ସେଠି ଥିଲା ନିବିଡ଼ତା, ଏଠି ଦୂରତା

ସେଠି ଥିଲା ନିବିଡ଼ତା, ଏଠି ଦୂରତା

ସେଠି ଥିଲା ନିବିଡ଼ତା, ଏଠି ଦୂରତା

ଭୁବନେଶ୍ୱର: ବେଶି ପୁରୁଣା କଥା ନୁହେଁ । ଗତ ଅକ୍ଟୋବର ପହିଲାର କଥା । କାନ୍ଧରେ କାନ୍ଧ ମିଶାଇ ରାହୁଲ ଗାନ୍ଧିଙ୍କ ସହ ଛିଡ଼ା ହୋଇ ଫଟୋ ଉଠାଇଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଏହି ଫଟୋ ହିଁ କହୁଥିଲା-ରାହୁଲ ଗାନ୍ଧିଙ୍କର କେତେ ଅନ୍ତରଙ୍ଗ ଥିଲେ ପ୍ରଦୀପ ଆଉ କଂଗ୍ରେସରେ ତାଙ୍କ ସ୍ଥାନ କ’ଣ ଥିଲା । ଗତକାଲି (୧୫ ନଭେମ୍ବର) ପ୍ରଦୀପଙ୍କର ଆଉ ଏକ ଫଟୋ ସାମ୍ନାକୁ ଆସିଛି । ହେଲେ ସେ ଫଟୋ ଆଉ ଏ ଫଟୋ ଭିତରେ ବିରାଟ ଫରକ । ଏହି ଦେଢ଼ ମାସ ଭିତରେ ଅନେକ କିଛି ବଦଳିଯାଇଛି । ପ୍ରଦୀପ ଆଉ କଂଗ୍ରେସରେ ନାହାନ୍ତି । ତାଜା ଫଟୋ ଉଠିଛି ନବୀନ ନିବାସରେ । ଫଟୋରେ ଅଛନ୍ତି ପ୍ରଦୀପ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାହୁଲ-ପ୍ରଦୀପଙ୍କ ଫଟୋରେ ନିବିଡ଼ତା ଥିବାବେଳେ   ନବୀନ ଓ ପ୍ରଦୀପଙ୍କ ମଝିରେ ପ୍ରାୟ ୬/୭ ଫୁଟର ଦୂରତା । ରାହୁଲଙ୍କ ସହ ସିନା କାନ୍ଧ ମିଳାଇ ଛିଡ଼ା ହୋଇଥିବା ପ୍ରଦୀପ ନବୀନଙ୍କଠାରୁ ଦୂରରେ ରହି ହାତଯୋଡ଼ି ଛିଡ଼ା ହୋଇଛନ୍ତି । ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଲା, ଏଥିରୁ ସ୍ପଷ୍ଟ କଂଗ୍ରେସ ଛାଡ଼ି ବିଜେଡିକୁ ଯିବା ପରେ ପ୍ରଦୀପଙ୍କ ଗୁରୁତ୍ୱ କେତେ ବଢ଼ିଛି ।

  ପ୍ରଦୀପ ମାଝୀ । ମାତ୍ର ଥରୁଟିଏ ନବରଙ୍ଗପୁରରୁ ସାଂସଦ ହୋଇଥିଲେ । ଏତିକିରେ କଂଗ୍ରେସ ତାଙ୍କୁ ଢେର ଗୁରୁତ୍ୱ ଦେଇଥିଲା । କଂଗ୍ରେସରେ ସେ ଥିଲେ ମଉଡ଼ମଣି। ନବରଙ୍ଗପୁରରୁ କୋରାପୁଟ, ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ସବୁଠି ଥିଲେ ସେ ଆଗଧାଡ଼ିରେ । ଅନ୍ୟ କାହା କଥା ଛାଡ଼ନ୍ତୁ, କଂଗ୍ରେସର ସବୁଠୁ ହେଭିୱେଟ ନେତା ରାହୁଲ ଗାନ୍ଧିଙ୍କ ଅତି ଅନ୍ତରଙ୍ଗ ଥିଲେ ପ୍ରଦୀପ । ଅନ୍ୟ ସମୟ ହେଉ କି କରୋନା କାଳ, ଯେବେ ବି ଦିଲ୍ଲୀ ଗସ୍ତ କରୁଥିଲେ ରାହୁଲଙ୍କ ଦ୍ୱାର ତାଙ୍କ ପାଇଁ ସବୁବେଳେ ଖୋଲା ଥିଲା । ସାନ ଭାଇ ଭଳି ତାଙ୍କୁ ଆଦର କରୁଥିଲେ ରାହୁଲ ।  ଏକଥା କଂଗ୍ରେସ ଛାଡ଼ିବା ପରେ ବି ପ୍ରଦୀପ ନିଜେ କହିଛନ୍ତି ।

  ରାଜନୈତିକ ସମୀକ୍ଷକଙ୍କ ମତରେ ପରାଜୟର ଡର ସହ କ୍ଷମତା ଆଶାରେ ପ୍ରଦୀପ କଂଗ୍ରେସ ଛାଡ଼ି ବିଜେଡିକୁ ଯାଇଛନ୍ତି । ବିଜେଡି ତାଙ୍କୁ ତାଙ୍କୁ ରାଜ୍ୟସଭା ପଠାଇପାରେ। ହେଲେ ସାଂସଦ ପଦ ପାଇଲେ ବି ପ୍ରଦୀପଙ୍କୁ ବିଜେଡିରେ ଅନେକ ଜୁନିଅର ନେତାଙ୍କ ତଳେ ଗୋଡ଼ାଣିଆ ହୋଇ ରହିବାକୁ ପଡ଼ିବ । ଏକଥାକୁ କ’ଣ ପ୍ରଦୀପ ଅସ୍ୱୀକାର କରିପାରିବେ? 

  ରାଜନୈତିକ ସମୀକ୍ଷକ କହନ୍ତି, କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ପରେ ପ୍ରଦୀପ ମାଝୀଙ୍କ ନାଁରୁ ରାଜ୍ୟସ୍ତରୀୟ ନେତାର ଟ୍ୟାଗ୍ ହଟିଯାଇଛି । କଂଗ୍ରେସ ତାଙ୍କୁ ଯେଉଁଭଳି ସ୍ଥାନ ଦେଉଥିଲା, ନବୀନ ନିବାସ ସେତିକି ଗୁରୁତ୍ୱ କେବେ ବି ଦେବ ନାହିଁ । ରାହୁଲଙ୍କ ଭଳି ନବୀନ ତାଙ୍କୁ  ପାଖରେ ବସାଇ ଘଣ୍ଟା ଘଣ୍ଟା ଆଲୋଚନା କରିବାର ସମ୍ଭାବନା କ୍ଷୀଣ । ପ୍ରଦୀପ ବିଜେଡିରେ ମିଶିବା ପରେ ଗତକାଲି ପ୍ରଥମ ଥର ନବୀନ ନିବାସ ଯାଇଥିଲେ । ପ୍ରଥମ ଦେଖାରେ ସ୍ୱାଗତ ବଦଳରେ କରୋନାଳ କାଳ ଆଳରେ ୬ ଫୁଟ ଦୂରତା ରକ୍ଷା କରାଗଲା । ଯଦି ପ୍ରଥମ ଦେଖାରେ ଏତେ ଦୂରତା ରହିଲା, ତେବେ ଆଗକୁ ତାହା ଆହୁରି ବଢ଼ିବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।

  ନବୀନ ନିବାସରେ ପ୍ରଦୀପ-ନବୀନଙ୍କ ଭେଟ ପରେ ଯେଉଁ ଫଟୋ ବାହାରକୁ ଆସିଲା, ସେଥିରେ ପ୍ରଦୀପଙ୍କ ଭବିଷ୍ୟତ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ରାଜନୈତିକ ମହଲରେ ପ୍ରଦୀପଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି । କିଏ କହୁଛି, କଂଗ୍ରେସରେ ପ୍ରଦୀପ ମୁଣ୍ଡ ଥିବାବେଳେ ବିଜେଡିରେ ଲାଞ୍ଜ ହେବା କଷ୍ଟକର ।   ରାଜନୈତିକ ବିଶେଷଜ୍ଞଙ୍କ ମତରେ ପ୍ରଦୀପ ଓଡ଼ିଶା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ । ଏମିତିକି ପିସିସି ସଭାପତି ପଦବୀ ପାଇଁ ବଡ଼ ଦାବିଦାର ଥିଲେ । ଦଳରେ ଲୁଲୁ ମହାପାତ୍ର ଓ ସଂଗ୍ରାମ ଜେନାଙ୍କ ଭଳି ଯୁବ ସଂଗଠକଙ୍କ ଅବର୍ତ୍ତମାନରେ ଯୁବ ନେତା ଭାବେ ଭାବେ ପ୍ରଦୀପଙ୍କ ଭବିଷ୍ୟତ କଂଗ୍ରେସରେ ବେଶ୍ ଉଜ୍ୱଳ ଥିଲା । ରାହୁଲଙ୍କ ଅନ୍ତରଙ୍ଗ ହୋଇଥିବାରୁ ଆଗାମୀଦିନରେ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ ହେଲେ ପ୍ରଦୀପ କେନ୍ଦ୍ରମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ଥିଲା । କଂଗ୍ରେସରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରେ ବଡ଼ ନେତା କହିଲେ  ଚିରଞ୍ଜୀବୀ ବିଶ୍ୱାଳ ଓ ପ୍ରଦୀପ ମାଝି ଥିଲେ । ମାତ୍ର ବିଜେଡିରେ ତାଙ୍କ ନମ୍ବର କେତେ ତଳେ ରହିଛି, ସେ ତାଲିକା ପ୍ରଦୀପ ଖୋଜି ପାଇବା ମଧ୍ୟ କଷ୍ଟକର । 

  ସମୀକ୍ଷକଙ୍କ ମତରେ ପ୍ରଦୀପଙ୍କୁ ରାହୁଲ ଯେଉଁଭଳି ଦେଖୁଥିଲେ, ନବୀନ ଓ ବିଜେଡି କେବେ ବି ତାଙ୍କୁ ସେତିକି ଗୁରୁତ୍ୱ ଦେବେ ନାହିଁ । ନବୀନ ନିବାସ ଫାଟକ ବି ସବୁବେଳେ ତାଙ୍କ ପାଇଁ ଆରାମରେ ଖୋଲିଯିବ, ସେ ଆଶା ବି ପ୍ରଦୀପ ନିଜେ ରଖିନଥିବେ । ଆରମ୍ଭର ଏ ଦୂରତା ସବୁବେଳେ ଏମିତି ରହିବ । ଅତୀତରେ ବିରୋଧୀ ଦଳ ନେତା ପଦ ଛାଡ଼ି ବିଜେଡିକୁ ଯାଇଥିବା ଭୂପିନ୍ଦର ସିଂ ଅବସ୍ଥାକୁ ଉଦାହରଣ ଭାବେ ନିଆଯାଇପାରେ । ଏଥିରୁ ପ୍ରଦୀପଙ୍କ ଭବିଷ୍ୟତ ଅନୁମାନ କରାଯାଇପାରେ ।