ରାଇରଙ୍ଗପୁର(ସଂ) ନିର୍ବାଚନ ମଣ୍ଡଳୀ : ବିଜେପି, ବିଜେଡ଼ି ଓ ଜେଏମଏମ ପାଇଁ ସମ୍ମାନର ପ୍ରଶ୍ନ

ରାଇରଙ୍ଗପୁର(ସଂ) ନିର୍ବାଚନ ମଣ୍ଡଳୀ : ବିଜେପି, ବିଜେଡ଼ି ଓ ଜେଏମଏମ ପାଇଁ ସମ୍ମାନର ପ୍ରଶ୍ନ

ରାଇରଙ୍ଗପୁର(ସଂ) ନିର୍ବାଚନ ମଣ୍ଡଳୀ  : ବିଜେପି, ବିଜେଡ଼ି ଓ ଜେଏମଏମ ପାଇଁ ସମ୍ମାନର ପ୍ରଶ୍ନ
ବାରିପଦା : ରାଜନୀତି ଦୃଷ୍ଟି କୋଣରୁ ମୟୂରଭଞ୍ଜ ଜିଲ୍ଲାର ୨୮ନଂ-ରାଇରଙ୍ଗପୁର(ଏସଟି) ଆସନ ଅନେକ ଗୁରୁତ୍ୱ ବହନ କରିଥାଏ । ଆସନ୍ତା ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ସମୟରେ ନାମାଙ୍କନ ପତ୍ର ଦାଖଲ ଏପ୍ରିଲ ୨ରୁ ଆରମ୍ଭ ହୋଇଛି । ଏହା ଆସନ୍ତା ୯ରେ ଶେଷ ହେବ । ଏଥି ନିମନ୍ତେ ସମସ୍ତ ରାଜନୈତିକ ଦଳ ତତ୍ପର ହୋଇଉଠିଛନ୍ତି । ନିର୍ବାଚନ ମଣ୍ଡଳୀରେ ବିଜେପିରୁ ନବ ଚରଣ ମାଝି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡ଼ି ଓ ଜେଏମଏମ ସଜବାଜ ହେଉଛନ୍ତି । ଏହା ମଧ୍ୟରେ ଜେଏମଏମ ପକ୍ଷରୁ ଜାରି କରିଥିବା ପ୍ରାର୍ଥୀ ତାଲିକାକୁ ନେଇ ଦଳରେ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ରାଇରଙ୍ଗପୁର ଆସନ ନିମନ୍ତେ ସୁନାରାମ ଟୁଡ଼ୁଙ୍କ ନାମ ହଟା ଯାଇ ରାମଚନ୍ଦ୍ର ମୁର୍ମୁଙ୍କ ନାମ ଘୋଷଣା ହୋଇସାରିଛି । ଫଳରେ ଉକ୍ତ ବିଧାନସଭା କ୍ଷେତ୍ର ବିଜେଡ଼ି, ବିଜେପି ଓ ଜେଏମଏମ ନିମନ୍ତେ ସମ୍ମାନର ପ୍ରଶ୍ନ ପାଲଟିଛି । ବିଜେପି ଓ ଜେଏମଏମ ଦୁର୍ଗକୁ ଜୟ କରିବା ଓ ବିଜେଡ଼ି ରକ୍ଷା କରିବା ନିମନ୍ତେ ସ୍ୱତନ୍ତ୍ର ରଣକୌଶଳ ଓ ରଣନୀତି ପ୍ରସ୍ତୁତି ମାଧ୍ୟମରେ ସମରସଜ୍ଜା ଚଳାଇଥିବା ବେଳେ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ମୋଡ଼କୁ ପରଖିବା ସହଜ ମନେ ହେଉନାହିଁ । ସେମାନେ କେଉଁ ଆଡ଼କୁ ଢ଼ଳିବେ ତାହା ମଧ୍ୟ ଏକ ସସପେନ୍ସ ହୋଇପଡ଼ିଛି । ତେବେ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି, ବିଜେପି ଓ କଂଗ୍ରେସ-ଜେଏମଏମ ମେଂଟ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଏଥିରେ ମହାନ୍ତ ଓ ହୋ ସମ୍ପ୍ରଦାୟର ଭୋଟର ନିର୍ଣ୍ଣାୟକ ଭୂମିକା ନେବେ ବୋଲି ସୂଚନା ମିଳିଛି । ୨୦୧୪ ନିର୍ବାଚନରେ ରାଇରଙ୍ଗପୁର ଆସନକୁ ବିଜେଡ଼ି ଦଖଲ କରିଥିବା ବେଳେ ୨୦୦୦ ଓ ୨୦୦୪ ବିଜେଡ଼ି-ବିଜେପି ମେଂଟ ସରକାରରେ ବିଜେପି ଦଖଲରେ ରହିଥିଲା । ସେହିପରି ୨୦୦୯କୁ ମିଶାଇ ଏଠାରୁ କଂଗ୍ରେସ ୬ଥର, ଜନତା ପାର୍ଟି ୨, ସ୍ୱାଧୀନ, ଜେଏମଏମ, ଉକ୍ରଳ କଂଗ୍ରେସ, ଓ ଜନତାଦଳ ପ୍ରତ୍ୟେକେ ଥରେ ଲେଖାଏଁ ବିଜୟୀ ହୋଇଥିଲେ । ଏହାପରେ ୨୦୦୮ରେ ଓଡ଼ିଶା ବିଧାନସଭା ପୁର୍ନଗଠନ ସମୟରେ ବହଳଦା ନିର୍ବାଚନ ମଣ୍ଡଳୀ ଉଚ୍ଛେଦ ହୋଇଥିଲା ଏବଂ ବହଳଦା ବ୍ଲକ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିଲା । ୨୦୦୯ ନିର୍ବାଚନ ପୂର୍ବରୁ ଆସନ ବୁଝାମଣାକୁ କେନ୍ଦ୍ରକରି ବିଜେଡ଼ି ଓ ବିଜେପି ମଧ୍ୟରେ ଗଢ଼ି ଉଠିଥିବା ମଧୁଚନ୍ଦ୍ରିକାରେ ଭଟ୍ଟା ପଡ଼ିବାରୁ ବିଜେଡ଼ି ନିର୍ବାଚନ ମଣ୍ଡଳୀରେ ନିଜର ବଳ, ଶକ୍ତି ଓ ଲୋକପ୍ରିୟତାକୁ ଆକଳନ କରିନପାରି ନିର୍ବାଚନ ମଣ୍ଡଳୀକୁ ତାର ଭାଗୁଆଳି ଦଳ ଏନସିପି ହାତରେ ଟେକି ଦେଇଥିଲା ଏବଂ ଏନସିପି ପ୍ରାର୍ଥୀ କାଶିନାଥ ହେମ୍ବ୍ରମ ୧୨.୮୮ ପ୍ରତିଶତ ହାରରେ ୧୪,୮୨୮ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଶ୍ୟାମ ଚରଣ ହାଁସଦାଃ ୨୧.୫୩ ପ୍ରତିଶତ ହାରରେ ୨୪,୭୯୨ ଖଣ୍ଡ ଭୋଟ ପାଇ ୫ମୁଖୀ ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇଥିଲେ । ସେହିପରି ଜେଏମଏମ ପ୍ରାର୍ଥୀ ୧୭.୫୩ ପ୍ରତିଶତ ହାରରେ ୨୦,୧୯୦ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ଓ ବିଜେପି ପ୍ରାର୍ଥୀ ୧୫.୫୪ ପ୍ରତିଶତ ହାରରେ ୧୭,୮୯୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ସମୟରେ ୨୦୦୯ରେ ସ୍ୱାଧୀନ ପ୍ରାର୍ଥୀ ତଥା ଗତ ମାର୍ଚ୍ଚ ୧୫ରେ ନବୀନ ନିବାସରେ ବିଜେଡ଼ିର ହାତ ଧରିଥିବା ଓ ବହଳଦା ଆସନରୁ ୧୯୯୦ରେ ଆଜସୁଦ୍ଧା, ୧୯୯୫ରେ ଜେପିପିରୁ ନିର୍ବାଚିତ ହୋଇଥିବା ପୂର୍ବତନ ବିଧାୟକ ଖେଲାରାମ ମାହାଲି ୧୦.୮୬ ପ୍ରତିଶତ ହାରରେ ୧୨,୫୦୪ ଖଣ୍ଡ ଭୋଟ ପାଇ ପଂଚମ ସ୍ଥାନରେ ରହିଥିଲେ । ସେହିପରି ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଦଳର ନେତାଙ୍କ ଉପରେ ଆସ୍ଥା ହରାଇ କଂଗ୍ରେସ ଦଳରୁ ଆମଦାନୀ କରାଇ ସାଇବା ସୁଶୀଳ ହାଁସଦାଃଙ୍କୁ ପ୍ରାର୍ଥୀ କରାଇବା ପରେ ଚର୍ତୁମୁଖୀ ପ୍ରତିଦ୍ୱନ୍ଦିତାରେ ଶ୍ରୀ ହାଁସଦାଃ ୩୨.୭୨ ପ୍ରତିଶତ ହାରରେ ୫୧,୦୬୨ ଖଣ୍ଡ ଭୋଟ ପାଇ ଏବଂ ୧୫,୫୫୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ପରାସ୍ତ କରିଥିଲେ । ଶ୍ରୀମତୀ ମୁର୍ମୁ ୨୨.୭୬ ପ୍ରତିଶତ ହାରରେ ୩୫,୫୦୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ, ଜେଏମଏମ ୧୮.୪୮ ପ୍ରତିଶତ ହାରରେ ୨୮,୮୩୮ ଖଣ୍ଡ ଭୋଟ ପାଇ ତୃତୀୟ ଓ କଂଗ୍ରେସ ୧୨.୨୨ ପ୍ରତିଶତ ହାରରେ ୧୯,୦୭୫ ଖଣ୍ଡ ଭୋଟ ପାଇ ୪ର୍ଥ ସ୍ଥାନରେ ରହିଥିଲେ । ୨୦୧୪ ନିର୍ବାଚନ ବେଳେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସପକ୍ଷରେ ଅନ୍ତସ୍ରୋତ ପ୍ରବାହିତ ହେଉଥିବା କାରଣରୁ ରାଇରଙ୍ଗପୁର ଆସନରୁ ବିଜେଡ଼ି ପ୍ରାର୍ଥୀ ସାଇବା ସୁଶୀଳ ହାଁସଦାଃଙ୍କୁ ବିଧାୟକ ହେବାର ସୌଭାଗ୍ୟ ମିଳିପାରିଥିଲା । କିନ୍ତୁ ପରବର୍ତି ସମୟରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ବାରମ୍ବାର ତାଗିଦ ସତ୍ୱେ ବିଧାୟକ ଶ୍ରୀ ହାଁସଦାଃ ନିଜର ଅପାରଗତା କାରଣରୁ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ସୁଖଦୁଃଖରେ ସାମିଲ ହୋଇ ନପାରିବା ଫଳରେ ଜନତାଜନାର୍ଦ୍ଦନ ତାଙ୍କ ପ୍ରତି ପ୍ରକଟ କରିଥିବା ଆସ୍ଥା ଓ ବିଶ୍ୱାସକୁ ସେ ହରାଇ ବସିଲେ ଏବଂ ଜନସାଧାରଣ ଧିରେ ଧିରେ ତାଙ୍କ ନିକଟରୁ ଦୂରେଇ ଯିବାକୁ ବସିଲେ । ଦଳ ମଧ୍ୟରେ ଦେଖା ଦେଲା ଅସନ୍ତୋଷ ଓ ଏହା ଗୋଷ୍ଠୀ କନ୍ଦଳର ରୂପ ନେଲା । ବର୍ତମାନ ବିଜେଡ଼ିର ନେତାମାନେ ତାଙ୍କ ବିରୋଧରେ ସ୍ୱର ଉଠାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ସାଇବା ସୁଶୀଳଙ୍କ ଉପରେ ଆସ୍ଥା ହରାଇ ବିଜେଡ଼ିରେ ମିଶିଥିବା ପୂର୍ବତନ ବିଧାୟକ ଖାଲେରାମ ମାହାଲି ଓ କାଶିନାଥ ହେମ୍ବ୍ରମ, ବିଜେଡ଼ି ଦଳର ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଜଲେନ ନାଏକ ପ୍ରମୁଖଙ୍କୁ ଛାଡ଼ି କଂଗ୍ରେସରୁ ଆସି ବିଜେଡ଼ିରେ ମିଶିଥିବା ଏବଂ କଂଗ୍ରେସରେ ଥିବା ସମୟରେ ରାଇରଙ୍ଗପୁର ବ୍ଲକରେ ବ୍ଲକରେ ୨ଥର ଅଧ୍ୟକ୍ଷ ହୋଇଥିବା ଓ ଚଳିତ ଥର ପଂଚାୟତ ସମିତି ସଦସ୍ୟ ଥିବା ବାସନ୍ତୀ ମାର୍ଣ୍ଡିଙ୍କୁ ଦଳୀୟ ଟିକେଟ ଦେଇଛନ୍ତି । ଚଳିତ ନିର୍ବାଚନରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ନା ରହିଛି ନବୀନ ସୁନାମୀ ଅଥବା ମୋଦୀ ଲହରୀ । ଭୋଟରମାନେ ପ୍ରାର୍ଥୀ ଚୟନ, ପ୍ରାର୍ଥୀର ବ୍ୟକ୍ତିତ୍ୱ, ନେତୃତ୍ୱ , ଲୋକପ୍ରିୟତା ଓ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱାରୋପ କରିବା ସାଙ୍ଗକୁ ନୂଆ ମୁହଁ ଓ ଯୁବ ପ୍ରାର୍ଥୀମାନଙ୍କ ଉପରେ ଗୁରୁତ୍ୱାରୋପ କରୁଥିବାର ଜଣାପଡ଼ିଛି । ଏହି ଭଳି ପରିସ୍ଥିତିରେ ସଠିକ୍ ଓ ଯୋଗ୍ୟ ପ୍ରାର୍ଥୀ ଚୟନ ବିଜୟର ମାପକାଠି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି । ସେହିପରି ବିଜେପି ପଛରେ ପଡ଼ିଯାଇ ନାହିଁ । ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ ତଥା ପୂର୍ବତନ ମନ୍ତ୍ରୀ ଦୌପଦୀ ମୁର୍ମୁଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ହେଉଛି ରାଇରଙ୍ଗପୁର । ବିଭିନ୍ନ ସମୟରେ ରାଇରଙ୍ଗପୁର ଗସ୍ତରେ ଆସି ସ୍ଥାନୀୟ ଜନସାଧାରଣଙ୍କ ସହିତ ସୌହାର୍ଦ୍ଧ୍ୟପୂର୍ଣ୍ଣ ସମ୍ପର୍କସ୍ଥାପନ କରିଆସୁଛନ୍ତି । ପୁଣି ବିଜେପିର ଟାଣୁଆ ନେତା ମୟୂରଭଞ୍ଜ ପଶ୍ଚିମ ଜିଲ୍ଲା ସଭାପତି ନବୀନ ରାମ ଦଳୀୟ ସଂଗଠନକୁ ସଜାଡ଼ି ରଖିଛନ୍ତି । ନିର୍ବାଚନ ମଣ୍ଡଳୀରେ ରହିଥିବା ରାଇରଙ୍ଗପୁର ପୌରପରିଷଦ ସହ ୪ଟି ବ୍ଲକ ମଧ୍ୟରୁ ୨ଟି ବ୍ଲକ ଓ ୮ଟି ଜିଲ୍ଲାପରିଷଦ ଜୋନରୁ ୭ଟି ଜୋନକୁ ବିଜେପି ନିଜ ଦଖଲରେ ରଖିଛି । ତେଣୁ ନିର୍ବାଚନ ମଣ୍ଡଳୀରେ ବିଜେପିର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ପୂର୍ବତନ ନଗରପାଳ ନବ ଚରଣ ମାଝିଙ୍କ ବିଜୟ ସମ୍ଭାବନା ଅଧିକ ବୋଲି ବିଜେପି ପକ୍ଷରୁ ଦାବି କରାଯାଉଛି । ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଦଳୀୟ ସଂଗଠନ ବିଜେଡ଼ି ଓ ବିଜେପି ପରି ଅଧିକ ସୁଦୃଢ଼ ନଥିବା ସମୟରେ ରାଇରଙ୍ଗପୁର ଆସନ ଜେଏମଏମକୁ ଆସନ ବୁଝାମଣାରେ ଛାଡ଼ି ଦେଇଛି । ଏହି ସମୟରେ ଜେଏମଏମ ଦଳରେ ଟିକଟ ବଂଟନକୁ କେନ୍ଦ୍ର କରି ତୀବ୍ର ଅସନ୍ତୋଷ ଦେଖା ଦେବା ପରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ଜେଏମଏମ ତା’ର ପ୍ରାର୍ଥୀ ସୁନାରାମ ଟୁଡ଼ୁଙ୍କୁ ବଦଳାଇ ସାରସକଣା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ି କ୍ରମାଗତ ଭାବେ ୨୦୦୯, ୨୦୧୪ରେ ପରାସ୍ତ ହୋଇଥିବା ପୂର୍ବତନ ପ୍ରାର୍ଥୀ ତଥା ଜେଏମଏମ ଦଳର ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଏବଂ ଶ୍ରୀ ମୁର୍ମୁ ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି ।