ମନ୍ଦିର ଭିତରେ ମୋବାଇଲ ବାରଣ ଏକ ପ୍ରହସନ, ପୋଲିସ ପାରିଲାନି, ଜଗିବ AI
ଲିଙ୍ଗରାଜ ମନ୍ଦିରରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଠିଙ୍କ ସହ ଜଣେ ସେବାୟତଙ୍କ ମୋବାଇଲରେ କଏଦ ହୋଇଥିବା ଫଟୋ ଭାଇରାଲ ହେବା ପରେ ଏବେ ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଲା ପ୍ରଶ୍ନ। ଖୋଲାମେଲାରେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଯିବା ଦୃଶ୍ୟ UBC କ୍ୟାମେରାରେ କଏଦ ହେବାପରେ ଶ୍ରୀମନ୍ଦିର ସୁରକ୍ଷା ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ବାରଣ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଥିବା ବେଳେ ଖୋଲାଖୋଲି ଏହାର ଉଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି। ସେବାୟତ ହୁଅନ୍ତୁ କିମ୍ବା ଅଣସେବାୟତ କିମ୍ବା ସୁରକ୍ଷାକର୍ମୀ ସମସ୍ତେ ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର କରୁଛନ୍ତି। ଭକ୍ତ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବାକୁ ବାରଣ ହେବାସହ ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୋବାଇଲ ନେବା ଉପରେ ମନ୍ଦିର ପ୍ରଶାସନ ତରଫରୁ କଟକଣା ଜାରି କରାଯାଇଛି। ପୂର୍ବରୁ ଶ୍ରୀମନ୍ଦିର ଭିତରେ ମୋବାଇଲ ବ୍ୟବହାର ବନ୍ଦ ହେବାନେଇ ବିଭିନ୍ନ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହେବା ସତ୍ତ୍ୱେ ବାରମ୍ବାର ଶ୍ରୀମନ୍ଦିର ଭିତରକୁ ମୋବାଇଲ ଯିବା ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର ଆତଙ୍କବାଦୀ ଆକ୍ରମଣକୁ ଖୋରାକ୍ ଯୋଗାଇବା ସହ ତୁରନ୍ତ ସରକାର ଏହା ଉପରେ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ଆଇନଜୀବୀ।
କେବେ ଶ୍ରୀମନ୍ଦିର ଭିତରେ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍ ଫୋନ୍ ?? କେବେ କାର୍ଯ୍ୟକାରୀ ହେବ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶନାମା ??? ଯାହାକୁ ନେଇ ଏବେ ବି ଲାଗି ରହିଛି ଦ୍ୱନ୍ଦ। ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ କେବଳ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏସପି, ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସମେତ କମାଣ୍ଡର ବ୍ୟତୀତ ଅନ୍ୟକେହି ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଫୋନ ନେଇପାରିବେ ନାହିଁ। କିନ୍ତୁ ଏଠି ସେବାୟତଙ୍କ ଠାରୁ ଆରମ୍ଭ କରି ଗୁମାସ୍ତା, ଅଣ ସେବାୟତ, ଭକ୍ତ, ସୁରକ୍ଷାକର୍ମୀ, ମନ୍ତ୍ରୀ ବିଧାୟକ ଓ ତାଙ୍କ ସହଯୋଗୀ ସମର୍ଥକ ସମସ୍ତେ ବେଧଡକ୍ ଭାବେ କ୍ୟାମେରା ଯୁକ୍ତ ଫୋନ୍ ଶ୍ରୀମନ୍ଦିର ଭିତରକୁ ନେଉଛନ୍ତି। ଯାହା ଫଳରେ ଦିନକୁ ଦିନ ଶ୍ରୀମନ୍ଦିର ଭିତର ବେଢା, ଗର୍ଭଗୃହ, ଆନନ୍ଦବଜାର ଭିଡିଓ ଭାଇରାଲ୍ ହେବାପରେ ମହାପ୍ରଭୁଙ୍କ ଅନେକ ଗୁପ୍ତନୀତି ପଦାରେ ପଡିବା ସହ ଶ୍ରୀମନ୍ଦିର ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ସେପଟେ କିଛିବର୍ଷ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କି ପ୍ୟାଡ୍ ଫୋନ୍ ଶ୍ରୀମନ୍ଦିର ଭିତରେ ସେବାୟତମାନଙ୍କ ବ୍ୟବହାର ପାଇଁ ଲାଗୁ କରି ଫେଲ୍ ମାରିଥିଲା। ତେଣୁ କି ପ୍ୟାଡ୍ ଫୋନ୍ ବ୍ୟବସ୍ଥା ପୁର୍ନବାର ଲାଗୁ କରିବା ସହ ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ସମ୍ପୂର୍ଣ୍ଣ ବାରଣ କରିବାକୁ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ AI ଟେକ୍ନୋଲୋଜି ବ୍ୟବହାର କରି ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର ରୋକାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ।