ସତର୍କ ନହେଲେ ରାଜ୍ୟରେ କରୋନା ସଂକ୍ରମଣ ୩୬ ହଜାର ଛୁଇଁପାରେ

ସତର୍କ ନହେଲେ ରାଜ୍ୟରେ କରୋନା ସଂକ୍ରମଣ ୩୬ ହଜାର ଛୁଇଁପାରେ

ସତର୍କ ନହେଲେ ରାଜ୍ୟରେ କରୋନା ସଂକ୍ରମଣ ୩୬ ହଜାର ଛୁଇଁପାରେ
ଭୁବନେଶ୍ୱର:ବିଦେଶରୁ ରାଜ୍ୟକୁ ଫେରିଥିବା ୩୮୬୧ ଜଣ ବ୍ୟକ୍ତି ୧୦୪ ସହାୟତା ନମ୍ବର ଓ ପୋର୍ଟାଲରେ ନିଜର ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୦ ଜଣ ବ୍ୟକ୍ତିଙ୍କ ନିକଟରେ କରୋନାର କିଛି ଲକ୍ଷଣ ରହିଥିବା ସନେ୍ଦହ କରାଯାଉଛି । ଏହା ନୁହେଁ ଯେ ସେମାନେ କରୋନା ଆକ୍ରାନ୍ତ ବା ପଜିଟିଭ । ସରକାର କିନ୍ତୁ ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଯାହା ପଦକ୍ଷେପ ଆବଶ୍ୟକ, ତାହା ରାଜ୍ୟ ସରକାର ଗ୍ରହଣ କରିବେ । ଏଭଳି ଚମକାଇ ଦେବା ଭଳି ତଥ୍ୟ ରାଜ୍ୟବାସୀଙ୍କ ସମ୍ମୁଖରେ ରଖିଛନ୍ତି କୋଭିଡ-୧୯ ପାଇଁ ନିଯୁକ୍ତ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ଯଦି ଲକ୍ ଡାଉନକୁ କଡ଼ାକଡ଼ି ନ କରାଯାଏ ତେବେ ଆସନ୍ତା ମେ ୩୧ ତାରିଖ ସୁଦ୍ଧା ଦେଶରେ ଅତିକମ୍ରେ ୫୮୬୪୩ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହେବେ । ବିଶ୍ୱାସ ଯୋଗ୍ୟ ଆକଳନ ଅନୁସାରେ ଏହା ୧୦ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ । ସେହିପରି ଓଡ଼ିଶାର ଲୋକସଂଖ୍ୟାକୁ ନଜରରେ ରଖିଲେ ଏହି ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅତିକମରେ ୨୩୪୫ ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହେବେ ଓ ଆକଳନ ଅନୁସାରେ ଏହି ସଂଖ୍ୟା ୩୬ ହଜାର ପହଞ୍ଚି ଯାଇପାରେ । ଆର୍ଥିକ କ୍ଷେତ୍ରରେ କରୋନାର ବ୍ୟାପକ ପ୍ରଭାବ ପଡ଼ିବ । ତେଣୁ ଏବେର ସମୟ ପ୍ରାଣ ବଞ୍ଚାଇବାର ସମୟ । ସେହିପରି ରାଜ୍ୟରେ ୧୧୦ଟି ନମୂନା କୋଭିଡ-୧୯ ପରୀକ୍ଷା ପାଇଁ ପଠାଯାଇଥିଲା । ତହିଁରୁ ୨ଟି ନମୂନା ପଜିଟିଭ ରହିଥିବା ବେଳେ କୌଣସି ନୂତନ ମାମଲା ସାମ୍ନାକୁ ଆସି ନାହିଁ । ଯେଉଁ ଦୁଇ ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଉଭୟ ହସ୍ପିଟାଲରେ ଦିଆଯାଉଥିବା ଖାଦ୍ୟ ଖାଉଛନ୍ତି । ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଏବେ ସୁଦ୍ଧା ୫୭ ଜଣ ଆସିଥିବା ତଥ୍ୟ ମିଳିଛି । ସେମାନଙ୍କ ମଧ୍ୟରୁ ୫୪ ଜଣଙ୍କ ସହ ଯୋଗାଯୋଗ ହୋଇପାରିଥିବା ବେଳେ ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା ଜାରି ରହିଛି । ୯ଟି ମନିଟରିଂ ଦଳ ଏଥିପାଇଁ କାର୍ଯ୍ୟ କରୁଛନ୍ତି । କୋଭିଡ-୧୯ ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୪୫ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍ରେ ରଖାଯାଇଛି ।