ରାହୁଲଙ୍କ ହାତ ଧରିଲେ କହ୍ନେୟା, ରାଜସ୍ଥାନରୁ ଯିବେ ରାଜ୍ୟସଭା
ରାହୁଲଙ୍କ ହାତ ଧରିଲେ କହ୍ନେୟା, ରାଜସ୍ଥାନରୁ ଯିବେ ରାଜ୍ୟସଭା
ନୂଆଦିଲ୍ଲୀ : ଯୁବ ବାମନେତା କହ୍ନେୟା କୁମାର ଶେଷରେ କଂଗ୍ରେସରେ ଯୋଗ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କହ୍ନେୟା ଓ ଗୁଜୁରାଟର ଯୁବ ନେତା ଜିଗ୍ନେଶ ମେଭାନୀ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ଗତ କିଛିଦିନ ଧରି ଏନେଇ ଚର୍ଚ୍ଚା ହୋଇ ଆସୁଥିଲା । ଅପରପକ୍ଷରେ କହ୍ନେୟା କଂଗ୍ରେସରେ ସାମିଲ ହେବା ପୂର୍ବରୁ ସିପିଆଇ ତାଙ୍କୁ କଡ଼ା ସମାଲୋଚନା କରିଛି । ସିପିଆଇର ସେ ସଚିବ ପଦ ମାଗିବା ସହ ଟିକେଟ ବଂଟନ ଅଧିକାର ଚାହୁଁଥିଲେ ବୋଲି ସିପିଆଇ ପକ୍ଷରୁ କୁହାଯାଇଛି ।
ଅପରପକ୍ଷରେ କହ୍ନେୟା କୁମାରଙ୍କୁ କଂଗ୍ରେସ ରାଜ୍ୟସଭା ସାଂସଦ କରିବାକୁ ଚାହୁଁଛି । କହ୍ନେୟା ଭଲ ଡିବେଟ କରି ପାରୁଥିବାରୁ ତାଙ୍କୁ ରାଜ୍ୟସଭା ପଠାଇବାକୁ କଂଗ୍ରେସ ଯୋଜନା କରିଛି । ରାଜସ୍ଥାନରୁ ଆସନ୍ତା ବର୍ଷ ସେ ରାଜ୍ୟସଭାକୁ ଯିବେ ବୋଲି କୁହାଯାଉଛି । ସେହିପରି ଉତରପ୍ରଦେଶ ନିର୍ବାଚନରେ ବି କହ୍ନେୟାଙ୍କୁ ଷ୍ଟାର ପ୍ରଚାରକ କରାଯିବ ।
ଜଣେ ଛାତ୍ରନେତା ଭାବେ କହ୍ନେୟା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ସିପିଆଇରେ ଯୋଗଦେବା ସହ ବିହାରର ବେଗୁସରାଇ ଆସନରୁ ପ୍ରାର୍ଥୀ ହୋଇଥିଲେ ।
ସେହିପରି ମେଭାନୀ ରାଷ୍ଟ୍ରୀୟ ଦଳିତ ଅଧିକାର ମଂଚ ଗଢ଼ିଥିବାବେଳେ ଗତ ଗୁଜୁରାଟ ବିଧାନସଭା ନିର୍ବାଚନରେ ସ୍ୱାଧୀନ ଭାବେ ବାଜିମାତ କରିଥିଲେ । ସେତେବେଳେ କଂଗ୍ରେସ ତାଙ୍କୁ ସମର୍ଥନ ଦେଇଥିଲା ।




admin 