୧୮ ରେ ହଟିବ ୟେସ୍ ବ୍ୟାଙ୍କ ଉପରେ ଲ।ଗାଇଥିବା କଟକଣା

୧୮ ରେ ହଟିବ ୟେସ୍ ବ୍ୟାଙ୍କ ଉପରେ ଲ।ଗାଇଥିବା କଟକଣା

୧୮ ରେ ହଟିବ ୟେସ୍ ବ୍ୟାଙ୍କ ଉପରେ ଲ।ଗାଇଥିବା କଟକଣା
ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଲଗାଇଥିବା କଟକଣା ଆସନ୍ତା ୧୮ ତାରିଖରେ ଉଠିଯିବ । ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ପୁନରୁଦ୍ଧାର ଯୋଜନା ସମ୍ପର୍କରେ କେନ୍ଦ୍ର ସରକାର ଶୁକ୍ରବାର ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତି ଜାରି ହେବାର ୩ଟି କାର୍ଯ୍ୟ ଦିବସ ପରେ ଟଙ୍କା ଉଠାଣ କଟକଣା ହଟିବ । ସେହି ଅନୁସାରେ ବ୍ୟାଙ୍କ ଉପରେ ଲାଗିଥିବା ଟଙ୍କା ଉଠାଣ କଟକଣା ୧୮ ତାରିଖ ବୁଧବାର ସଂଧ୍ୟା ୬ଟାରେ ଉଠିଯିବ । ଏଥିସହିତ ବ୍ୟାଙ୍କର ନୂଆ ବୋର୍ଡ ୭ ଦିନ ମଧ୍ୟରେ ଗଠନ ହେବ । ଗତ ୫ ତାରିଖରେ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କର ବୋର୍ଡକୁ ଭାଙ୍ଗିବା ସହିତ ନିଜ ଅଧୀନକୁ ନେଇଥିଲେ । ଏଥିସହିତ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କର କୌଣସି ଜମାକାରୀ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ ବୋଲି କଟକଣା ଲଗାଇଥିଲେ । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ୟେସ୍ ବ୍ୟାଙ୍କର ପ୍ରଶାସକ ଭାବେ ନିଯୁକ୍ତି ପାଇଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ପୂର୍ବତନ ସିଏଫଓ ତଥା ଡେପୁଟି ଏମଡି ପ୍ରଶାନ୍ତ କୁମାର ବୋର୍ଡର ସିଇଓ ଭାବେ କାର୍ଯ୍ୟ କରିବେ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସିଏମଡି ସୁନୀଲ ମେହେଟ୍ଟା ୟେସ୍ ବ୍ୟାଙ୍କର ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାମ କରିବେ । ଏଥି ସହିତ ମହେଶ କୃଷ୍ଣମୂର୍ତ୍ତି ଏବଂ ଅତୁଲ ଭେଡା ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରହିବେ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଉ ଦୁଇ ଜଣଙ୍କୁ ନିର୍ଦ୍ଦେଶକ ଭାବେ ମନୋନୀତ କରିବାକୁ ଥିବା ବେଳେ ରିଜର୍ଭ ବ୍ୟାଙ୍କ ମଧ୍ୟ ଜଣେ ଅତିରିକ୍ତ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇପାରେ । ୧୫ ପ୍ରତିଶତ ଭୋଟିଂ ଅଧିକାର ଥିବା ନିବେଶକ ଜଣେ ବୋର୍ଡ ସଦସ୍ୟଙ୍କୁ ନିଯୁକ୍ତି ଦେଇପାରିବ । ନୂଆ ବୋର୍ଡ଼ ଅନୁଭବ ନ କରିଲେ ପୁନର୍ଗଠିତ ବ୍ୟାଙ୍କର ନିଯୁକ୍ତି ଢ଼ାଞ୍ଚା, କାର୍ଯ୍ୟାଳୟ ଏବଂ ଶାଖା ନେଟୱାର୍କରେ କୌଣସି ପରିବର୍ତ୍ତନ ଅଣାଯିବ ନାହିଁ । ଯୋଜନା ଅନୁଯାୟୀ, ବ୍ୟାଙ୍କର ଆର୍ଥିକ ଦେୟରେ କୌଣସି ପରିବର୍ତ୍ତନ ଅଣାଯିବ ନାହିଁ ।