ଅଷ୍ଟ୍ରେଲିଆ ମାଟିରେ ଭାରତର ଐତିହାସିକ ବିଜୟ

ଅଷ୍ଟ୍ରେଲିଆ ମାଟିରେ ଭାରତର ଐତିହାସିକ ବିଜୟ

ଅଷ୍ଟ୍ରେଲିଆ ମାଟିରେ ଭାରତର ଐତିହାସିକ ବିଜୟ
ବି୍ରସବେନ : ଗାଭାସ୍କର-ବଡର଼୍ର ଟ୍ରଫିର ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ବାଜିମାତ କରିଛି । ଚତୁର୍ଥ ଟେଷ୍ଟ ଜିତି ଭାରତୀୟ ଟିମ ଗାଭାସ୍କର-ବର୍ଡର ଟ୍ରଫି ହାତେଇ ନେଇଛି । ଜିତିବା ପାଇଁ ଭାରତ ଆଗରେ ୩୨୮ ରନର ଟାର୍ଗେଟ ରଖିଥିଲା ଅଷ୍ଟ୍ରେଲିଆ । ତେବେ ଓପନର ଏସ ଗିଲଙ୍କ ୯୧, ପୂଜାରାଙ୍କ ୫୬, ରିଷଭ ପନ୍ତଙ୍କ ଧମାକାଦାର ବ୍ୟାଟିଂ ୮୯ ରନ ଯୋଗୁଁ ଭାରତ ୩ ୱିକେଟରେ ବିଜୟ ହାସଲ କରିଛି । ପ୍ରଥମ ଟେଷ୍ଟ ଅଷ୍ଟ୍ରେଲିଆ ଜିତିଥିବାବେଳେ ଦ୍ୱିତୀୟ ଟେଷ୍ଟ ଭାରତ ଜିତିଥିଲା । ତୃତୀୟ ଟେଷ୍ଟ ଅମୀମାଂସିତ ରହିଥିଲା । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯ ରନ କରିଥିବାବେଳେ ଭାରତ ପ୍ରଥମ ଇନିଂସରେ ୩୩୬ ରନ କରିଥିଲା । ତେବେ ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୯୪ ରନରେ ସୀମିତ ରହିଥିବାରୁ ଭାରତ ଆଗରେ ବିଜୟ ପାଇଁ ୩୨୮ ରନର ଟାର୍ଗେଟ ରହିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଦ୍ୱିତୀୟ ପାଳିରେ ହାରିସ ୩୮, ୱାର୍ଣ୍ଣର ୪୮, ଲାବୁସଚାଗନେ ୨୫, ସ୍ମିଥ ୫୫, ୱାଡେ଼ ୦, ଗ୍ରୀନ ୩୭ ରନ କରିଛନ୍ତି । ସେହିପରି କ୍ୟାପଟେନ ପେନ ୨୭, ଷ୍ଟାର୍କ ୧, ଲାଏନ ୧୩ ଓ ହାଜଲେଉଡ଼ ୯ ରନ କରି ଆଉଟ ହୋଇଥିଲେ । ଯେତେବେଳେକି କୁମିନସ ୨୮ ରନରେ ନଟଆଉଟ ରହିଥିଲେ । ଭାରତ ପକ୍ଷରୁ ସିରାଜ ୫ ୱିକେଟ ହାସଲ କରିଥିବାବେଳେ ଠାକୁର ୪ ଓ ସୁନ୍ଦର ଗୋଟିଏ ୱିକେଟ ନେଇଛନ୍ତି । ସିରାଜ ୨୦ ଓଭରରେ ୫ ୱିକେଟ ନେଇଥିବାବେଳେ ଠାକୁର ୧୯ ଓଭରରେ ୪ଟି ୱିକେଟ ନେଇଥିଲେ । ୭୬ ଓଭର ମଧ୍ୟରେ ସେମାନେ ଅଷ୍ଟ୍ରେଲିଆକୁ ଅଲଆଉଟ କରିଦେଇଥିଲେ । ଭାରତ ଦ୍ୱିତୀୟ ପାଳିରେ ରୋହିତ ୭, ଗିଲ ୯୧, ପୂଜାରା ୫୬, ରାହାନେ ୨୪, ମୟଙ୍କ ୯ ରନ କରି ଆଉଟ ହୋଇଥିଲେ । ଅପରପକ୍ଷରେ ସୁନ୍ଦର ମଧ୍ୟ ଉପାଦେୟ ୨୨ ରନ କରି ଭାରତ ବିଜୟକୁ ସୁନିଶ୍ଚିତ କରିପାରିଥିଲେ । ଅଷ୍ଟ୍ରେଲିଆ ଟିମରେ ସବୁ ରଣନୀତିକୁ ଫିକା କରିଦେଇଥିଲା ରିଷଭ ପନ୍ତଙ୍କ ବ୍ୟାଟିଂ । ସେ ୮୯ ରନରେ ନଟଆଉଟ ରହି ଅଷ୍ଟ୍ରେଲିଆକୁ ପରାସ୍ତ କରିପାରିଥିଲେ ।