ମହଙ୍ଗା ହେଲା ଏଲ୍ପିଜି ସିଲିଣ୍ଡର, ସିଲିଣ୍ଡର ପିଛା ୧୪୪.୫ ଟଙ୍କା ବୃଦ୍ଧି
ମହଙ୍ଗା ହେଲା ଏଲ୍ପିଜି ସିଲିଣ୍ଡର, ସିଲିଣ୍ଡର ପିଛା ୧୪୪.୫ ଟଙ୍କା ବୃଦ୍ଧି
admin
Feb 12, 2020 - 12:36
Updated: Feb 12, 2020 - 12:36
ରନ୍ଧନ ଗ୍ୟାସ୍ ଏଲ୍ପିଜି ସିଲିଣ୍ଡର ପିଛା ୧୪୪.୫ ଟଙ୍କା ବୃଦ୍ଧି କରାଯାଇଛି। ବିଶ୍ୱସ୍ତରର ଦର ସହ ସମାନ କରିବା ପାଇଁ ବୁଧବାର ଏଲ୍ପିଜିର ମୂଲ୍ୟ ବୃଦ୍ଧି କରାଯାଇଥିବା କୁହାଯାଇଛି। ତେବେ ଘରୋଇ ବ୍ୟବହାରକାରୀଙ୍କ ସୁବିଧା ପାଇଁ ସରକାର ଏହି ଇନ୍ଧନ ଉପରେ ସବସିଡିକୁ ପ୍ରାୟ ଦୁଇଗୁଣା କରିଛନ୍ତି। ଏହାଫଳରେ ଇନ୍ଧନ ଦର ପ୍ରାୟ ଅପରିବର୍ତ୍ତିତ ରହିଛି।
ରାଷ୍ଟ୍ରାୟତ୍ତ ତୈଳ ଉଦ୍ୟୋଗଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ସିଲିଣ୍ଡର ଦର ୭୧୪ ଟଙ୍କା ଥିଲା ଏବଂ ଦରବୃଦ୍ଧି ପରେ ଏହା ୮୫୮.୫୦ ଟଙ୍କା ହୋଇଛି। ତେବେ କୋଲକତା, ମୁମ୍ବାଇ ଏବଂ ଚେନ୍ନାଇରେ ଗ୍ୟାସ୍ ସିଲିଣ୍ଡର ଦର ଯଥାକ୍ରମେ ୧୪୯ ଟଙ୍କା, ୧୪୫ ଟଙ୍କା ଏବଂ ୧୪୭ ଟଙ୍କା ବୃଦ୍ଧି ପାଇ ୮୯୬ ଟଙ୍କା, ୮୨୯.୫ ଟଙ୍କା ଏବଂ ୮୮୧ ଟଙ୍କା ରେ ପହଞ୍ଚିଛି। ଏହି ସହର ସବୁରେ ପୂର୍ବରୁ ସିଲିଣ୍ଡର ଦର ଯଥାକ୍ରମେ ୭୪୭ ଟଙ୍କା, ୬୮୪.୫ ଟଙ୍କା ଏବଂ ୭୩୪ ଟଙ୍କା ଥିଲା। ଜାନୁଆରୀ ୨୦୧୪ ପରଠାରୁ ଅର୍ଥାତ ୬ ବର୍ଷରେ ଏହା ଗ୍ୟାସ୍ ସିଲିଣ୍ଡରରର ସର୍ବାଧିକ ଦର ବୃଦ୍ଧି।
ବର୍ଷକୁ ୧୨ଟି ୧୫.୫ କେଜି ଓଜନର ସିଲିଣ୍ଡର ପାଉଥିବା ଘରୋଇ ବ୍ୟବହାରକାରୀ ଅଧିକ ପରିମାଣର ସବସିଡି ପାଇବେ। ବର୍ତ୍ତମାନ ସରକାରୀ ସବସିଡି ସିଲିଣ୍ଡର ପ୍ରତି ୧୫୩.୮୬ ଟଙ୍କାରୁ ୨୯୧.୪୮ ଟଙ୍କାକୁ ବୃଦ୍ଧି ପାଇବ। ସେହିଭଳି ଉଜ୍ଜଲା ଯୋଜନା ହିତାଧିକାରୀମାନେ ପୂର୍ବରୁ ୧୭୪.୮୬ ଟଙ୍କା ସବସିଡି ପାଉଥିଲେ। ବର୍ତ୍ତମାନ ସେମାନେ ୩୧୨.୪୮ ଟଙ୍କାର ସବସିଡି ପାଇବେ।
ତେବେ ବ୍ୟାଙ୍କ ଆକାଉଣ୍ଟକୁ ଡାରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଜରିଆରେ ସବିସିଡି ପହଞ୍ଚିବା ପରେ ହିସାବ କଲେ ୧୪.୨ କେଜିର ଏଲପିଜି ଦର ଘରୋଇ ବ୍ୟବହାରକାରୀଙ୍କ ପାଇଁ ୫୬୭.୦୨ ଟଙ୍କା ରହିବ। ସେହିଭଳି ପ୍ରଧାନମନ୍ତ୍ରୀ ଉଜ୍ଜଲା ଯୋଜନା ହିତାଧିକାରୀଙ୍କ ପାଇଁ ଗ୍ୟାସ୍ ସିଲିଣ୍ଡର ଦର ୫୪୬.୦୨ ଟଙ୍କା ରହିବ।