ପଶ୍ଚିମବଙ୍ଗ ରାଜନୀତିର ନୂଆ ମୋଡ; ବିଜେପିକୁ ସିପିଏମର ସମର୍ଥନ !
ପଶ୍ଚିମବଙ୍ଗ ରାଜନୀତିର ନୂଆ ମୋଡ; ବିଜେପିକୁ ସିପିଏମର ସମର୍ଥନ !
admin
May 11, 2019 - 04:35
Updated: May 11, 2019 - 04:35
କୋଲକାତା : ବାମପନ୍ଥୀ ନେତାମାନଙ୍କର ପରମ ଶତ୍ରୁ ହେଉଛି ବିଜେପି । ବିଜେପିକୁ ସେମାନେ ସାମ୍ପ୍ରଦାୟିକ ଶକ୍ତି ଭାବେ ଅଭିହିତ କରୁଥିବାବେଳେ କ୍ଷମତାରୁ ଦୂରରେ ରଖିବା ପାଇଁ ପ୍ରୟାସ କରିବାରେ ହେଳା କରନ୍ତି ନାହିଁ । ବିଜେପିକୁ ହଟାଇବା ପାଇଁ ସମ୍ପ୍ରତି ବାମପନ୍ଥୀ ଦଳଗୁଡ଼ିକ ନିମନ୍ତେ କୌଣସି ଦଳ ଅସ୍ପୃଶ୍ୟ ମଧ୍ୟ ନାହାନ୍ତି । ବାମପନ୍ଥୀ କର୍ମୀମାନେ ବି ବିଜେପିକୁ ଶାଣିତ ଭାବେ ସମାଲୋଚନା କରୁଥିବା ଦେଖିବାକୁ ମିଳେ । କିନ୍ତୁ ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି । ଯଦିଓ ବିଜେପିକୁ ସିପିଏମ ସମର୍ଥନ କରୁନାହିଁ ହେଲେ ଏହାର କର୍ମୀମାନେ ବିଜେପିକୁ ସମର୍ଥନ କରୁଥିବା କୁହାଯାଉଛି । ଯାହା ଏବେ ଉଭୟ ବାମପନ୍ଥୀ ଓ ତୃଣମୂଳ କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି ।
ଜାତୀୟସ୍ତରରେ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ବାମପନ୍ଥୀଙ୍କ ମୁଖ୍ୟ ଶତ୍ରୁ ହେଉଛି ବିଜେପି । କିନ୍ତୁ ପଶ୍ଚିମବଙ୍ଗରେ ବାମପନ୍ଥୀମାନେ ତୃଣମୂଳ କଂଗ୍ରେସକୁ ହିଁ ପ୍ରମୁଖ ଶତ୍ରୁ ଭାବେ ବିବେଚନା କରୁଛନ୍ତି । ଏବେ ସେଠାରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଟକ୍କର ହେଉଥିବା ଲକ୍ଷ୍ୟ କରାଯାଉଛି । ବିଜେପି ଆଗକୁ ବଢ଼ୁଥିବାରୁ ଏହାକୁ ନେଇ ସିପିଏମ କର୍ମୀମାନେ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି । ଟିଏମସିକୁ ପରାସ୍ତ କରିବା ପାଇଁ ସିପିଏମ କର୍ମୀମାନେ ବିଜେପିକୁ ନୀରବ ସମର୍ଥନ ଦେଉଥିବା ଚର୍ଚ୍ଚା ହେଉଛି । ଅନେକ ଅଂଚଳରେ ବୁଥ ଏବଂ ୱାଡର଼୍ସ୍ତରରେ ସିପିଏମ କର୍ମୀମାନଙ୍କୁ ଟିଏମସି କର୍ମୀମାନେ ଧମକଚମକ ଦେଉଥିବାରୁ ସେମାନେ ବିଜେପିକୁ ପୁଲିଂ ବୁଥ ପରିଚାଳନା ସହ ଘରକୁ ଘର ବୁଲି ପ୍ରଚାରରେ ସହଯୋଗ କରୁଥିବା ଦେଖିବାକୁ ମିଳୁଛି । ଏନେଇ ମମତା ନିଜ ଦଳୀୟ କର୍ମୀଙ୍କୁ ସତର୍କ ରହିବାକୁ ଚେତାଇ ଦେଇଛନ୍ତି ।
ତେବେ ଏଭଳି ନୂଆ ସମୀକରଣ ବାମପନ୍ଥୀ ନେତାମାନଙ୍କୁ ଅଡ଼ୁଆରେ ପକାଇ ଦେଇଛି । ବିଜେପିକୁ ସମର୍ଥନ କଲେ ସେମାନେ ତ୍ରିପୁରାରେ ଯେଉଁଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ପଶ୍ଚିମବଙ୍ଗରେ ମଧ୍ୟ ତାହାର ପୁନରାବୃତି ଘଟାଇବେ ବୋଲି ସିପିଏମ ନେତାମାନେ ସତର୍କ କରାଇ ଦେଇଛନ୍ତି ।