ରଙ୍ଗ ବଦଳାଉଥିବା ‘ଶିବଲିଙ୍ଗ’

ରଙ୍ଗ ବଦଳାଉଥିବା ‘ଶିବଲିଙ୍ଗ’

ରଙ୍ଗ ବଦଳାଉଥିବା ‘ଶିବଲିଙ୍ଗ’
ରାଜସ୍ଥାନ ରାଜ୍ୟ ଧୈଲପୁର ଜିଲ୍ଲା ଚମ୍ବଲ ଘାଟି ଭାବେ ପରିଚିତ । କେବଳ ସେତିକି ନୁହେଁ, ଏଠାରେ ଥିବା ଏକ ଅଦ୍ଭୁତ ଶିବଲିଙ୍ଗ ଲାଗି ଏହି ସ୍ଥାନ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଏଠାରେ ଥିବା ଶିବଲିଙ୍ଗର ରଙ୍ଗ ଦିନକୁ ତିନି ଥର ବଦଳିଥାଏ । ଯେଉଁଥିପାଇଁ ଏହି ଶିବଲିଙ୍ଗ ପ୍ରତି ଶ୍ରଦ୍ଧାଳୁ ଏବଂ ଶିବଭକ୍ତମାନଙ୍କ ଆସ୍ଥା ଦୃଢ଼ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ବୈଜ୍ଞାନିକମାନେ ଏହାର କାରଣ ଜାଣିବା ଲାଗି ଚେଷ୍ଟା କରି ବିଫଳ ହୋଇଛନ୍ତି । ଅଚଳେଶ୍ୱର ନାମ ଥିବା ଅନେକ ଶୈବପୀଠ ଭାରତବର୍ଷରେ ରହିଛି । ମାତ୍ର ମଧ୍ୟପ୍ରଦେଶ ସୀମାବର୍ତ୍ତୀ ରାଜସ୍ଥାନ ରାଜ୍ୟ ଅନ୍ତର୍ଗତ ଧୈଲପୁର ଜିଲ୍ଲା ଅନ୍ତର୍ଗତ ଚମ୍ବଲ ଘାଟି ମଧ୍ୟରେ ଅବସ୍ଥିତ ରଙ୍ଗ ବଦଳାଉଥିବା ଅଚଳେଶ୍ୱର ମହାଦେବ ଶିବଲିଙ୍ଗଙ୍କ ମହିମା ଅବର୍ଣ୍ଣନୀୟ । ବିଶେଷ କରି ଏହି ଶିବଲିଙ୍ଗ ଦିନରେ ତିନି ଥର ରଙ୍ଗ ବଦଳାଇବା ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରୁଛି । ପୂର୍ବାହ୍ନ ସମୟରେ ଏହାର ରଙ୍ଗ ଲାଲ ରହୁଥିବା ବେଳେ ଦିପହରେ ଗେରୁଆ ଏବଂ ରାତିରେ ଶ୍ୟାମଳ ରଙ୍ଗ ଧାରଣ କରିଥାଏ । ଶିବଲିଙ୍ଗର ରଙ୍ଗ ବଦଳିବାକୁ ନେଇ ବିଭିନ୍ନ କିଂବଦନ୍ତିମାନ ରହିଛି । ସମ୍ପ୍ରତି ବୈଜ୍ଞାନିକମାନେ ଗବେଷଣା ଆଧାରରେ ଅନେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରିଥିଲେ ମଧ୍ୟ ଦୈବୀଶକ୍ତି ନିକଟରେ ହାର ମାନିଛନ୍ତି । ଧୈଲପୁର ଜିଲ୍ଲା ଅନ୍ତର୍ଗତ ଏହି ଶିବଲିଙ୍ଗକୁ ଲକ୍ଷ୍ୟ କଲେ ଏହାର ପ୍ରମାଣ ମିଳେ । ବାସ୍ତବରେ ଏହି ଶିବଲିଙ୍ଗ ହେଉଛି ଏକ ଅଦ୍ଭୁତ ଶିବଲିଙ୍ଗ । ଯେଉଁମାନେ ପ୍ରତ୍ୟକ୍ଷ ଭାବେ ଏହାକୁ ଦର୍ଶନ କରିଛନ୍ତି, ସେମାନେ ହିଁ ଶିବଲିଙ୍ଗର ଚମକ୍ରାରିତାକୁ ଉପଲବ୍ଧି କରିପାରିଛନ୍ତି । ଭଗବାନ ଅଚଳେଶ୍ୱର ମହାଦେବଙ୍କ ମନ୍ଦିରର ନିର୍ମାଣ ଅନେକ ପ୍ରାଚୀନ କାଳରୁ ହୋଇଥିବା ଅନୁମାନ କରାଯାଏ । ସେଠାକୁ ଯିବା ଲାଗି ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ଅନେକ ପରିଶ୍ରମ କରିବା ଲାଗି ପଡ଼ିଥାଏ । ଏହା ସତ୍ତ୍ୱେ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ଦୁର୍ଗମ ପଥ ଅତିକ୍ରମ କରି ଭଗବାନ ଅଚଳେଶ୍ୱର ମହାଦେବଙ୍କୁ ଦର୍ଶନ କରିଥାଆନ୍ତି । ବିଶ୍ୱାସ ରହିଛି, ଅବିବାହିତ ପୁଅ ଓ ଝିଅମାନେ ଏଠାକୁ ଆସି ଯାହା ମାନସିକ କରିଥାଆନ୍ତି, ତାହା ଅଚିରେ ପୂରଣ ହୋଇଥାଏ । ବିଶେଷ କରି କୁମାର ଏବଂ କୁମାରୀମାନେ ଏଠାକୁ ଆସି ଭଗବାନ ଅଚଳେଶ୍ୱରଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଇପ୍‌ସିତ ପ୍ରେମିକା ବା ପ୍ରେମିକଙ୍କୁ ଜୀବନ ସାଥୀ ରୂପେ ପ୍ରାପ୍ତ କରିଥାଆନ୍ତି । ଏଥିପାଇଁ ଏଠାରେ ପ୍ରତିଦିନ ଭିଡ଼ ପରିଲକ୍ଷିତ ହୋଇଥାଏ । ସମୟ ଥିଲା ଏହି ପବିତ୍ର ଶୈବପୀଠକୁ କାଁ ଭାଁ ଶ୍ରଦ୍ଧାଳୁମାନଙ୍କ ଆଗମନ ହେଉଥିଲା । କାରଣ ସେଠାକୁ ଯିବା ରାସ୍ତା ଜଙ୍ଗଲରେ ପରିପୂର୍ଣ୍ଣ ରହିବା ସହ ଦସୁ୍ୟମାନେ ଆକ୍ରମଣ କରିବାର ଭୟ ଥିଲା । ଏବେ କିନ୍ତୁ ଅନେକ ପରିବର୍ତ୍ତନ ଘଟିଛି । ସମ୍ପୃକ୍ତ ଅଞ୍ଚଳର ଅନେକ ବିକାଶ ଯୋଗୁଁ ପ୍ରତିଦିନ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।