ଲକଡାଉନରେ ମଧ୍ୟପ୍ରଦେଶକୁ ଫେରିଥିବା ଅଧା ଯୁବକ ବେକାର
ଲକଡାଉନରେ ମଧ୍ୟପ୍ରଦେଶକୁ ଫେରିଥିବା ଅଧା ଯୁବକ ବେକାର
admin
Nov 6, 2020 - 09:19
Updated: Nov 6, 2020 - 09:19
ଭୋପାଳ : ଲକଡାଉନରେ ମଧ୍ୟପ୍ରଦେଶକୁ ଫେରଥିବା ଯୁବକଙ୍କ ମଧ୍ୟରୁ ୫୬ ପ୍ରତିଶତ ଯୁବକଙ୍କ ନିକଟରେ ରୋଜଗାର ନାହିଁ । କେବଳ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶକୁ ଫେରିଥିବା ଯୁବକଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଛି । ସର୍ବେକ୍ଷଣ ଅନୁଯାୟୀ ୪୩ ପ୍ରତିଶତ ଲୋକ ବିଭିନ୍ନ ଯାଗାରେ କାମ କରୁଥିବା ବେଳେ ୨୨ ପ୍ରତିଶତ କୃଷି କ୍ଷେତ୍ରରେ ନିୟୋଜିତ ଅଛନ୍ତି । ତେବେ ଯେଉଁମାନେ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନଙ୍କୁ ମଧ୍ୟ ଅତି ନଗଣ୍ୟ ବେତନ ପ୍ରଦାନ କରାଯାଉଥିବା ଜଣାପଡିଛି । ୧୫୦୦ ଲୋକଙ୍କୁ ନେଇ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡିଛି କି ୬୭ ପ୍ରତିଶତ ଲୋକ ମେ ରୁ ଜୁନ ମଧ୍ୟରେ ରାଜ୍ୟକୁ ଫେରିଛନ୍ତି । ରାଜ୍ୟକୁ ଫେରିବା ପରେ ପ୍ରାୟ ୯୦ ପ୍ରତିଶତ ଲୋକଙ୍କ ନିକଟରେ କୌଣସି ସରକାରୀ ସହାୟତା ପହଞ୍ଚି ନାହିଁ । ୫୦ ଜଣ ସ୍ୱେଚ୍ଛାସେବୀଙ୍କୁ ଜେନିଥ ସୋସାଇଟି ଫର ସୋସିଓ ଲିଗାଲ ଏମପାୱାରମେଣ୍ଟ ପକ୍ଷରୁ ଏହି ସର୍ବେକ୍ଷଣ କରାଯାଇଥିଲା । ମଧ୍ୟପ୍ରଦେଶ ପ୍ରବାସୀ ଶ୍ରମିକ ପ୍ରୋଜେକ୍ଟ ନାମରେ ଏହି ରିପୋର୍ଟ ପ୍ରକାଶ ପାଇଛି ।
ସର୍ବେକ୍ଷଣ କରୁଥିବା ଟିମରେ ଓଡିଶା ଆଇନ ବିଶ୍ୱ ବିଦ୍ୟାଳୟର ଛାତ୍ରୀ ରକ୍ଷିତା ଅଗ୍ରୱାଲ ମଧ୍ୟ ରହିଛନ୍ତି । ଅଗ୍ରୱାଲ କହିଛନ୍ତି , ଏହି ରିପୋର୍ଟକୁ ରିପୋର୍ଟ ଭଳି ନୁହେଁ ବରଂ ପରିବର୍ତ୍ତନ ପାଇଁ ଏହାର ଉପଯୋଗ କରାଯିବା ଆବଶ୍ୟକ । ପ୍ରବାସୀଙ୍କ ମଧ୍ୟରୁ ୫୮ ପ୍ରତିଶତଙ୍କୁ ଆଣିବା ଖର୍ଚ୍ଚ ସରକାର ବହନ କରିଥିଲେ ମଧ୍ୟ ରୋଜଗାରକୁ ନେଇ ସରକାର ନୀରବ ରହିଛନ୍ତି । ସେହିପରି ଆଉ ଏକ ଅଧ୍ୟୟନରୁ ଜଣାପଡିଛି ୫୯ ପ୍ରତିଶତ ଶ୍ରମିକ ମହାରାଷ୍ଟ୍ର ଦୈନିକ ୩୦୦ରୁ ୫୦୦ ଟଙ୍କା ଆୟ କରୁଥିଲେ, ମାତ୍ର ଏହା ମଧ୍ୟରୁ ୪୯ ପ୍ରତିଶତ ଶ୍ରମିକଙ୍କ ଆୟ ଅଧାକୁ ଖସି ଯାଇଛି । ଆୟ ହ୍ରାସ ହେବା ଦ୍ୱାରା ଶ୍ରମିକଙ୍କ ଜୀବନ ଧାରଣ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହେଉଛି । ସେହିପରି ଏହି ଶ୍ରମିକଙ୍କ ମଧ୍ୟରୁ ୫୧.୭୯ ପ୍ରତିଶତ ଆଉ ବିଦେଶ ଯିବା ପାଇଁ ଇଚ୍ଛୁକ ନୁହନ୍ତି ।