ମା ବୁଢ଼ୀ ଠାକୁରାଣୀ ଯାତ୍ରା ଉଦଯାପିତ

ମା ବୁଢ଼ୀ ଠାକୁରାଣୀ ଯାତ୍ରା ଉଦଯାପିତ

ମା ବୁଢ଼ୀ ଠାକୁରାଣୀ ଯାତ୍ରା ଉଦଯାପିତ
ଗଞ୍ଜାମ : ଦୀର୍ଘ ଏକ ମାସ ବ୍ୟାପୀ ଆୟୋଜିତ ବ୍ରହ୍ମପୁର ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଆଜି ଉଦଯାପିତ ହୋଇଯାଇଛି । ଗତକାଲି ମଧ୍ୟରାତ୍ରରେ ମା’ ବୁଢ଼ୀ ଠାକୁରାଣୀ ପିତ୍ରାଳୟରୁ ଭାର ଓ ପଟୁଆର ସହିତ ନିଜ ପୂର୍ବ ଆସ୍ଥାନ ତଥା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଆଲୋକ ରୋଷଣୀ, ଶଙ୍ଖ, ହୁଳହୁଳି, ବାଜା ବାଜଣା ସହ ଏକ ବିରାଟ ପଟୁଆରରେ ନିଜ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ ମା । ଏହି ଅବସରରେ ମା’ ବିଭିନ୍ନ ସାହି ପରିକ୍ରମା କରି ଆଜି ପ୍ରତ୍ୟୁଷରେ ମନ୍ଦିରରେ ବିରାଜମାନ କରିଥିଲେ । ମା’ ଙ୍କର ମୁଖ୍ୟ ଘଟ ସହିତ ଅନ୍ୟ ୮ଟି ଘଟକୁ ମଧ୍ୟ ଦେବାଙ୍ଗୁଲୁ ପରିବାରର ମହିଳା ମାନେ ମସ୍ତକରେ ଧାରଣ କରି ମନ୍ଦିରରେ ପହଂଚି ଥିଲେ । ଏତଦ୍ ବ୍ୟତୀତ ମାନସିକଧାରୀ ଶହ ଶହ ମହିଳା ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ମାଗଣା ଭୋଜନ ବ୍ୟବସ୍ଥା, ମିଷ୍ଟାନ୍ନ, ଥଣ୍ଡା ପାନୀୟ ବ୍ୟବସ୍ଥା କରାଯାଇଥିଲା । ସହରର ବିଭିନ୍ନ ସାହିରେ ଆକର୍ଷଣୀୟ ମୂର୍ତି ଓ ମେଢ଼ ପ୍ରସ୍ତୁତ କରାଯାଇଥିଲା । ଯାହାକି ବେଶ୍ ଚିତାକର୍ଷକ ଥିଲା । ବିଭିନ୍ନ ସ୍ଥାନରେ ରଙ୍ଗିନ ଆଲୋକ ସଜ୍ଜା ସାଙ୍ଗକୁ ତିନୋଟି ମୀନା ବଜାର ଦର୍ଶକଙ୍କ ମନ ମୋହିଥିଲା । ଏହାକୁ ଦେଖିବାକୁ ଏଠାରେ ପ୍ରବଳ ଜନସମାଗମ ହୋଇଥିଲା । ପୋଲିସ, ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯାତ୍ରୀଙ୍କ ଦର୍ଶନ ନିମନ୍ତେ ସୁବନ୍ଦୋବସ୍ତ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମା’ ବୁଢ଼ୀ ଠାକୁରାଣୀଙ୍କ ଏହି ଯାତ୍ରା ପ୍ରତି ଦୁଇ ବର୍ଷରେ ଥରେ ପଡେ । ଯାହାକୁ ନେଇ ଭକ୍ତ ମନରେ ବେଶ୍ ଉତ୍ସାହ ବ୍ୟଗ୍ରତା ଭରି ରହିଥାଏ ।