ଶିବସେନା ନେତା ପଦରୁ ବହିଷ୍କୃତ ହେଲେ ଏକନାଥ ସିନ୍ଦେ
ଶିବସେନା ନେତା ପଦରୁ ବହିଷ୍କୃତ ହେଲେ ଏକନାଥ ସିନ୍ଦେ
ମୁମ୍ବାଇ: ଶିବସେନା ନେତୃତ୍ୱରେ ଚାଲିଥିବା ସରକାର ବିରୋଧରେ ବିଦ୍ରୋହ ଘୋଷଣା କରି ଏହାକୁ ଭାଙ୍ଗି ଦେଇଥିବା ଦଳର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ବିରୋଧରେ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ ବିଦ୍ରୋହ ପାଇଁ ଶ୍ରୀ ସିନ୍ଦେଙ୍କୁ ‘ଶିବସେନା ନେତା’ ପଦରୁ ବହିଷ୍କାର କରିଛନ୍ତି। ଏହାର ଅର୍ଥ ସିନ୍ଦେ ଆଉ ଶିବସେନାର କୌଣସି ସଂଗଠନ ସହ ଜଡ଼ିତ ରହିପାରିବେ ନାହିଁ।
ଶ୍ରୀ ସିନ୍ଦେ ମହାରାଷ୍ଟ୍ର ସରକାର ଭାଙ୍ଗିବାରେ ସହାୟତା କରିଥିବାରୁ ତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପଦ ଦେଇଛି। ସେ ଗୁରୁବାର ଶପଥ ନେବା ପରେ ଶୁକ୍ରବାର ରାତିରେ ଉଦ୍ଧବ ଠାକରେ ତାଙ୍କ ବିରୋଧରେ ଏପରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ ସିନ୍ଦେଙ୍କୁ ଉଦ୍ଧବ ଠାକରେ ଚିଠି ଲେଖି ଅବଗତ କରାଇଛନ୍ତି।
ଶିବସେନାରେ ବିଭିନ୍ନ ପ୍ରକାରର ନିଷ୍ପତ୍ତି ନେବାକୁ ଗୋଟିଏ ୧୧ ଜଣିଆ କମିଟି ରହିଛି। ଏହି ୧୧ ଜଣିଆ କମିଟିରେ ସିନ୍ଦେ ରହିଥିଲେ। ହେଲେ ଏବେ ତାଙ୍କୁ ବହିଷ୍କାର କରାଯାଇଛି। ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ୪୦ ଜଣ ବିଧାୟକ ମହାରାଷ୍ଟ୍ରରେ ଗଠନ ହୋଇଥିବା ମହା ବିକାଶ ଅଘାଡ଼ି ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ।
ଏହି ବିଦ୍ରୋହ ଯୋଗୁ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିଲେ। ଶେଷରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏବେ ସେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି।




admin 