ରିୟାଜ, ଆଇମାନ ଅନୱାରଙ୍କ ଭଳି ଖେଳାଳି ରହିଛନ୍ତି। ଉଭୟ ଦଳର ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଭାରତ ବହୁତ ଆଗରେ ରହିଛି। ଭାରତ ୪ଟି ଓ ପାକିସ୍ତାନ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି।