କିନ୍ତୁ କାହିଁକି ସରକାରଙ୍କୁ ଟଙ୍କା ଫେରାଇବାକୁ ମନା କଲେ ଚାଷୀ ?

କିନ୍ତୁ କାହିଁକି ସରକାରଙ୍କୁ ଟଙ୍କା ଫେରାଇବାକୁ ମନା କଲେ ଚାଷୀ ?

ଦୀର୍ଘ ୧୭ ବର୍ଷ ପରେ ପୁରୀ ସଦର ଅଞ୍ଚଳର ୨୨ଟି ମୌଜାର ଅଧିବାସୀଙ୍କୁ ନ୍ୟାୟ ମିଳିବା ସହ ବଡ ଲଢେଇର ଯବନିକା ପଡିବାକୁ ଯାଉଛି । ପୁରୀ -କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ୍ ର ବେଲଦଳ ଅଞ୍ଚଳରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଦେଇଥିବା ଚାଷୀଙ୍କୁ ଖୁବଶୀଘ୍ର ଜମି ଫେରାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ତେବେ ପୂର୍ବରୁ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ମଧ୍ୟ ବେଦାନ୍ତର ୧୦ ହଜାର ଏକର ଜମି ଅଧିଗ୍ରହଣକୁ ବେଆଇନ୍ କହିବା ସହ ୫ ଲକ୍ଷ ଟଙ୍କାର ଜରିମନା କରିଛନ୍ତି । ୨୦୦୬ ମସିହାରେ ତତ୍କାଳୀନ ରାଜ୍ୟ ସରକାର ଅନିଲ୍ ଅଗ୍ରବାଲ ଫାଉଣ୍ଡେସନ୍ ସହ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଏମଓୟୁ କରିଥିଲେ। ତେବେ ସରକାରଙ୍କ ଜମି ଅଧିଗ୍ରହଣକୁ ୨୦୧୦ ମସିହାରେ ହାଇକୋର୍ଟ ବେଆଇନ୍ କହିଥିବା ବେଳେ କୋର୍ଟଙ୍କ ରାୟକୁ ଚାଲେଂଜ କରି ସୁପ୍ରିମକୋର୍ଟ ଯାଇଥିଲେ ଅନୀଲ ଅଗ୍ରଆଲ ଫାଉଣ୍ଡେସନ ଓ ତତ୍କାଳୀନ ରାଜ୍ୟ ସରକାର। ତେବେ ଦୀର୍ଘ ୧୭ ବର୍ଷ ପରେ ସୁପ୍ରିମକୋର୍ଟ ବେଦାନ୍ତ ବିରୁଦ୍ଧରେ ରାୟ ଦେବାପରେ ଅଞ୍ଚଳବାସୀ ବେଶ୍ ଖୁସି ପ୍ରକଟ କରିଥିବା ବେଳେ ରାଜ୍ୟ ସରକାରଙ୍କ ଜମି ଫେରାଇବା ନିଷ୍ପତିକୁ ସ୍ୱାଗତ କରିଛନ୍ତି । ସେପଟେ ୨୨ଟି ମୌଜାର ମହାପ୍ରଭୁ ଜଗନ୍ନାଥଙ୍କ ଅନେକ ଆମୃତମଣୋହୀ ଜମି ସହ ଚାଷୀଙ୍କ ସ୍ଥିତିବାନ୍ ଜମିକୁ ନବୀନ ସରକାର ଶାଗମାଛ ଦରରେ ବେଦାନ୍ତକୁ ଟେକି ଦେଇଥିଲେ । ସମସ୍ତ ନିୟମକାନୁନକୁ ପାଦରେ ଦଳିମକଚି ବେଦାନ୍ତକୁ ଅହେତୁକ ଅନୁକମ୍ପା ଦେଖାଇଥିଲେ ତତ୍କାଳୀନ ରାଜ୍ୟ ସରକାର । ଅନ୍ୟପଟେ ଦୀର୍ଘ ୧୭ ବର୍ଷ ପର‌୍ୟ୍ୟନ୍ତ ଜମିକୁ ପଡିଆ ପକେଇ ଚାଷୀ ମାରଣନୀତିକୁ ଆପଣାଇଥିଲେ ତତ୍କାଳୀନ ରାଜ୍ୟ ସରକାର । ଯାହାକୁ ନେଇ ତତ୍କାଳୀନ ନବୀନ ସରକାର କ୍ଷତିପୂରଣ ଦେବାକୁ ଦାବି ହୋଇଛି।