ଜୟପୁର, ଉତକେଲା ଓ ରାଉରକେଲାରେ ହେବ ବିମାନବନ୍ଦର
ଜୟପୁର, ଉତକେଲା ଓ ରାଉରକେଲାରେ ହେବ ବିମାନବନ୍ଦର
admin
Dec 7, 2019 - 05:30
Updated: Dec 7, 2019 - 05:30
ଭୁବନେଶ୍ୱର : ରାଜ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ବିମାନସେବା ଯୋଗାଇବା ପାଇଁ କୋରାପୁଟର ଜୟପୁର, କଳାହାଣ୍ଡିର ଉତକେଲା ଓ ସୁନ୍ଦରଗଡ଼ର ରାଉରକେଲାରେ ଆଉ ୩ଟି ବିମାନବନ୍ଦର ପ୍ରତିଷ୍ଠା ହେବ । ଶୁକ୍ରବାର ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ପ୍ରଦୀପ ସିଂହ ଖାରୋଲା ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କୁ ଭେଟି ଆଲୋଚନା କରିଛନ୍ତି । ବିମାନବନ୍ଦର ନିର୍ମାଣ ପାଇଁ ଆବଶ୍ୟକ ଭିତ୍ତିଭୂମି ରାଜ୍ୟ ସରକାର ଯୋଗାଇଦେବେ । ଆଲୋଚନା ପରେ ଗଣମାଧ୍ୟମକୁ ଶ୍ରୀ ଖାରୋଲା ସୂଚନା ଦେଇ କହିଥିଲେ, ଉଡ଼ାନ୍ ୪ ଯୋଜନାରେ ଏହିସବୁ ବିମାନବନ୍ଦର ପ୍ରତିଷ୍ଠା କରାଯିବ । ବିମାନବନ୍ଦର ପ୍ରତିଷ୍ଠା ନେଇ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇବା ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ହୋଇଛି । ପୂର୍ବରୁ ଉଡ଼ାଣ ୪ରେ ଝାରସୁଗୁଡ଼ା ବିମାନବନ୍ଦରକୁ ସାମିଲ କରାଯାଇଛି । ଭୁବନେଶ୍ୱର ଆନ୍ତର୍ଜାତିକ ବିମାନବନ୍ଦରକୁ ଘରୋଇକରଣ କରିବା ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏ ନେଇ ଭାରତୀୟ ବିମାନ ସେବା ପ୍ରାଧୀକରଣ ନିଷ୍ପତ୍ତି ନେବ ବୋଲି ଶ୍ରୀ ଖାରୋଲା କହିଥିଲେ ।