ଯୌତୁକ ଦାବିରେ ବିଧବା ବୋହୂକୁ ଜାଳିଦେଲା ଶାଶୂ
ଯୌତୁକ ଦାବିରେ ବିଧବା ବୋହୂକୁ ଜାଳିଦେଲା ଶାଶୂ
admin
Feb 10, 2021 - 13:13
Updated: Feb 10, 2021 - 13:13
କେନ୍ଦୁଝର: ଯୌତୁକ ଦାବିରେ ବିଧବା ବୋହୂକୁ ନିଅାଁ ଲଗାଇ ଦେଇଛି ଶାଶୂ । ଘଟଣା କେନ୍ଦୁଝର ସଦର ଥାନା ଅନ୍ତର୍ଗତ, କାଠବାଉଁଶୁଳୀ ଗ୍ରାମରେ ଘଟିଛି । ସୋମବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା ସଖି ମାଧ୍ୟମରେ ଥାନାରେ ଅଭିଯୋଗ କରିଛନ୍ତି ମୃତୁ୍ୟ ସହ ସଂଗ୍ରାମ କରୁଥିବା ବୋହୂ ସସ୍ମିତା ବାରିକଙ୍କ ବାପା ଯୋଗେନ୍ଦ୍ର ମହାକୁଡ । ସଦର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ୯ବର୍ଷ ତଳେ ବାମବେରୀ ଥାନା, ବସନ୍ତପୁର ଗ୍ରାମର ଯୋଗେନ୍ଦ୍ର ମହାକୁଡଙ୍କ ଝିଅ ସସ୍ମିତା ସଦର ଥାନା, କାଠବାଉଁଶୁଳୀ ଗ୍ରାମର ସୁରଥ ବାରିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତାଙ୍କର ୭ ବର୍ଷର ପୁଅଟିଏ ଅଛି । ବିବାହ ପରେ ପରେ ଶାଶୂ ଘର ଲୋକେ ଯୌତୁକ ପାଇଁ ସସ୍ମିତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରି ଦେଇଥିବାବେଳେ ପରିବାରରେ ବିଶୃଙ୍ଖଳା ଲାଗି ରହିଥିଲା । ମାମଲା ଫାଣ୍ଡିକୁ ପହଁଚିଥିବାବେଳେ ପରବର୍ତୀ ସମୟରେ ଅପୋଷ ବୁଝାମଣା ହୋଇଥିଲା । କିନ୍ତୁ ୬ମାସ ତଳେ ସସ୍ମିତାଙ୍କ ସ୍ୱାମୀ ସୁରଥ ଦୁର୍ଘଟଣାରେ ଆରପାରିକି ଚାଲିଯିବା ପରେ ସସ୍ମିତାଙ୍କ ଉପରେ ଅତ୍ୟାଚାର ବଢ଼ିଥିଲା । ତାଙ୍କୁ ଘରୁ ତଡିଦେବା ପାଇଁ ମାରପିଟ କରୁଥିଲେ । ଗତ ୫ ତାରିଖ ସକାଳେ ଚୂଲି ପାଖରେ ବସି ପିଠା କରୁଥିବା ସମୟରେ ସସ୍ମିତାର ଶାଶୂ ସାଇବାଣୀ ବାରିକ ତାଙ୍କ ଦେହରେ ନିଅାଁ ଲଗାଇ ଦେଇଥିଲେ । ସସ୍ମିତା ଜୀବନ ବିକଳରେ ମୋତେ ରକ୍ଷା କରି ବୋଲି କହି ଘର ଭିତରୁ ବାହାରକୁ ଦୌଡିଥିଲେ । ତାଙ୍କ ଉପରେ ପରିବାର ଲୋକେ ପାଣି ଢ଼ାଳି ନିଅାଁ ଲିଭାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲାବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରିଥିଲେ । ସେଠାରେ ସସ୍ମିତା ମୃତୁ୍ୟ ସହ ସଂଘର୍ଷ କରୁଛନ୍ତି । କିନ୍ତୁ ବାପାଙ୍କ ନିକଟରେ ଘଟଣା ସମ୍ପର୍କରେ କହିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସଖି କେନ୍ଦ୍ରକୁ ଆସି ଝିଅ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି ଯୋଗେନ୍ଦ୍ର । ସ୍ୱାମୀଙ୍କୁ ହରାଇ ୭ ବର୍ଷର ପୁଅ ସହିତ ଦୁଃଖେ କଷ୍ଟେ ଦିନ କାଟୁଥିବା ସସ୍ମିତା ଏଭଳି ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ମୃତୁ୍ୟ ସହ ସଂଘର୍ଷ କରୁଥିବାବେଳେ ବାପଘର ଲୋକେ ଦୁଃଖର ମ୍ରିୟମାଣ ହୋଇପଡିଛନ୍ତି ।