ରାଜ୍ୟ ସରକାର ପରିସ୍ଥିତିକୁ ଗୁରୁତ୍ୱ ବଦଳରେ ହାଲୁକାଭାବେ ନେଉଛନ୍ତି : ପୃଥ୍ୱୀରାଜ ହରିଚନ୍ଦନ
ରାଜ୍ୟ ସରକାର ପରିସ୍ଥିତିକୁ ଗୁରୁତ୍ୱ ବଦଳରେ ହାଲୁକାଭାବେ ନେଉଛନ୍ତି : ପୃଥ୍ୱୀରାଜ ହରିଚନ୍ଦନ
admin
Apr 21, 2021 - 09:24
Updated: Apr 21, 2021 - 09:24
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ତେବେ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାକୁ ନେଇ ବିଜେପି ପକ୍ଷରୁ ସମାଲୋଚନା କରାଯାଇଛି । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ଏନେଇ ଟାର୍ଗେଟ କରିଛନ୍ତି ।
ସେ କହିଛନ୍ତି ଯେ, ରାଜ୍ୟ ସରକାର ପରିସ୍ଥିତିକୁ ଗୁରୁତ୍ୱ ବଦଳରେ ହାଲୁକାଭାବେ ନେଉଛନ୍ତି । ସଂକ୍ରମଣ ବଢିଥିବା ଅନ୍ୟ ରାଜ୍ୟରେ ବ୍ୟାପକ ଟେଷ୍ଟିଂ କରାଯାଉଛି । ଆମ ରାଜ୍ୟରେ କିନ୍ତୁ ଟେଷ୍ଟିଂ ହାର ବଢୁନି । ଟେଷ୍ଟିଂ ବଢୁନଥିବାରୁ ସଂକ୍ରମଣ ଭିତରେ ଭିତରେ ବଢିଚାଲିଛି । ରାଜ୍ୟ ସରକାର ଟେଷ୍ଟିଂ ହାର ବ୍ୟାପକ ଏବଂ ବ୍ୟାପ୍ତ କରିବା ଦରକାର । ଅକ୍ସିଜେନ ପର୍ଯ୍ୟାପ୍ତ ଅଛି ବୋଲି ସରକାର କହୁଛନ୍ତି । ତେବେ କେତେ ଅଛି ସେ ସମ୍ପର୍କରେ ସ୍ପଷ୍ଟ କରିବା ଦରକାର । କେନ୍ଦ୍ର ସରକାର ୫୬୭ ଭେଣ୍ଟିଲେଟର ଦେଇଥିଲେ । ତା’ର ଉପଯୋଗ ସ୍ପଷ୍ଟ କରାଯାଉ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଅନ୍ୟପଟେ ଡିଏମଇଟି ସିବିକେ ମହାନ୍ତିକହିଛନ୍ତି ଯେ, କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ରହିଛନ୍ତି । ଗତ ପିକ୍ ସମୟ ଅପେକ୍ଷା ଏବେ ପର୍ଯ୍ୟାପ୍ତ ଅକ୍ସିଜେନ ଷ୍ଟକ ରଖାଯାଇଛି । ବେଡ ଓ ଆଇସିୟୁ ମଧ୍ୟ ପର୍ଯ୍ୟାପ୍ତ ଅଛି । ୭୧ କୋଭିିଡ ହସ୍ପିଟାଲରୁ ୩୧ଟି ଚାଲିଛି । ୨୬ ପ୍ରତିଶତ ବେଡ, ୧୪.୧୮% ଆଇସିୟୁ ଓ ୧୦ ପ୍ରତିଶତ ଭେଣ୍ଟିଲେଟର ବ୍ୟବହୃତ ହୋଇଛି । ଏପ୍ରିଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ କରୋନା ପିକରେ ରହିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ କରୋନା ସ୍ଥିତି ଅତ୍ୟନ୍ତ ସାଂଘାତିକ ହେବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୮୫୧ ଜଣ କରୋନା ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୨୮୧୪ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୦୩୭ ଜଣ ଆକ୍ରାନ୍ତ ହୋଇଛନ୍ତି ।