ମହିଳା ବିଡିଓଙ୍କ ଦୁଃସାହସ

ମହିଳା ବିଡିଓଙ୍କ ଦୁଃସାହସ

ମହିଳା ବିଡିଓଙ୍କ ଦୁଃସାହସ
ନବରଙ୍ଗପୁର: ଲଗାଣ ବର୍ଷାରେ ଉଛୁଳୁଇଫଲା ଭାସ୍କେଲ ଓ ଇନ୍ଦ୍ରାବତୀ ନଦୀର ସଙ୍ଗମସ୍ଥଳ । କୋଷାଗୁମୁଡ଼ା ବ୍ଲକର ଘାଟବାସୁଲିରେ ଥିବା ଅକାତକାତ ପାଣି । ଏମିତି ସୁଅ ଛୁଟୁଥିଲା ଯେ, ଛାତି ଥରାଇ ଦେଉଥିଲା । ଜୀବନ ରକ୍ଷାକାରୀ ସବୁ ଉପକରଣ ଥାଇ ବି ପାହାଡ଼ି ନଦୀରେ ଜଳଯାତ୍ରା କରିବାକୁ ପୁରୁଷ କର୍ମଚାରୀଙ୍କ ମନରେ ଭୟ ସଂଚାର ହେଉଥିଲା । ହେଲେ ନିଜ ସାହସିକତାର ପରିଚୟ ଦେଇଥିଲେ ମହିଳା ବିଡିଓ ଶାନ୍ତିପ୍ରଭା ପ୍ରଧାନ । ଲହଡ଼ି ଭାଙ୍ଗୁଥିବା ଗଭୀର ଜଳରାଶିରେ ରବର ବୋଟ୍ରେ ଯାତ୍ରା କରି ପହଞ୍ଚିଥିଲେ ଅନେକ ଜଳବନ୍ଦୀ ଗାଁରେ । ପାଣି ଘେରରେ ଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତରେ ଯୋଗାଇ ଦେଇଥିଲେ ରିଲିଫ । ପାଣି ପଶିବାର ମାତ୍ର ୩ ଘଣ୍ଟା ଭିତରେ ରିଲିଫ ସହ ବିପନ୍ନଙ୍କ ପାଖରେ ପହଞ୍ଚି ଯାଇଥିଲେ । ସାଙ୍ଗରେ ଥିଲେ ଅନ୍ୟ ଅଧିକାରୀମାନେ ବନ୍ୟା ପରିସ୍ଥିତିର ତ୍ୱରିତ ମୁକାବିଲା କରିଥିଲେ । ଫେରିବା ବେଳେ ନାକେଦମ ହେଲେ । କିନ୍ତିୁ ସାହସର ସହ ପରିସ୍ଥିତିର ସାମ୍ନା କରିଥିଲେ । ଘନ ଅନ୍ଧାର ରାତିରେ ନଦୀ ଭିତରେ ଫସି ଯାଇଥିଲା ବୋଟ୍ । ତଥାପି ବହୁ କଷ୍ଟରେ ପହଞ୍ଚିଥିଲେ କୂଳରେ । ତାଙ୍କର ଏଭଳି ସାହସିକତା ପାଇଁ ବିଭିନ୍ନ ମହଲରେ ଦିଆଯାଇଛି ସାବାସୀ । ତିନି ଦିନର ଲଗାଣ ବର୍ଷା ପରେ ଅଚାନକ ଉପରମୁଣ୍ଡରୁ ପାଣି ମାଡ଼ି ଆସିଥିଲା ତଳମୁଣ୍ଡକୁ । କୋଷାଗୁମୁଡ଼ା ବ୍ଲକର ୯ଟି ଗାଁକୁ ଜଳବନ୍ଦୀ କରି ଦେଇଥିଲା । ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସୃଷ୍ଟି ହୋଇଥିଲା ଏଭଳି ପରିସ୍ଥିତି । ସ୍ଥିତି ଭୟଙ୍କର ହେଉଥିବା ଦେଖି ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇଥିଲେ ବିଡିଓ ଶାନ୍ତିପ୍ରଭା । ଓଡ୍ରାଫ ଟିମ୍ ସହିତ ରବର ବୋଟରେ ଜଳବନ୍ଦୀ ଗାଁକୁ ରିଲିଫ ଦେବାକୁ ବାହାରିଥିଲେ । କୋଡ଼ିଙ୍ଗା ତହସିଲଦାର ସବ୍ୟସାଚୀ ଜେନା, ଅନ୍ୟ କେତେକ ସରକାରୀ କର୍ମଚାରୀ ଏବଂ ପୁଲିସ କର୍ମଚାରୀଙ୍କୁ ଧରି ୨ଟି ରବ ବୋଟରେ ରିଲିଫ ସାମଗ୍ରୀ ସହ ପହଞ୍ଚିଥିଲେ ବନ୍ୟା ବିପନ୍ନଙ୍କ ନିକଟତର । ସେ ସବୁ ସାମଗ୍ରୀ ବାଣ୍ଟି ଫେରିବା ବେଳକୁ ଅନ୍ଧାର ହୋଇଯାଇଥିଲା । ଭାସ୍କେଲ ନଦୀର ସେପଟେ ଅର୍ଥାତ ଛତିଶଗଡ଼ ଏନଏମଡିସି ନଗରନାର ଅଞ୍ଚଳରେ ଜଳୁଥିଲା ଲାଇଟ । କିନ୍ତୁ ଏପଟେ ଓଡ଼ିଶା କୂଳ ଥିଲା ଅନ୍ଧାର । ସମସ୍ତଙ୍କୁ ପହଞ୍ଚିବାର ଥିବା ନବରଙ୍ଗପୁର ଜିଲ୍ଲା ବରଗାଁ ନିକଟ ଭାସ୍କେଲ ନଈ କୂଳରେ । ବିଡିଓ ଥିବା ପ୍ରଥମ ରବ ବୋଟ୍ ବାଟବଣା ହୋଇଯାଇଥିଲା । ପରେ ବହୁ କଷ୍ଟରେ ଜିପିଏସ ସିଗ୍ନାଲକୁ ପାଥେୟ କରି ନଦୀର ଅଙ୍କାବଙ୍କା ଜଳପଥରେ ଆସି ପହଞ୍ଚିଥିଲା ବରଗାଁ କୂଳରେ ସେତେବେଳକୁ ରାତି ପ୍ରାୟ ସାଢ଼େ ଆଠଟା ବାଜି ଯାଇଥିଲା । ଦ୍ୱିତୀୟ ରବର ବୋଟ୍ଟି ବାଟବଣା ହୋଇ ଛତିଶଗଡ଼ ଆଡ଼କୁ ଚାଲିଯାଇଥିଲା ।