ସଂସଦ ଅଧିବେଶନ ଅଗଷ୍ଟ ୭ ଯାଏଁ ବଢ଼ିଲା

ସଂସଦ ଅଧିବେଶନ ଅଗଷ୍ଟ ୭ ଯାଏଁ ବଢ଼ିଲା

ସଂସଦ ଅଧିବେଶନ ଅଗଷ୍ଟ ୭ ଯାଏଁ ବଢ଼ିଲା
ନୂଆଦିଲ୍ଲୀ: ସଂସଦ ଅଧିବେଶନ ଅଗଷ୍ଟ ୭ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଲୋକସଭାରେ ତିନି ତଲାକ ବିଲ୍ ପାରିତ ହେବା କ୍ଷଣି ସଂସଦୀୟ ବ୍ୟାପାର ମନ୍ତ୍ରୀ ଯୋଶୀ ଛିଡ଼ା ହୋଇ ବାଚସ୍ପତି ଓମ୍ ବିର୍ଲାଙ୍କୁ ସଂସଦ ଅଧିବେଶନକୁ ବୃଦ୍ଧି କରାଯାଇଥିବା କହିଥିଲେ । ନୂଆ ଦିଲ୍ଲୀରେ ଅନୁଷ୍ଠିତ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି (ସିସିପିଏ) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଉଲ୍ଲେଖ ଯୋଗ୍ୟ ସୂଚନା ଓ ପ୍ରସାରର ମନ୍ତ୍ରୀ ପ୍ରକାଶ ଜାଭଡେକର ବୁଧବାର କହିଥିଲେ, ସଂସଦୀୟ ଅଧିବେଶନ ଅଧିକ ଦିନ ଧରି ଜାରି ରହୁ ବୋଲି ବିରୋଧୀ ଦଳ ଗୁଡ଼ିକ ଦାବି କରୁଛନ୍ତି । ଆମେ ତାହା ହିଁ କରୁଛୁ । ଜୁନ ୧୭ ତାରିଖରେ ଆରମ୍ଭ ହୋଇଥିବା ସଂସଦ ଅଧିବେଶନ ଜୁଲାଇ ୨୬ ରେ ସରିବାର ଥିଲା । ଏବେ ଏହାକୁ ବୃଦ୍ଧି କରାଯିବା ଆବଶ୍ୟକ ବୋଲି ସେ କହିଥିଲେ । ସଂସଦ ବର୍ଷକୁ ଅତିକମରେ ୧୦୦ ଦିନ ଚାଲୁ ବୋଲି ବିରୋଧୀ ଦଳ ଦାବି କରୁଛନ୍ତି । ଏହାଛଡ଼ା ଷୋଡ଼ଶ ଲୋକସଭାରେ ଅନେକ ବିଲ୍ ପାରିତ ହୋଇଥିବା ବେଳେ ରାଜ୍ୟସଭାରେ ଅଟକି ରହିଥିଲା । ଷୋଡଶ ଲୋକସଭା ଅବଧି ଶେଷ ହୋଇଯିବାରୁ ସପ୍ତଦଶ ଲୋକସଭାରେ ବିଲ୍ଗୁଡ଼ିକୁ ପୁଣି ଆଗତ କରିବାକୁ ପଡ଼ିଛି । ୮୦% ବିଲ୍କୁ ସରକାର ପୁଣି ଆଗତ କରିଛନ୍ତି । ତେଣୁ ଏଗୁଡ଼ିକୁ ଉପରେ ଆଲୋଚନା କରାଯିବା ଜରୁରି ହୋଇପଡ଼ିଛି । ଏଥିପାଇଁ ଗୃହକାର୍ଯ୍ୟଅବଧି ବୃଦ୍ଧି କରାଯିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ ।