ଆଇପିଏଲ କାହିଁକି ବନ୍ଦ ହେଲା, ଜାଣନ୍ତୁ ମୁଖ୍ୟ କାରଣ

ଆଇପିଏଲ କାହିଁକି ବନ୍ଦ ହେଲା, ଜାଣନ୍ତୁ ମୁଖ୍ୟ କାରଣ

ଆଇପିଏଲ କାହିଁକି ବନ୍ଦ ହେଲା, ଜାଣନ୍ତୁ ମୁଖ୍ୟ କାରଣ
ନୂଆଦିଲ୍ଲୀ: ଅଭ୍ୟାସ ପାଇଁ ବିକଳ୍ପ ବ୍ୟବସ୍ଥା ନଥିବା ଦିଲ୍ଲୀ ଓ ଅହମଦାବାଦ ଭଳି ସହରରେ ଦ୍ୱିତୀୟ ପର୍ଯ୍ୟାୟ ଆୟୋଜନ କରିବା ଆଇପିଏଲ-୨୦୨୧ ଅଧାରୁ ସ୍ଥଗିତ ରହିବାର ମୁଖ୍ୟ କାରଣ । ଏଭଳି ମନ୍ତବ୍ୟ ବିଶେଷଜ୍ଞମାନେ ଦେଇଥିଲା ବେଳେ ବିସିସିଆଇ ଅଧିକାରୀମାନେ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି । ବିଶେଷଜ୍ଞଙ୍କ ମତରେ ଉଭୟ ଦିଲ୍ଲୀ ଓ ଅହମଦାବାଦ, ସେଠାରେ ଖେଳୁଥିବା ଖେଳାଳିମାନଙ୍କୁ ଅଭ୍ୟାସ କରିବା ଲାଗି ବିକଳ୍ପ ସୁବିଧା ସୁଯୋଗ ଯୋଗାଇ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲା । ଏହି ଦୁଇ ସହରରେ ଚାରିଟି ଲେଖାଏଁ ଦଳ ରହୁଥିଲେ । ହେଲେ କେବଳ ମୁଖ୍ୟ ଷ୍ଟାଡିୟମକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନ ଆପାତତଃ କଟକଣା ମୁକ୍ତ ରହୁଥିଲା । ସାଧାରଣ ଜନତାଙ୍କ ପ୍ରବେଶ ଉପରେ ଅଙ୍କୁଶ ଥିଲେ ମଧ୍ୟ ପଡ଼ିଆ କର୍ମଚାରୀମାନେ ସେଠାକୁ ଅନାୟସରେ ଯିବା ଆସିବା କରିପାରୁଥିଲେ । ଏହା ହିଁ ଆଇପିଏଲ ଜୈବ ବଳୟକୁ କରୋନା ଧସେଇ ପଶିବାର ମୁଖ୍ୟ କାରଣ । ଦିଲ୍ଲୀରେ ଥିବା ଚେନ୍ନାଇ ସୁପରକିଙ୍ଗ୍ସ ଭଳି ଦଳ ରୋସନାରା କ୍ଲବ୍ ପଡ଼ିଆରେ ଅଭ୍ୟାସ କରୁଥିଲା । ଅହମଦାବାଦରେ ଥିବା ଦଳଗୁଡ଼ିକ ଗୁଜୁରାଟ କଲେଜ ପଡ଼ିଆରେ ଅଭ୍ୟାସ କରିବାକୁ ବାଧ୍ୟ ହୋଇଥିଲେ । ଉଭୟ ସ୍ଥାନ ଜନଗହଳିପୂର୍ଣ୍ଣ ଓ ଅତ୍ୟନ୍ତ ସଂକୀର୍ଣ୍ଣ ସଡ଼କ ଦ୍ୱାରା ସଂଯୋଗ ହୋଇଥିଲା ବେଳେ ଦୁଇଟି ଯାକ ସହରର ପୂରାତନ ଅଞ୍ଚଳରେ ଅବସ୍ଥିତ । ଅହମଦାବାଦର ମୋଟେରାରେ ଥିବା ଅଭ୍ୟାସ ପଡ଼ିଆରେ ଆଉ ଏକ ସମସ୍ୟା ଥିଲା ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟ । ଏଠାରେ ବଡ଼ ସଟ ଅଭ୍ୟାସ କରିବା କଷ୍ଟକର ହୋଇଥିଲା ବେଳେ ନିର୍ମାଣ ଶ୍ରମିକ ଓ ଅନ୍ୟାନ୍ୟ ଅଧିକାରୀମାନେ ସେଠାରେ ନିୟମିତ ଭାବେ ଉପସ୍ଥିତ ରହୁଥିଲେ । ଗୁଜୁରାଟ କଲେଜ ପଡ଼ିଆରେ ତ ମାଳି, ସୁରକ୍ଷାକର୍ମୀ ଓ ଅନ୍ୟମାନଙ୍କର ଅବାଧ ପ୍ରବେଶ ଥିଲା । ଏଠାରେ ସଂକ୍ରମିତ ହେବାର ସର୍ବାଧିକ ସମ୍ଭାବନା ଥିଲା । କୋଲକାତା ନାଇଟ ରାଇଡର୍ସ ସମେତ ତିନିଟି ଦଳ ଏଠାରେ ଅଭ୍ୟାସ କରୁଥିଲେ । ଆଉ କୋଲକାତାର ହିଁ ସବୁଠୁ ଅଧିକ ଖେଳାଳି କରୋନା ସଂକ୍ରମିତ ହୋଇଥିଲେ । ରୋସନାରା କ୍ଲବ ପଡ଼ିଆ ୯୦ ବର୍ଷ ତଳେ ସ୍ଥାପିତ ହୋଇଥିଲା । ଏଠାରେ ପହଞ୍ଚିବା ଲାଗି ଖେଳାଳିମାନଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନ ଦେଇ ଯିବାକୁ ହେଉଥିଲା । ଏଠାରେ କିଛି ସ୍ଥାନୀୟ କର୍ମଚାରୀ ବି କାମ କରୁଥିଲେ । ସେମାନଙ୍କଠାରୁ କରୋନା ସଂକ୍ରମିତ ହୋଇ ଥିବାର ଆଶଙ୍କାକୁ ବି ଏଡ଼ାଇ ଦିଆଯାଇନପାରେ ।