ପଦ୍ମ ଧରିବେ କ୍ୟାପଟେନ!

ପଦ୍ମ ଧରିବେ କ୍ୟାପଟେନ!

ପଦ୍ମ ଧରିବେ କ୍ୟାପଟେନ!


ନୂଆଦିଲ୍ଲୀ: ପଞ୍ଜାବ ରାଜନୀତିରେ ବଡ଼ ଓଲଟପାଲଟ ହେବାକୁ ଯାଉଛି । କଂଗ୍ରେସରେ କୋଣଠେସା ହୋଇ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ କ୍ୟାପଟେନ ଅମରିନ୍ଦର ସିଂ ନେଇପାରନ୍ତି ବଡ଼ ପଦକ୍ଷେପ । ଖୁବଶୀଘ୍ର ସେ ବିଜେପିରେ ଯୋଗ ଦେବା ସହ ପଞ୍ଜାବରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରନ୍ତି । ଏମିତି ଆକଳନ ଏବେ ପଞ୍ଜାବରୁ ଦିଲ୍ଲୀ ଯାଏ ଘୂରି ବୁଲୁଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଅନୁଯାୟୀ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପିର ପ୍ରମୁଖ ନେତା ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିପାରନ୍ତି ।

  ଯଦି କ୍ୟାପଟେନ ଆଜି ଶାହ ଓ ନଡ୍ଡାଙ୍କୁ ଭେଟିବେ, ତେବେ ସେ ବିଜେପିରେ ଯୋଗ ଦେବା ଏକପ୍ରକାର ଥୟ । ସମ୍ଭବତଃ ଆଜି କିମ୍ବା ଏଇ ସପ୍ତାହରେ ଏ ନେଇ ବଡ଼ ଘୋଷଣା ହୋଇପାରେ । କୃଷି ଆଇନକୁ ନେଇ ପଞ୍ଜାବରେ ବିଜେପିର ସ୍ଥିତି ବିଗିଡ଼ିଛି । ଗୋଟିଏ ପଟେ ପୁରୁଣା ସାଥୀ ଶିରୋମଣି ଅକାଳି ଦଳ ବିଜେପିର ହାତ ଛାଡ଼ି ଦେଇଥିବାବେଳେ ପଞ୍ଜାବରେ ବିଜେପିର ମଙ୍ଗ ଧରିବାକୁ ସେଭଳି ବଡ଼ ନେତା କେହି ନାହାନ୍ତି । ଏମିତିରେ କ୍ୟାପଟେନ ଅମରିନ୍ଦର ବିଜେପି ପାଇଁ ବଡ଼ ଚେହେରା ହେବା ସହ ବିଜେପିର ଭାଗ୍ୟ ବଦଳାଇପାରନ୍ତି । 

  ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦଳର ହାଇକମାଣ୍ଡ ଓ ପିସିସି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ଉପରେ ବର୍ଷିଥିଲେ ଅମରିନ୍ଦର । ସିଦ୍ଧୁ ଦେଶ ପାଇଁ ବିପଦ  ବୋଲି କହିବା ସହ ରାହୁଲ ଗାନ୍ଧି ଓ ପ୍ରିୟଙ୍କ ଗାନ୍ଧିଙ୍କ ରାଜନୈତିକ ଅନଭିଜ୍ଞତା ବାବଦରେ ବି ମୁହାଁ ଖୋଲିଥିଲେ । ଏହାସହ ଏଆଇସିସି ମହାସଚିବ କେସି ବେଣୁଗୋପାଳ ଓ ରଣଦୀପ ସୁର୍ଜେୱାଲାଙ୍କ ଉପରେ ବି ବର୍ଷିଥିଲେ । ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ବି ତାଙ୍କ ପାଇଁ ବିକଳ୍ପ ପନ୍ଥା ଖୋଲା ଅଛି ବୋଲି ସେ ପରୋକ୍ଷରେ ଇଙ୍ଗିତ ଦେଇଥିଲେ । ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରଠୁ ବିଜେପି ମଧ୍ୟ ଅମରିନ୍ଦରଙ୍କ କଥାକୁ ସମର୍ଥନ ଜଣାଇ ରାହୁଲ, ପ୍ରିୟଙ୍କା ଓ ସିଦ୍ଧୁଙ୍କ ଉପରେ ବର୍ଷି ଚାଲିଥିଲା । ବିଜେପିର କେତେକ ନେତା ଅମରିନ୍ଦରଙ୍କୁ ବିଜେପିରେ ମିଶିବା ପାଇଁ ଖୋଲା ପ୍ରସ୍ତାବ ଦେଇଥିଲେ ।