ସଂସଦରେ ଉଠିଲା ସ୍ମିତାରାଣୀ ପ୍ରସଙ୍ଗ

ସଂସଦରେ ଉଠିଲା ସ୍ମିତାରାଣୀ ପ୍ରସଙ୍ଗ

ସଂସଦରେ ଉଠିଲା ସ୍ମିତାରାଣୀ ପ୍ରସଙ୍ଗ
କଂଗ୍ରେସର ସିବିଆଇ ତଦନ୍ତ ଦାବି, ବିଜେଡିର ବିରୋଧ, ବିଜେପି ନିରବ, ରୂପେଶଙ୍କ ଜାମିନ ନାମଞ୍ଜୁର ନୂଆଦିଲ୍ଲୀ/ଯାଜପୁର : ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତୁ୍ୟ ମାମଲା ଶୁକ୍ରବାର ସଂସଦରେ ଉଠିଛି । ଅପରପକ୍ଷରେ ଏହି ଘଟଣାରେ ଗିରଫ ହୋଇ ଜେଲରେ ଥିବା ରୂପେଶ ଭଦ୍ରଙ୍କ ଜାମିନ ନାମଞ୍ଜୁର ହୋଇଯାଇଛି । ଲୋକସଭାର ଶୂନ୍ୟକାଳରେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ମାମଲାରେ ସିବିଆଇ ତଦନ୍ତ ଦାବି କରିଥିଲେ । ଏହି ପ୍ରସଙ୍ଗକୁ ଲୋକସଭାରେ ଉପସ୍ଥାପନ କରି ସପ୍ତଗିରି କହିଥିଲେ, ସ୍ମିତାରାଣୀଙ୍କ ମୃତୁ୍ୟର କାରଣ ଏବେ ବି ସନେ୍ଦହଜନକ ଅବସ୍ଥାରେ ରହିଛି ଓ ସ୍ପଷ୍ଟ ହାଇପାରିନାହିଁ । ସ୍ଥାନୀୟ ପୋଲିସ ଦ୍ୱାରା ଏହାକୁ ତଦନ୍ତ କରାଯାଉଛି ଏବଂ ତଦନ୍ତ ସମ୍ପୂର୍ଣ୍ଣ ନହେବା ପୂର୍ବରୁ ମୃତୁ୍ୟର କାରଣ ଆତ୍ମହତ୍ୟା ବୋଲି କୁହାଯାଇଛି । ଏହି ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଥିଲେ । ତେବେ, ବିଜେଡି ସାଂସଦମାନଙ୍କ ପକ୍ଷରୁ ଏହାର ଜୋରଦାର୍ ପ୍ରତିବାଦ ଓ ବିରୋଧ କରାଯାଇଥିଲା । ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର, ସାଂସଦ ଭର୍ତ୍ତୃହରି ମହତାବ, ଅନୁଭବ ମହାନ୍ତି ଏଭଳି ପ୍ରସଙ୍ଗ ଗୃହରେ ନଉଠାଇ ପାଇଁ ବାଚସ୍ପତି ଓମ ବିର୍ଲାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ନିୟମ ୩୬୭ ଅନ୍ତର୍ଗତ ପଏଣ୍ଟ ଅଫ୍ ଅର୍ଡର ଉଠାଇଥିଲେ । ସେ କହିଥିଲେ, ନିୟମ ୩୫୨ର ସବ୍କ୍ଲୋଜ (୧) ରେ ମାମଲା ବିଚରାଧୀନ ଥିବା ତଥା ସବ୍କ୍ଲୋଜ (୩) ରେ ଯଦି ଏହି ମାମଲା ବିଧାନସଭାରେ ଉଠିଛି, ତାହାହେଲେ ସଂସଦରେ ତାହା ଉଠାଯାଇ ପାରିବ ନାହିଁ ବୋଲି ବ୍ୟବସ୍ଥା ରହିଥିବାର ବାଚସ୍ପତିଙ୍କୁ ଅବଗତ କରାଇଥିଲେ । ଏ ସମ୍ପର୍କରେ ବାଚସ୍ପତି ଆଦେଶ ଦିଅନ୍ତୁ ବୋଲି ପିନାକୀ ଦାବି କରିଥିଲେ । ହେଲେ ଏନେଇ ବାଚସ୍ପତି ଅନୁଧ୍ୟାନ କରିବେ ବୋଲି କହିଥିଲେ । ଅପରପକ୍ଷରେ, ଶୁକ୍ରବାର ଯାଜପୁର ଜିଲ୍ଲା କୋର୍ଟରେ ରୂପେଶ ଭଦ୍ରଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା । ଜିଲ୍ଲାଜଜ୍ ବିରଞ୍ଚି ନାରାୟଣ ମିଶ୍ର ଉଭୟ ପକ୍ଷ ଓକିଲଙ୍କ ଯୁକ୍ତି ଓ ପୁଲିସ୍ ଦାଖଲ କରିଥିବା ସିଡି ରିପୋର୍ଟ ତର୍ଜମା କରି ରୂପେଶଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏହାପୂର୍ବରୁ ଚଣ୍ଡିଖୋଲ ଜେଏମ୍ଏଫ୍ସି କୋର୍ଟ ମଧ୍ୟ ରୂପେଶଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ସୂଚନାଯୋଗ୍ୟ ଯେ, ପିଇଓ ସ୍ମିତାରାଣୀଙ୍କ ଗତମାସ ୧୬ତାରିଖରେ ରୂପେଶଙ୍କ ରଙ୍ଗଶାଳାରେ ରହସ୍ୟଜନକ ଅବସ୍ଥାରେ ମୃତୁ୍ୟ ଘଟିଥିଲା । ଏହି ଘଟଣାରେ ଗିରଫ ରୂପେଶ ଏବେ ରଗଡ଼ି ଜେଲରେ ଅଛନ୍ତି ।