ମୋତେ ମୁକ୍ତି ଦିଅ: ନିରଞ୍ଜନ

ମୋତେ ମୁକ୍ତି ଦିଅ: ନିରଞ୍ଜନ

ମୋତେ ମୁକ୍ତି ଦିଅ: ନିରଞ୍ଜନ
ଭୁବନେଶ୍ୱର: ମୋତେ ମୁକ୍ତି ଦିଅ । ମୁଁ ପିସିସି ସଭାପତି ପଦରେ ରହିବାକୁ ଚାହୁଁନାହିଁ । ଏଭଳି କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ତାଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ କଂଗ୍ରେସ ନେତାଙ୍କ ମେଳି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଯେଉଁମାନେ ପିସିସି ସଭାପତି ହେବାକୁ ଚାହୁଁଛନ୍ତି ସେମାନେ ମୋତେ କୁହନ୍ତୁ । ମୁଁ ସେମାନଙ୍କ ନାମ ଏଆଇସିସିକୁ ସୁପାରିଶ କରିବି । ଅଯଥାରେ ଏମିତି ମେଳି କରି କଂଗ୍ରେସକୁ ଆଉ ତଳିତଳାନ୍ତ କରନ୍ତୁନି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, କଂଗ୍ରେସରେ ଏମିତି ମେଳି, ଚକ୍ରାନ୍ତ ନୂଆ ନୁହେଁ । ଏହା କଂଗ୍ରେସ ନେତାଙ୍କ ପୁରୁଣା ରୋଗ । ଯେଉଁମାନେ ପିସିସିରେ ପଦବୀ କି ଟିକେଟ ପାଇନଥିଲେ ସେମାନେ ଏମିତି କରୁଛନ୍ତି । ମୋତେ ପିସିସି ସଭାପତି ପଦବୀରୁ ବାହାର କରିବାକୁ ବୈଠକ କରିବା କିଛି ଦରକାର ନାହିଁ । ମୁଁ ଉକ୍ତ ପଦବୀରେ ରହିବାକୁ ଚାହୁଁନାହିଁ । ମୋତେ ମୁକ୍ତି ଦେଇ ପଦବୀ କିଏ ନେବ କହନ୍ତୁ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ପ୍ରକାଶ ଯେ, ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ କଂଗ୍ରେସ ନେତା ବାପି ସର୍ଖେଲଙ୍କ ନେତୃତ୍ୱରେ ନେତାମାନେ ମେଳି ବାନ୍ଧିଥିଲେ । ଏନେଇ ପାନ୍ଥ ନିବାସରେ ଅନୁଷ୍ଠିତ ବୈଠକରେ ବହୁ ନେତା ଏକାଠି ହୋଇଥିଲେ । ଏହି ଅବସରରେ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ପଦରୁ ହଟାଇ ତାଙ୍କ ସ୍ଥାନରେ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ନିଯୁକ୍ତ କରିବାକୁ ଦାବି କରାଯାଇଥିଲା । କାରଣ ନିରଞ୍ଜନ ପଟ୍ଟନାୟକ ଦଳକୁ ସଠିକ ନେତୃତ୍ୱ ଦେଇପାରୁନଥିବା ନେତାମାନେ ଅଭିଯୋଗ କରିଥିଲେ । ଏନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟି ଦାବି ଜଣାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।