କଂଗ୍ରେସ ସହ ବୁଝାମଣା କରିବେ କେସିଆର !

କଂଗ୍ରେସ ସହ ବୁଝାମଣା କରିବେ କେସିଆର !

ନୂଆଦିଲ୍ଲୀ: କେନ୍ଦ୍ରରେ ଅଣ କଂଗ୍ରେସ ଏବଂ ଅଣବିଜେପି ସରକାର ଗଠନ ପାଇଁ ଜୋରଦାର ପ୍ରୟାସ ଚଳାଇଥିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ଏବେ ତାଙ୍କ ରଣନୀତିରେ ପରିବର୍ତନ କରିଛନ୍ତି । କଂଗ୍ରେସକୁ ଏହି ତୃତୀୟ ବିକଳ୍ପରୁ ଦୂରେଇ ରଖିବା ପାଇଁ ପୂର୍ବରୁ କେସିଆର ଦୃଢ଼ମତ ପୋଷଣ କରୁଥିବା ବେଳେ ଏବେ କଂଗ୍ରେସକୁ ସାମିଲ କରିବାକୁ ସଂକେତ ଦେଇଛନ୍ତି । ଏହି ପ୍ରକି୍ରୟାରେ ଜେଡିଏସ ମଧ୍ୟସ୍ଥି ସାଜିବ ଏବଂ କଂଗ୍ରେସ ମଧ୍ୟ ଏହି ମେଂଟରେ ସାମିଲ ହେବା ପାଇଁ ସବୁ ପ୍ରୟାସ ହେବ ବୋଲି ଜେଡିଏସର ଜଣେ ବରିଷ୍ଠ ନେତା କହିଛନ୍ତି । କେସିଆର ମଧ୍ୟ ଝୁଲା ଲୋକସଭା ସ୍ଥିତିରେ କଂଗ୍ରେସକୁ ମେଂଟରେ ସାମିଲ କରିବା ପାଇଁ ଭିତିରି ଆଲୋଚନା ଆରମ୍ଭ କରିଥିବା ଜଣାପଡ଼ିଛି । ମେ’ ୨୩ ପରବର୍ତୀ ବୁଝାମଣାରେ କଂଗ୍ରେସକୁ ବାଦ ଦେଇ କୌଣସି ସାମ୍ମୁଖ୍ୟ ଗଠନ ହୋଇପାରିବ ନାହିଁ ବୋଲି ଅନୁଭବ କରିବା ପରେ କେସିଆର ତାଙ୍କ ରଣନୀତିରେ ପରିବର୍ତନ କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ସହ କେସିଆର ଆଲୋଚନା କରିବା ସହ ୧୯୯୬ ଫର୍ମୁଲା ଆଧାରରେ ପ୍ରୟାସ ଆଗକୁ ବଢ଼ାଇବାକୁ ଗୁରୁତ୍ୱାରୋପ କରିଥିଲେ । ଏହି ଫର୍ମୁଲା କାର୍ଯ୍ୟକାରୀ ହେଲେ ଅଣକଂଗ୍ରେସ ଏବଂ ଅଣବିଜେପି ପ୍ରଧାନମନ୍ତ୍ରୀ ଦେଶରେ ସମ୍ଭବ ହେବ ବୋଲି କେସିଆର କହିଥିଲେ । ତେବେ ୟୁପିଏକୁ ବାଦ ଦେଇ ଏହି ମେଂଟ ଗଠନ ଅବାସ୍ତବ ବୋଲି ମତ ଉଠିବା ପରେ ଏବେ କେସିଆର କଂଗ୍ରେସକୁ ସାମିଲ କରିବା ପାଇଁ ଯୋଜନା କରିଛନ୍ତି । ତେବେ ଦକ୍ଷିଣ ଭାରତରୁ ପ୍ରଧାନମନ୍ତ୍ରୀ କରାଯିବାକୁ ଏହି ପ୍ରକି୍ରୟାରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏଥିପାଇଁ ମେ’ ୨୩ ଲୋକସଭା ନିର୍ବାଚନ ପରିଣାମ ଆସିବା ପରେ ଏ ଦିଗରେ ମିଳିତ ରଣନୀତି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।