‘ରାଷ୍ଟ୍ରପତି ପଦ ପାଇଁ ଟ୍ରମ୍ପ ଅଯୋଗ୍ୟ’
‘ରାଷ୍ଟ୍ରପତି ପଦ ପାଇଁ ଟ୍ରମ୍ପ ଅଯୋଗ୍ୟ’
admin
Aug 21, 2020 - 07:49
Updated: Aug 21, 2020 - 07:49
ୱାଶିଂଟନ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି ଡେମୋକ୍ରାଟିକ ଓ ରିପବ୍ଲିକାନ ଦଳ ଭିତରେ କାଦୁଅ ଫିଙ୍ଗା ସେତେ ଅଧିକ ହେବାରେ ଲାଗିଛି । ସଦ୍ୟତମ ପ୍ରଚାରରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଦ୍ୱିତୀୟ ଥର ପାଇଁ ଆଶାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଅତି କଟୁ ଭାଷାରେ ସମାଲୋଚନା କରିଛନ୍ତି । ଦେଶର ଏହି ଶୀର୍ଷ ପଦବିରେ ବସିବା ପାଇଁ ଟ୍ରମ୍ପ ସମ୍ପୂର୍ଣ୍ଣ ଅପାରଗ ଓ ଅଯୋଗ୍ୟ ବୋଲି ଓବାମା ଆକ୍ଷେପ କରିଛନ୍ତି । ଅପରପକ୍ଷେ, ଆମେରିକା ଗଣତନ୍ତ୍ରର ସୁରକ୍ଷା ଲାଗି ଲୋକେ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ହୋଇଥିବା ତାଙ୍କର ସହଯୋଗୀ ତଥା ପୂର୍ବତନ ଉପରାଷ୍ଟ୍ରପତି ଜୋ ବାଇଡେନଙ୍କ ବିଜୟ ସୁନିଶ୍ଚିତ କରାଇବାକୁ ଓବାମା ନିବେଦନ କରିଛନ୍ତି । ଓବାମାଙ୍କ କହିବା ଅନୁସାରେ, ରାଷ୍ଟ୍ରପତି ଟ୍ରମ୍ପ ଶାସନ ବ୍ୟବସ୍ଥାରେ ଆଦୌ ମନପ୍ରାଣ ଦେଇ କାମ କରିବାର ଆଗ୍ରହ ବର୍ତ୍ତମାନ ସୁଦ୍ଧା ଦେଖାଇନାହାନ୍ତି । କେବଳ ନିଜର ଓ ନିଜ ବନ୍ଧୁମାନଙ୍କର ଉପକାର ପାଇଁ ସେ କ୍ଷମତାର ଅପବ୍ୟବହାର କରିଛନ୍ତି । ସେହିପରି କେବଳ ଲୋକଙ୍କ ଗହଳି କମାଇବାକୁ ସେ ରାଷ୍ଟ୍ରପତି ପରି ଗୁରୁତ୍ୱପୂର୍ଣ୍ଣ ପଦବିକୁ ଏକ ରିଅଲିଟି ସୋ’ରେ ପରିଣତ କରିଦେଇଛନ୍ତି ବୋଲି ଓବାମା କଟାକ୍ଷ କରିଛନ୍ତି । ମହାମାରୀ କୋଭିଡରେ ଦେଶର ଲକ୍ଷେ ୭୦ ହଜାର ରରୁ ଅଧିକ ନାଗରିକଙ୍କ ମୃତୁ୍ୟ ଏବଂ ଲକ୍ଷ ଲକ୍ଷ ଦେଶବାସୀ ରୋଜଗାରର ପନ୍ଥା ହରାଇବା ପାଇଁ ଟ୍ରମ୍ପଙ୍କୁ ହିଁ ଓବାମା ଦାୟୀ କରିଛନ୍ତି ।