୧୫ରୁ ରାଜ୍ୟରେ ବଢ଼ିବ ତାତି, ତାପମାତ୍ରା ୨ରୁ ୪ ଡିଗ୍ରି ବୃଦ୍ଧି
୧୫ରୁ ରାଜ୍ୟରେ ବଢ଼ିବ ତାତି, ତାପମାତ୍ରା ୨ରୁ ୪ ଡିଗ୍ରି ବୃଦ୍ଧି
admin
Feb 13, 2020 - 07:51
Updated: Feb 13, 2020 - 07:51
ଭୁବନେଶ୍ୱର : ଆସନ୍ତା ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ରାଜ୍ୟର ଅଳ୍ପ କିଛି ଜିଲ୍ଲାରେ ଥଣ୍ଡା ପାଗ ରହିବ । ୧୫ ତାରିଖଠାରୁ ପାଗରେ ବଡ଼ଧରଣର ପରିବର୍ତ୍ତନ ଆସିବ । ସବୁ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଦିନର ତାପମାତ୍ରା ୩୦ ଡିଗ୍ରି ଟପିବାକୁ ଥିବା ବେଳେ ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରକୁ ଚାଲିଯିବ । ତେବେ ଫେବ୍ରୁଆରି ୧୫ରୁ ୧୭ ତାରିଖ ଯାଏ ଭୋର ସମୟରେ ଉପକୂଳ ଓଡ଼ିଶା ସମେତ କୋରାପୁଟ, ରାୟଗଡ଼ା, କନ୍ଧମାଳ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଆହୁରି ଆକଳନ କରାଯାଇଛି ଯେ ୧୩ ତାରିଖ ତଥା ଗୁରୁବାର ଦିନ ଅନୁଗୁଳ, ସୋନପୁର, ବଲାଙ୍ଗୀର, ବୌଦ୍ଧ, କଟକ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ଉକ୍ତ ସହରଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିବ । ୧୪ ତାରିଖରେ ଅନୁଗୁଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଥଣ୍ଡା ଅନୁଭୂତ ହେବ । ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରି ରେକର୍ଡ କରାଯାଇଛି । ଏହାବ୍ୟତୀତ ଅନୁଗୁଳରେ ୮ ଡିଗ୍ରି ଥିବା ବେଳେ ଫୁଲବାଣୀ ଓ ବୌଦ୍ଧରେ ୯, ଟିଟିଲାଗଡ଼ରେ ୯.୧, କେନ୍ଦୁଝରରେ ୯.୯ ଡିଗ୍ରି ଥିଲା । ଅନ୍ୟ ସବୁ ସହରରେ ସର୍ବନିମ୍ନ ପାରଦ ୧୦ ଡିଗ୍ରି ଉପରେ ଥିଲା । ତେବେ ଆଜି ଦିନରେ ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଛୁଇଁଛି । ଚଳିତବର୍ଷ ପ୍ରଥମ ଥର ପାଇଁ ଏହା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।