ପୁଲିସକୁ ନିର୍ଘାତ ଟମାଟୋ ମାଡ଼
ପୁଲିସକୁ ନିର୍ଘାତ ଟମାଟୋ ମାଡ଼
ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡକୁ ମାସେ ବିତିଯାଇଥିଲେ ମଧ୍ୟ ଏହାକୁ ନେଇ ଜୋର ଧରିଛି ରାଜନୀତି । ଏଥିପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିରୋଧୀଙ୍କ ପକ୍ଷରୁ ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ଓ ମୁଖ୍ୟମନ୍ତ୍ରୀଙ୍କ ସହ କିଛି ଶାସକ ଦଳର ନେତା ମାନଙ୍କର ମଧ୍ୟ କୁଶପୁତ୍ତଳିକା ଦାହ କରାଯାଉଛି ।
ତେବେ ଆଜି ମମିତାକୁ ନ୍ୟାୟ ଦେବା ଓ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ପାଇଁ ପୁଣି ଛାତ୍ର କଂଗ୍ରେସ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା। ଛାତ୍ର କଂଗ୍ରେସର ଏହି ରାଲି ନବୀନ ନିବାସ ଓ ଡିଜିଙ୍କ କ୍ୟାମ୍ପ ଅଫିସ୍ ଘେରାଉ କରିବାକୁ ଯାଉଥିବାବେଳେ ଫରେଷ୍ଟ ପାର୍କ ନିକଟରେ ପୋଲିସ୍ ଏହି ରାଲିକୁ ଅଟକାଇ ଥିଲା। ଏହାପରେ ଛାତ୍ର କଂଗ୍ରେସର କର୍ମୀ ଓ ପୋଲିସ୍ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ଛାତ୍ରେ କଂଗ୍ରେସର କର୍ମୀମାନେ ପୋଲିସ୍ ଉପରକୁ ଆଖିବୁଜା ଟମାଟୋ ମାଡ କରିଥିଲେ । ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଛାତ୍ରକଂଗ୍ରେସର କର୍ମୀଙ୍କୁ ପୋଲିସ୍ ଅଟକ ରଖିଛି । ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଆଜି ଏହି ଆନେ୍ଦାଳନ ହୋଇଥିଲା । ୟାସିର କହିଛନ୍ତି, ଯେବେ ବି ନାରୀଙ୍କ ଉପରେ ନିର୍ଯାତନା ହେବ ସେତେବେଳେ କଂଗ୍ରେସ ରାସ୍ତାକୁ ଆସିବ । ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏ, ଆନେ୍ଦାଳନ ଥମିବ ନାହିଁ । ଦରକାର ପଡ଼ିଲେ କୌଣସି ମନ୍ତ୍ରୀଙ୍କୁ ଘରୁ ବାହାର କରିଦେବୁନି । ନ୍ୟାୟ ପାଇଁ ଲଢେ଼ଇ ଜୋରଦାର ହେବ । ଏହି ରାଲିରେ ସୁର ରାଉତରାୟ, ସତ୍ୟ ନାୟକ ଓ ରଜତ ଚୌଧୁରୀ ଯୋଗ ଦେଇଛନ୍ତି।