ଫନି ପୁନରୁଦ୍ଧାର
ଫନି ପୁନରୁଦ୍ଧାର
admin
May 11, 2019 - 04:32
Updated: May 11, 2019 - 04:32
ଭୁବନେଶ୍ୱର : ଗ୍ରାମୀଣ ଜଳଯୋଗାଣ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ସଂଜୟ ସିଂହ କହିଲେଯେ, ସହରାଂଚଳରେ ଜଳଯୋଗାଣ ସ୍ୱାଭାବିକ ହୋଇସାରିଛି । ସେହିପରି ଭଦ୍ରକ ଓ କେନ୍ଦ୍ରାପଡ଼ାର ପ୍ରଭାବିତ ଅଂଚଳର ଗ୍ରାମୀଣ ଇଲାକାରେ ପାଇପ ପାନୀୟ ଜଳଯୋଗାଣ ସ୍ୱାଭାବିକ ହୋଇଥିବାବେଳେ ଯାଜପୁର, ଜଗତସିଂହପୁର, କଟକ ଓ ଖୋର୍ଦ୍ଧାର ଅର୍ଦ୍ଧାଧିକ ପାଇପ ଜଳ ଯୋଗାଣ କାର୍ଯ୍ୟକ୍ଷମ ହୋଇପାରିଛି । ଖୋର୍ଦ୍ଧାରେ ୨୮୩ ପାଇପ ପାନୀୟ ଜଳ ପ୍ରକଳ୍ପ ଚାଲୁ ହୋଇଥିବାବେଳେ ପୁରୀରେ ୯୦ ପ୍ରକଳ୍ପ କାର୍ଯ୍ୟକ୍ଷମ ଅଛି । ପୁରୀର ୨୭.୪% ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଛି । ଆସନ୍ତା ୧୩ ତାରିଖ ସୁଦ୍ଧା ପ୍ରଭାବିତ ଜିଲ୍ଲାଗୁଡ଼ିକର ଗ୍ରାମୀଣ ଅଂଚଳରେ ସମସ୍ତ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମ୍ପ୍ରତି ପ୍ରଭାବିତ ଜିଲ୍ଲାର ଗ୍ରାମାଂଚଳରେ ୫୬୩ ୱାଟର ଟ୍ୟାଙ୍କର ଜରିଆରେ ପାନୀୟ ଜଳଯୋଗାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ମୋଟ ଉପରେ ୧୭୪୩ଟି ପାଇପ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇସାରିଛି ବୋଲି ସେ କହିଥିଲେ । ଏତଦବ୍ୟତୀତ ମହାକାଳପଡ଼ାକୁ ୧ଟି, ପୁରୀର ଅସ୍ତରଙ୍ଗ ଓ କାକଟପୁରରେ ଗୋଟିଏ ଲେଖାଏଁ ମୋବାଇଲ ଟ୍ରିଟମେଂଟ ପ୍ଲାଂଟର ବ୍ୟବସ୍ଥା କରାଯାଇଥିବାବେଳେ ପୁରୀକୁ ୮ଟି ମୋବାଇଲ ଟ୍ରିଟମେଂଟ ପ୍ଲାଂଟ ପଠାଯିବ ।
ପୁରୀ ଜିଲ୍ଲାର ପ୍ରତି ବ୍ଲକରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ଭଲ ପ୍ରଦର୍ଶନ କରିଥିବା ତିନି ପଂଚାୟତକୁ ସରକାର ପୁରସ୍କାର ପ୍ରଦାନ କରିବେ । ରିଲିଫ, ପୁନରୁଦ୍ଧାର, ପାନୀୟ ଜଳଯୋଗାଣ, ରାସ୍ତା ଓ ଅନ୍ୟ ଭିତିଭୂମି ସଫେଇ, ମାଗଣା ରନ୍ଧା ଖାଦ୍ୟ, ପରିମଳ ଓ ଅନୁକମ୍ପାମୂଳକ ସହାୟତା ଆଦି ମାନଦଣ୍ଡକୁ ବିଚାର କରାଯାଇ ପ୍ରଥମ ତିନୋଟି ପଂଚାୟତ ଚୟନ କରାଯିବ । ପ୍ରଥମ ସ୍ଥାନରେ ଥିବା ପଂଚାୟତକୁ ୫ ଲକ୍ଷ, ଦ୍ୱିତୀୟ ସ୍ଥାନ ପାଇଁ ୩ ଲକ୍ଷ ଓ ତୃତୀୟ ସ୍ଥାନ ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ବ୍ୟବସ୍ଥା କରାଯାଇଛି । ସେହିପରି ପଂଚାୟତଗୁଡ଼ିକ ନିଜ ପାଣ୍ଠିରୁ ୧ ଲକ୍ଷ ଟଙ୍କା ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ଖର୍ଚ୍ଚ କରିବାକୁ ଅନୁମତି ପ୍ରଦାନ କରାଯାଇଛି ।
ସହରାଂଚଳରେ ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ୯୪୩ ଜେସିବି, ଡମ୍ପର ଓ ଟ୍ରାକ୍ଟର କାର୍ଯ୍ୟ କରୁଥିବାବେଳେ ୫ ହଜାର ପରିମଳ କର୍ମଚାରୀ ନିୟୋଜିତ ଅଛନ୍ତି । ପୁରୀରେ ପରିମଳ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଅନ୍ୟ ଜିଲ୍ଲାରୁ ଟିମ ଆସୁଛନ୍ତି ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି । ଅପରପକ୍ଷରେ ଅଧିକ ସଂଖ୍ୟକ ପଶୁପକ୍ଷୀ ମରିଥିବା ଅଂଚଳରେ ଯେଭଳି ସଂକ୍ରାମକ ରୋଗ ନବ୍ୟାପେ ସେଥିପ୍ରତି ଧ୍ୟାନ ଦେବା ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ ପଠାଯାଇଛି । ବିଶେଷକରି ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଉପରେ ଧ୍ୟାନ ଦିଆଯିବ । ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଜୁଳି ଯୋଗାଣର ବ୍ୟବସ୍ଥା କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି । ସେହିପରି ପୁରୀର ୧୬ରୁ ୧୨ ସିଏଚସି/ଡିଏଚଏସରେ ପାନୀୟ ଜଳଯୋଗାଣ ସ୍ୱାଭାବିକ ହୋଇଥିବାବେଳେ ଖୋର୍ଦ୍ଧାର ୧୨ରୁ ୯ରେ ଜଳଯୋଗାଣ ସ୍ୱାଭାବିକ ହୋଇଛି । ଅପରପକ୍ଷରେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ସମସ୍ତ ସିଏଚସି/ଡିଏଚଏସରେ ପାନୀୟ ଜଳଯୋଗାଣ ସ୍ୱାଭାବିକ ହୋଇପାରିଛି ।
ବିଦୁ୍ୟତ ଯୋଗାଣ ସମ୍ପର୍କରେ ଶ୍ରୀ ସିଂହ ତଥ୍ୟ ପ୍ରଦାନ କରି କହିଲେଯେ, କଟକର ୩ ଡିଭିଜନ ମଧ୍ୟରୁ ସିଡ଼ିଡ଼ି୧ରେ ଆଜି ରାତି ସୁଦ୍ଧା ସମସ୍ତ ୧୧ କେଭି ଫିଡ଼ର କାର୍ଯ୍ୟକ୍ଷମ ହେବ । ସିଡ଼ିଡ଼ି ୨ରେ ୪୮ ଘଂଟା ମଧ୍ୟରେ ସମସ୍ତ ୧୧ କେଭି ଫିଡ଼ର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅପରପକ୍ଷରେ ସିଇଡ଼ି ଡିଭିଜନରେ ଗ୍ରାମୀଣ ଅଂଚଳ ଆସୁଥିବାବେଳେ ୨ଟି ୩୩ କେଭି ଫିଡ଼ର ଅଚଳ ହୋଇଯାଇଛି । ୧୨ ସୁଦ୍ଧା କଟକ ସହରର ସମସ୍ତ ଅଂଚଳରେ ବିଜୁଳି ଯୋଗାଣ ସ୍ୱାଭାବିକ ହେବାର ଥିବାବେଳେ ୧୫ ସୁଦ୍ଧା ଗ୍ରାମୀଣ ଅଂଚଳରେ ବିଦୁ୍ୟତ ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି ।
ସେହିପରି ଭୁବନେଶ୍ୱରର ବିସିଡ଼ିଡ଼ି-୧ ଡିଭିଜନରେ ସମସ୍ତ ଫିଡ଼ର କାର୍ଯ୍ୟକ୍ଷମ ହୋଇଥିବାବେଳେ ବିସିଡ଼ିଡ଼ି-୨ ଡିଭିଜନରେ ୬୬ରୁ ୪୫ଟି ଫିଡ଼ର ସଚଳ ହୋଇଛି । ତେବେ ବିଇଡ଼ି ଡିଭିଜନରେ ଗ୍ରାମୀଣ ଅଂଚଳ ରହିଛି । ଇତିମଧ୍ୟରେ ଏହି ଡିଭିଜନର ୨୧ଟି ୧୧ କେଭି ଫିଡ଼ର କାର୍ଯ୍ୟକ୍ଷମ ଥିବାବେଳେ ଆଉ ୫ଟି ଫିଡ଼ର ଆଜି ସଚଳ ହୋଇଯିବ । ଗାଏମୋଟ ୧୦ ମଧ୍ୟରାତ୍ର ସୁଦ୍ଧା ଭୁବନେଶ୍ୱରର ୮୦% ଓ ୧୨ ମଧ୍ୟରାତ୍ର ସୁଦ୍ଧା ସମସ୍ତ ଅଂଚଳକୁ ବିଜୁଳି ଯୋଗାଣ କରିବାର ଲକ୍ଷ୍ୟ ରହିଛି ।
ଏତଦବ୍ୟତୀତ ଘରକୁ ଘର ବୁଲି ୨୧୯ ଜଣ ଆଇଆଇଟି ପିଲା ଓ ୨୪ ଜଣ ଇନଷ୍ଟ୍ରକ୍ଟର ଲୋକମାନଙ୍କ ବିଜୁଳି ଓ ପାନୀୟ ଜଳ ସଂଯୋଗ ସଜାଡ଼ିବା ପାଇଁ କାର୍ଯ୍ୟାରମ୍ଭ କରିଛନ୍ତି । ଖୁବଶୀଘ୍ର ଆଉ ୩୦୦ ଆଇଟିଆଇ ପିଲା ମଧ୍ୟ ଆସିବେ । ଆସନ୍ତାକାଲି ଠାରୁ କଟକରେ ସେମାନେ କାର୍ଯ୍ୟ କରିବେ । ସର୍ଭିସ ଲାଇନ ସଜାଡ଼ିବା ପାଇଁ ଆସନ୍ତାକାଲିଠାରୁ ବିଭିନ୍ନ ପ୍ରଭାବିତ ଅଂଚଳରେ ୭୫ ଲାଇନ ମ୍ୟାନ କାର୍ଯ୍ୟ କରିବେ ବୋଲି ଶ୍ରୀ ସିଂହ କହିଛନ୍ତି ।
ରିଲିଫ ସଂକ୍ରାନ୍ତରେ ସୂଚନା ଦେଇ ସେ କହିଲେଯେ, ପୁରୀରେ ୨୧୧୮୩୮ କୁଇଂଟାଲ ଚାଉଳ ଡ୍ୟାମେଜ ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ପୁରୁଣା ଷ୍ଟକ ବଦଳରେ ନୂଆ ଷ୍ଟକ ଚାଉଳ ଦେବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଇତିମଧ୍ୟରେ ପୁରୀକୁ ୪୦ ହଜାର କୁଇଂଟାଲ ଚାଉଳ ପହଁଚି ସାରିଥିବାବେଳେ ଖୁବଶୀଘ୍ର ଆଉ ୧.୭ ଲକ୍ଷ କୁଇଂଟାଲ ଚାଉଳ ପଠାଯିବ । ଏଯାବତ ପ୍ରଭାବିତ ଅଂଚଳରେ ୨୪% ପ୍ରଭାବିତଙ୍କୁ ରିଲିଫ ସହାୟତା ବାବଦରେ ଅର୍ଥ ପ୍ରଦାନ କରାଯାଇଥିବାବେଳେ ୩୩.୫୯% ପ୍ରଭାବିତଙ୍କୁ ଚାଉଳ ବଂଟନ କରାଯାଇସାରିଛି । ତେବେ ୧୬.୮୯% ପ୍ରଭାବିତଙ୍କୁ ପଲିଥିନ ଯୋଗାଣ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି । ଆସନ୍ତା ୪ ଦିନ ମଧ୍ୟରେ ପୁରୀ ଜିଲ୍ଲାର ସମସ୍ତ ପ୍ରଭାବିତଙ୍କୁ ଚାଉଳ ମିଳିବ ବୋଲି ଶ୍ରୀ ସିଂହ ପ୍ରକାଶ କରିଛନ୍ତି ।
ମୋବାଇଲ ଯୋଗାଯୋଗ ସମ୍ପର୍କରେ ସେ କହିଲେଯେ, ଏବେ ଖୋର୍ଦ୍ଧାରେ ୪୨%, ପୁରୀରେ ୧୪% ଓ କଟକରେ ୫୬% ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇପାରିଛି । ଏହାଛଡ଼ା ପୁରୀରେ ଏୟାରଟେଲ ଓ ଜିଓ ପକ୍ଷରୁ ସେଲ ଅନ ହ୍ୱିଲର ବ୍ୟବସ୍ଥା କରାଯାଇଛି ।
ଫନି ଦ୍ୱାରା ମତ୍ସ୍ୟସମ୍ପଦ ପ୍ରଭାବିତ ହେବା ସହ ମତ୍ସ୍ୟଜୀବୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ବାତ୍ୟା ଯୋଗୁଁ କେବଳ ପୁରୀର ୪୭ ଶହ ଡଙ୍ଗା କ୍ଷତିଗ୍ରସ୍ତ ହୋଇଥିବାବେଳେ ଚିଲିକାରେ ୧୫ ଶହ ଡଙ୍ଗା ନଷ୍ଟ ହୋଇଛି । ସେହିପରି ୧୦ କୋଟିରୁ ଉଦ୍ଧ୍ୱର୍ ମୂଲ୍ୟର ମତ୍ସ୍ୟ ଭିତିଭୂମି ନଷ୍ଟ ହୋଇଥିବା ଆକଳନ କରାଯାଇଛି ବୋଲି ଶ୍ରୀ ସିଂହ ପ୍ରକାଶ କରିଥିଲେ ।