୪୦ ବର୍ଷ ଧରି ମନ୍ତ୍ରୀଙ୍କ ଆୟକର ଭରୁଛନ୍ତି ଜନତା

୪୦ ବର୍ଷ ଧରି ମନ୍ତ୍ରୀଙ୍କ ଆୟକର ଭରୁଛନ୍ତି ଜନତା

୪୦ ବର୍ଷ ଧରି ମନ୍ତ୍ରୀଙ୍କ ଆୟକର ଭରୁଛନ୍ତି ଜନତା
ଲକ୍ଷ୍ନୌ : ଭାରତର ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶ । ଉତ୍ତରପ୍ରଦେଶର ଲୋକସଭା ଆସନ ସଂଖ୍ୟା ୮୦ ଥିବା ବେଳେ ବିଧାନସଭା ଆସନ ସଂଖ୍ୟା ୪୦୪ । ତେବେ ୟୁପି ସରକାରଙ୍କ ଏକ ଅଜବ ଆଇନ ବଳରେ ୧୯୮୧ ମସିହାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ଆୟକର ଜନତା ହିଁ ଭରୁଛନ୍ତି । ଉତ୍ତରପ୍ରଦେଶରେ ଭିପି ସିଂହ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଉତ୍ତରପ୍ରଦେଶ ମନ୍ତ୍ରୀମାନଙ୍କ ଦରମା, ଭତ୍ତା ଏବଂ ଅନ୍ୟ ସୁବିଧାସୁଯୋଗ ଆଇନ ୧୯୮୧ କାର୍ଯ୍ୟକାରୀ କରିଥିଲେ । ଏହି ବିଲ୍ ସଂକ୍ରାନ୍ତରେ ଯେତେବେଳେ ରାଜ୍ୟ ବିଧାନସଭାରେ ଆଲୋଚନା ହୋଇଥିଲା ସେତେବେଳେ ଭିପି ସିଂହ କହିଥିଲେ, ଉତ୍ତରପ୍ରଦେଶର ଅଧିକାଂଶ ମନ୍ତ୍ରୀ ଗରିବ ଏବଂ ସେମାନଙ୍କ ଦରମା କମ୍ ହୋଇଥିବାରୁ ସେମାନେ ନିଜ ରୋଜଗାରରୁ ଆୟକର ଦେଇପାରିବେ ନାହିଁ । ତେଣୁ ଏହି ଆଇନ ବଳରେ ରାଜ୍ୟ ରାଜକୋଷରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ଆୟକର ଭରିବା ନିଷ୍ପତ୍ତି ହୋଇଥିଲା । ଏହା ପରେ ଆୟକର ଛାଡ଼ କରାଯାଇ ଉତ୍ତରପ୍ରଦେଶ ମନ୍ତ୍ରୀମାନଙ୍କର ଏହି ଦରମା ଧାର୍ଯ୍ୟ କରାଯାଇଥିଲା । ଆଇନ ପ୍ରଣୟନ ହେବାର ଦୀର୍ଘ ୪୦ ବର୍ଷ ବିତିଯାଇଛି । ଇତି ମଧ୍ୟରେ ସମାଜବାଦୀ ପାର୍ଟିର ମୁଲାୟମ ସିଂହ ଯାଦବ, ଅଖିଳେଶ ଯାଦବ, ବସପାର ମାୟାବତୀ, ବିଜେପିର କଲ୍ୟାଣ ସିଂହ, ରାଜନାଥ ସିଂହ ଏବଂ କଂଗ୍ରେସର ନାରାୟଣ ଦତ୍ତ ତିୱାରୀଙ୍କ ସମେତ ଉତ୍ତରପ୍ରଦେଶ ୧୯ ମୁଖ୍ୟମନ୍ତ୍ରୀ ଏବଂ ପ୍ରାୟ ୧୦୦୦ ମନ୍ତ୍ରୀ ପାଇଛି । ବର୍ତ୍ତମାନର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ମଧ୍ୟ ଏହି ଆଇନ ଲାଗୁ ହୋଇଛି । ଉଲ୍ଲେଖଯୋଗ୍ୟ, ଅନେକ ମନ୍ତ୍ରୀ ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି ଯେ, ସେମାନଙ୍କ ଅସ୍ଥାବର ଏବଂ ସ୍ଥାବର ସମ୍ପତ୍ତିର ମୂଲ୍ୟ କୋଟି କୋଟି ଟଙ୍କା ହେବ । ସେମାନେ ବିଳାସ ପୂର୍ଣ୍ଣ ଗାଡ଼ି ମଧ୍ୟ ବ୍ୟବହାର କରୁଛନ୍ତି । କିନ୍ତୁ ଏବେ ବି ସେମାନେ ଗରିବ ଶ୍ରେଣୀରେ ଅଛନ୍ତି ଏବଂ ରାଜ୍ୟ ରାଜକୋଷରୁ ସେମାନଙ୍କ ଆୟକର ପୈଠ କରାଯାଉଛି । ଗତ ଦୁଇଟି ଆର୍ଥିକ ବର୍ଷରେ ମଧ୍ୟ ଯୋଗୀ ସରକାରଙ୍କ ପ୍ରତ୍ୟେକ ସଦସ୍ୟଙ୍କ ଆୟକର ରାଜ୍ୟ ରାଜକୋଷରୁ ଭରା ଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ଆଦିତ୍ୟନାଥ ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ଆୟକର ଦେୟ ୮୬ ଲକ୍ଷ ଥିଲା ଏବଂ ଏହା ରାଜ୍ୟ ରାଜକୋଷରୁ ହିଁ ଭରଣା କରାଯାଇଥିଲା ।