ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା :ଫୁଲବାଣୀରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା :ଫୁଲବାଣୀରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ
admin
Oct 17, 2019 - 09:48
Updated: Oct 17, 2019 - 09:48
ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଫୁଲବାଣୀରେ ପ୍ରତିଷ୍ଠା ହେବ ସରକାରୀ ମେଡିକାଲ କଲେଜ । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପରିସରରେ ଏହି ନୂଆ ମେଡିକାଲ କଲେଜ ଖୋଲିବ । ଏଠାରେ ରୋଗୀଙ୍କ ପାଇଁ ରହିବ ୫ ଶହ ଶଯ୍ୟା । ୭୪ ତମ ଜନ୍ମ ଦିନରେ ଏହି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ‘ମୋ ସରକାର’ ଟିମ୍ ପରିଦର୍ଶନ କରିଥିବା ୬ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମଧ୍ୟ ଉନ୍ନତିକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ଆଜିଠୁ ୭୪ ବର୍ଷ ଚାଲିଲା । ‘ଫୋନି’ ପାଇଁ ନବୀନ ଜନ୍ମଦିନ ପାଳିଲେନି । ମାତ୍ର ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଆଖିରେ ରଖି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସହ ଭିତ୍ତିଭୂମି ବଢ଼ାଇବାକୁ ଜନ୍ମଦିନରେ ନୂଆ ଘୋଷଣା କରିଛନ୍ତି । ଲୋକସେବା ଭବନରେ ଗଣମାଧ୍ୟମକୁ ସୂଚନା ଦେଇ ନବୀନ କହିଲେ, ଅବିଭକ୍ତ ପୁରୁଣା ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ସରକାରଙ୍କ ଇଚ୍ଛା । ଏଥିପାଇଁ ସରକାର ଉଦ୍ୟମ କରୁଛନ୍ତି । ଫୁଲବାଣୀ ସଦରମହକୁମା ହସ୍ପିଟାଲ କ୍ୟାମ୍ପସରେ ଏହି ନୂଆ ମେଡିକାଲ କଲେଜ ଖୋଲିବ । ଏ ନେଇ ସରକାର ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବେ । ବୌଦ୍ଧ ଜିଲ୍ଲା ପାଇଁ ନୂଆ ଜିଲ୍ଲା ହସ୍ପିଟାଲ ନିର୍ମାଣ କରାଯିବ ।
ମୁଖ୍ୟମନ୍ତ୍ରୀ କହିଲେ ‘ମୋ ସରକାର’ ଟିମ୍ ଦ୍ୱିତୀୟ ପର୍ଯ୍ୟାୟରେ ୬ ଜିଲ୍ଲା ପରିଦର୍ଶନ କରିଥିଲା । ଏହି ଟିମର ପ୍ରଦତ୍ତ ରିପୋର୍ଟ ଅଧୀନରେ ଏ ନିଷ୍ପତ୍ତି ହୋଇଛି । ଏହା ଛଡ଼ା ଟିମ୍ ପରିଦର୍ଶନ କରିଥିବା ନୂଆପଡ଼ା, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମିଳିବାକୁ ଥିବା ଏହି ଅର୍ଥ ରୋଗୀଙ୍କ କଲ୍ୟାଣରେ ଖର୍ଚ୍ଚ କରାଯିବ । ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟମାନଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ କରାଯିବ । ରକ୍ତଦାନକୁ ଉତ୍ସାହିତ କରିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକମାନଙ୍କୁ ସରକାର ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।
ନୀବନଙ୍କ ଘୋଷଣା ଅନୁସାରେ, ବୌଦ୍ଧ ଜିଲ୍ଲାରେ ୨ ଶହ ବେଡର ନୂଆ ସଦର ମହକୁମା ହସ୍ପିଟାଲ ନିର୍ମାଣ କରାଯିବ । ଏଥିପାଇଁ ଆସନ୍ତା ମାସକ ମଧ୍ୟରେ ଜମି ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯିବ । ଜିଲ୍ଲା ମୁଖ ହସ୍ପିଟାଲକୁ ଗୋଟିଏ ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଫି ମିଳିବ । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ହରଭଙ୍ଗା ବ୍ଲକ ଯାଇ କିଡନୀ ରୋଗର କାରଣ ସମ୍ପର୍କରେ ଅନୁଧ୍ୟାନ କରିବେ । ସେହିଭଳି ନୟାଗଡ଼ ଜିଲ୍ଲା ହସ୍ପିଟାଲର ରୋଗୀ ଶଯ୍ୟା ସଂଖ୍ୟା ୨୫୦ କୁ ବୃଦ୍ଧି କରାଯିବ ।
କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏଠାରେ ୧୦୦ ରୋଗୀ ଶଯ୍ୟା ସଂଖ୍ୟା ବିଶିଷ୍ଟ ଏକ ନୂଆ କୋଠା ନିର୍ମାଣ ହେବ । ଏ ଡିଏଚଏଚକୁ ୩ଟି ଆମ୍ବୁଲାନ୍ସ ଓ ଦୁଇଟି ମହାପ୍ରୟାଣ ଗାଡ଼ି ଦେବେ ସରକାର । ରାୟଗଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭିତ୍ତିଭୂମି ବଢ଼ାଇବାକୁ ସରକାର ଅଣ୍ଟା ଭିଡିଛନ୍ତି । ଏ ହସ୍ପିଟାଲକୁ ରୋଗୀ କଲ୍ୟାଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ୪ଟି ଆମ୍ବୁଲାନ୍ସ ଓ ଦୁଇଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦେବେ । କାଶୀପୁର ସିଏଚସିକୁ ପାନୀୟ ଜଳ ଯୋଗାଣ ସହ ଶୀଘ୍ର ଷ୍ଟାଫ କ୍ୱାର୍ଟର୍ସ ନିର୍ମାଣ କରାଯିବ । ନୂଆପଡ଼ା ଜିଲ୍ଲା ସଦରମହକୁମା ହସ୍ପିଟାଲକୁ ଜରୁରୀକାଳୀନ ସେବା ପାଇଁ ରାଜ୍ୟ ସରକାର ଗୋଟିଏ ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡ଼ି ଦେବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।