ଗଣତନ୍ତ୍ରକୁ ଅପଙ୍ଗ କରିଛି ବିଜେପି : ଓୱେସୀ
ଗଣତନ୍ତ୍ରକୁ ଅପଙ୍ଗ କରିଛି ବିଜେପି : ଓୱେସୀ
admin
Dec 9, 2020 - 11:26
Updated: Dec 9, 2020 - 11:26
ନୂଆଦିଲ୍ଲୀ : ଚାଷୀ ଆନେ୍ଦାଳନକୁ ନେଇ ପୁଣି ଥରେ ମୋଦି ସରକାରଙ୍କୁ ଆକ୍ରମଣ କରିଛନ୍ତି ହାଇଦ୍ରାବାଦ ସାଂସଦ ଅସଦୁଦ୍ଧିନ ଓୱେସୀ । ବିଜେପି ଦେଶରେ ଗଣତନ୍ତ୍ରକୁ ଅପଙ୍ଗ କରିଛି ବୋଲି ଓୱେସୀ କହିଛନ୍ତି । ସୋସିଆଲ ମିଡିଆରେ ଏକ ଟ୍ୱିଟ ଜରିଆରେ ଓୱେସୀ ବିଜେପିକୁ ଆକ୍ରମଣ କରିଛନ୍ତି ।
“ଅଳ୍ପ ପାଣି ନିଆଁ ଲିଭାଇବା ପାଇଁ ଯଥେଷ୍ଟ । ଗରତନ୍ତ୍ରର ସାମାନ୍ୟ ଝଲକ ତାନାଶାହୀକୁ ହଟାଇବା ପାଇଁ ଜରୁରୀ । ବିଜେପି ସରକାର ପ୍ରତିଥର ଦେଶବାସୀଙ୍କୁ ଧୋକା ଦେଇଛି । ଗଣତନ୍ତ୍ର ନାମରେ ବିମୁଦ୍ରାକରଣ, କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ନୂତନ କୃଷି ବିଲ ପାଶ କରିଛି ବିଜେପି । ବିଜେପିର ଏକଜିଦିଆ ପଣ କାରଣରୁ ଦେଶ ବିଭିନ୍ନ ସମୟରେ ସମସ୍ୟା ମଧ୍ୟ ଦେଇ ଗତି କରିଛି । ତେଣୁ ଦେଶରେ ଗଣତନ୍ତ୍ର ନୁହେଁ, ବିଜେପି ହିଁ ବାସ୍ତବ ସମସ୍ୟା” ବୋଲି ଟ୍ୱିଟ କରିଛନ୍ତି ଓୱେସୀ ।
ନିତି ଆୟୋଗର ସିଇଓ ଅମିତାଭ କାନ୍ତଙ୍କ ଏକ ଟ୍ୱିଟର ଉତ୍ତର ଦେବାକୁ ଯାଇ ଓୱେସୀ ଏହି ଟ୍ୱିଟ କରିଛନ୍ତି । ଅମିତାଭ ଲେଖିଥିଲେ ଭାରତରେ ମାତ୍ରାଧିକ ଗଣତନ୍ତ୍ର ହେତୁ କୌଣସି ଶକ୍ତ ଉନ୍ନତିମୂଳକ ପଦକ୍ଷେପ ଲାଗୁ କରିବା ଅସମ୍ଭବ । କାନ୍ତଙ୍କ ଏହି ଟ୍ୱିଟକୁ ନେଇ ଏକାଧିକ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରିଥିଲେ ।