ଲୋକାର୍ପିତ ହେଲା ନୂଆ ଟିଭି ଚ୍ୟାନେଲ 'ବଡ଼ ଖବର'ର ଲୋଗୋ
ଲୋକାର୍ପିତ ହେଲା ନୂଆ ଟିଭି ଚ୍ୟାନେଲ 'ବଡ଼ ଖବର'ର ଲୋଗୋ
admin
Aug 17, 2020 - 05:24
Updated: Aug 17, 2020 - 05:24
ଭୁବନେଶ୍ୱର: ଆସୁଛି ନୂଆ ଓଡ଼ିଆ ସ୍ୟାଟେଲାଇଟ୍ ନ୍ୟୁଜ୍ ଚ୍ୟାନେଲ 'ବଡ଼ ଖବର'। ସ୍ୱାଧୀନତା ଦିବସରେ ଭର୍ଚୁଆଲ କାର୍ୟ୍ୟକ୍ରମରେ ଏହାର ଲୋଗୋ ଲୋକାର୍ପିତ ହୋଇଛି। 'ବଡ଼ ଖବର' ଓଡ଼ିଶାବାସୀଙ୍କ ମୁଖପାତ୍ର ହେବ ବୋଲି ଘୋଷଣା କରିଛନ୍ତି ଏହାର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ। ଏହି ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ ନିଆରା ଢଙ୍ଗରେ ଅତିଥି ଭାବେ ସ୍ୱୟଂ ମହାପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସ୍ଥାପନା କରାଯାଇଥିଲା। 'ବଡ଼ ଖବର' ଲୋଗୋ ଉନ୍ମୋଚନ ପରେ ଏହାର ଆଭିମୁଖ୍ୟ ସଂପର୍କରେ ରାଜ୍ୟବାସୀଙ୍କ ଆଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରଖିଥିଲେ ଅର୍ଦ୍ଧେନ୍ଦୁ। ଓଡ଼ିଶା ଟେଲିଭିଜନ ଇତିହାସରେ ପ୍ରଥମ ଥର କୌଣସି ପୁଞ୍ଜିପତି କିମ୍ବା ରାଜନେତାଙ୍କ ପୃଷ୍ଠପୋଷକତା ବିନା କିଛି ସାମ୍ବାଦିକଙ୍କ ଉଦ୍ୟମରେ ଏହି ସ୍ୟାଟେଲାଇଟ୍ ଟିଭି ଚ୍ୟାନେଲ ତିଆରି ହୋଇଥିବା ସେ କହିଛନ୍ତି।
ଏହା ସହ ସେ କହିଥିଲେ, ଗଣମାଧ୍ୟମ ଚାପରେ ଅଛି। ସାଧାରଣ ଲୋକଙ୍କ ପାଇଁ ଦି'ପଦ କହିବାର ଦମ୍ଭ ରଖୁ ନାହିଁ। ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କୁ ଲୋକଙ୍କ ପ୍ରଶ୍ନ ପଚରାଯାଉ ନାହିଁ। ଯାହା ତାଙ୍କ ମନରେ ବିଦ୍ରୋହ ତିଆରି କରାଇଛି। ସେଥିଲାଗି ସେ ଭୟ ଓ ଚାପକୁ ଅଣଦେଖା କରି ଏକ ନିରପେକ୍ଷ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ଆରମ୍ଭ କରିବାକୁ ପ୍ରୟାସ କରିଛନ୍ତି। ତାଙ୍କ ପାଖରେ ଅର୍ଥବଳ ନାହିଁ। ତେଣୁ ରାଜ୍ୟବାସୀଙ୍କ ସହଯୋଗ ଓ ସମର୍ଥନରେ ହିଁ ଏହି ଚ୍ୟାନେଲ ଆଗକୁ ବଢିବ। ଏହି ଚ୍ୟାନେଲ ପାଇଁ ସାଧାରଣ ଲୋକଙ୍କ ଖବର ହିଁ ବଡ଼ ହେବ। ଏହି ଚ୍ୟାନେଲ ଲୋକଙ୍କ ସହ ରହିବ, ଲୋକଙ୍କ ସମସ୍ୟା ବୁଝିବ, ଲୋକଙ୍କ କଥା କହିବ। ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କୁ ଲୋକଙ୍କ ପ୍ରଶ୍ନ ପଚାରିବ। ମହାମାରୀର ଏହି ଘଡ଼ିସନ୍ଧି ମୁହୁର୍ତ୍ତରୁ ହିଁ ଲୋକଙ୍କ ସମସ୍ୟା ସାମ୍ନାକୁ ଆଣିବାର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି। ପୂର୍ବରୁ ଅନେକ ସଂସ୍ଥାରେ ଚାକିରି କରି ସେ ଦୁର୍ନୀତି ବିରୋଧରେ ଖବର ପ୍ରସାରଣକୁ ପ୍ରାଧାନ୍ୟ ଦେଇଛନ୍ତି। ଏବେ ସେହି କାମ ଆହୁରି ଜୋରଦାର ହୋଇପାରିବ ବୋଲି ସେ କହିଛନ୍ତି। ମାତ୍ର କିଛି ଦିନ ମଧ୍ୟରେ 'ବଡ଼ ଖବର'ର ପ୍ରସାରଣ ଆରମ୍ଭ ହେବ। ସମସ୍ତ କେବଲ ଓ ଡିଟିଏଚ ପ୍ଲାଟଫର୍ମରେ ଏହାକୁ ଦର୍ଶକ ଦେଖିପାରିବେ।