ସାର୍ବଭୌମତ୍ୱରେ ସାଲିସ ନାହିଁ: ରାଜନାଥ

ସାର୍ବଭୌମତ୍ୱରେ ସାଲିସ ନାହିଁ: ରାଜନାଥ

ସାର୍ବଭୌମତ୍ୱରେ ସାଲିସ ନାହିଁ: ରାଜନାଥ
ନୂଆଦିଲ୍ଲୀ: ବିଶ୍ୱ ଶାନ୍ତି ପାଇଁ ଭାରତ ସର୍ବଦା ପ୍ରଚେଷ୍ଟା ଜାରି ରଖି ଆସିଛି । ସାର୍ବଭୌମତ୍ୱ ରକ୍ଷା ନେଇ ଭାରତ କେବେ କୌଣସି ସାଲିସ କରିବ ନାହିଁ । ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବାୟୁସେନାରେ ୫ ଶକ୍ତିଶାଳୀ ଫାଇଟର ଜେଟ ‘ରାଫେଲ’ ସାମିଲ ଅବସରରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଇ ରାଜନାଥ ଏହା କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ଭାରତୀୟ ସୈନିକଙ୍କ ମନୋବଳ ଲୁହା ପରି ସୁଦୃଢ ରହିଛି । ସବୁ ପ୍ରକାର ଚାଲେଞ୍ଜକୁ ମୁକାବିଲା ପାଇଁ ବାୟୁସେନା ସମର୍ଥ । ସୀମାପାର ପ୍ରାୟୋଜିତ ଆତଙ୍କବାଦକୁ ପ୍ରତିହତ ପାଇଁ ଆମେ ଜାଗ୍ରତ ଅଛୁ ବୋଲି ରାଜନାଥ କହିଛନ୍ତି । ଭାରତୀୟ ବାୟୂସେନାର ଶକ୍ତି ବୃଦ୍ଧିପାଇଛି । ଔପଚାରିକ ଭାବେ ବାୟୂସେନାରେ ସାମିଲ ହୋଇଛି ଯୁଦ୍ଧ ବିମାନ ‘ରାଫେଲ’ । ଅମ୍ବାଲା ଏୟାରବେସରେ ଥିବା ୧୭ ସ୍କ୍ୱାଡ୍ରନ ଗୋଲଡେ଼ନ ଏରୋଜରେ ରାଫେଲକୁ ସାମିଲ କରାଯାଇଛି । ଏହି ଅବସରରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଫ୍ରାନ୍ସର ରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପର୍ଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସର୍ବଧର୍ମ ପୂଜା ପରେ ବିମାନଗୁଡିକ ସାମିଲ ହୋଇଥିଲା । ୫ ଧର୍ମର ଧର୍ମଗୁରୁ ଏକାଠି ପୂଜା କରିଥିଲେ । ଆଜି ସକାଳେ ରାଫେଲକୁ ଔପଚାରିକ ଭାବେ ବାୟୂସେନାରେ ସାମିଲ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଭାରତ ଓ ଚାଇନା ସୀମାରେ ଉତେଜନା ପ୍ରକାଶ ପାଇଥିବାବେଳେ ରାଫେଲ ବାୟୂସେନାରେ ସାମିଲ ହେବାକୁ ଏକ ଉଲ୍ଳେଖନୀୟ ଉପଲବ୍ଧô ବୋଲି କୁହାଯାଉଛି । ଆଜି ବାୟୂସେନାରେ ୫ଟି ରାଫେଲ ବିମାନ ସାମିଲ ହୋଇଛି । ଅକ୍ଟୋବରରେ ଫ୍ରାନ୍ସରୁ ଆଉ ୩/୪ଟି ରାଫେଲ ଆସିବ ବୋଲି ଜାଣିବାକୁ ମିଳିଛି । ୨୦୨୧ ସୁଦ୍ଧା ଫ୍ରାନ୍ସରୁ ୩୬ଟି ରାଫେଲ ବିମାନ ଆସିବ । ଏଥିପାଇଁ ୫୯ ହଜାର କୋଟି ଟଙ୍କାର ଚୁକ୍ତି କରାଯାଇଛି । ଆଜି ସାମିଲ ହୋଇଥିବା ରାଫେଲ ବିମାନଗୁଡ଼ିକ ଜୁଲାଇ ୨୯ରେ ଭାରତ ଆସିଥିଲା ।