୧୦ଟି ପ୍ରସ୍ତାବରେ କ୍ୟାବିନେଟ ମୋହର
୧୦ଟି ପ୍ରସ୍ତାବରେ କ୍ୟାବିନେଟ ମୋହର
admin
Sep 26, 2019 - 07:32
Updated: Sep 26, 2019 - 07:32
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ, ଅର୍ଥ,ଆଇନ, ପୂର୍ତ୍ତ ଓ ରାଜସ୍ୱ ବିଭାଗର ୧୦ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି।
୬୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହକୁ ଅନୁମୋଦନ କରାଯାଇଛି। ଏଣିକି ୪୮ ଘଣ୍ଟା ମଧ୍ୟରେ ଚାଷୀ ଧାନ ବିକ୍ରି ଟଙ୍କା ପାଇବେ ବୋଲି ସେ କହିଛନ୍ତି। ସରକାରୀ ଟଙ୍କା ବାକି ଥିଲେ ମିଲର ଧାନ କିଣି ପାରିବେନି । ଏଣିକି ଧାନ କିଣାରେ ମହିଳା ଏସଏଚଜି ନିୟୋଜିତ ହେବେ।
ବୈଠକରେ ସ୍ବଳ୍ପ ସଞ୍ଚୟ ସଂସ୍ଥାର କାର୍ଯ୍ୟ ପରିସର ସଂଶୋଧନକୁ ଅନୁମୋଦନ ମିଳିଛି। ସଂସ୍ଥାର କର୍ମଚାରୀଙ୍କୁ ବିତ୍ତୀୟ ସାକ୍ଷରତା, ଡିବିଟି ଓ ଅଣନଗଦ କାରବାରରେ ନିୟୋଜିତ କରାଯିବାର ନିଷ୍ପତ୍ତି ହୋଇଛି।ବରମୁଣ୍ଡା ବସଷ୍ଟାଣ୍ଡ ପାଇଁ ଚୁକ୍ତିକୁ କ୍ୟାବିନେଟର ଅନୁମୋଦନ ମିଳିଛି।ତାହା ଅନୁଯାୟୀ ବସଷ୍ଟାଣ୍ଡ ପାଇଁ ଖର୍ଚ୍ଚ ହେବ ୧୬୦.୬୬ କୋଟି ଟଙ୍କା। ୨ ବର୍ଷରେ ଏହି କାମ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏବଂ ଠିକା ସଂସ୍ଥା ଜରିଆରେ ୫ ବର୍ଷ ଯାଏଁ ଏହାର ପରିଚାଳନା କରାଯିବ ବୋଲି ନିଷ୍ପତ୍ତି ହୋଇଛି।
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ୨.୪୭୮ ଏକର ମାଗଣା ଜମି, ଖୋର୍ଦ୍ଧାର ବାଙ୍କୁଆଳରେ ଆଞ୍ଚଳିକ ପ୍ରତିଷ୍ଠାନ ପାଇଁ ଜମି ମଞ୍ଜୁର କରାଯିବାକୁ ନିଷ୍ପତ୍ତି ହୋଇଛି। ପୂର୍ତ୍ତ ବିଭାଗର ୩ଟି ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ଯାଜପୁରର ଟମକା-ମଙ୍ଗଳପୁର ୪ ଲେନ୍ ରାସ୍ତା ପାଇଁ ମଞ୍ଜୁରି, ୨୬ କିମି ରାସ୍ତା ପାଇଁ ଡିଏମଏଫରୁ ୧୧୭ କୋଟି ଟଙ୍କା ଦିଆଯିବ ବୋଲି ଜଣାଯାଇଛି। ରାଜ୍ୟର ୨ଟି ମେଡିକାଲ କଲେଜର ଆନୁସଙ୍ଗିକ କାର୍ଯ୍ୟ ପାଇଁ ଟେଣ୍ଡରକୁ ମଧ୍ୟ ମଞ୍ଜୁରି ମିଳିଛି।
ଏଥିରେ ବାଲେଶ୍ବର ମେଡିକାଲ କଲେଜ ପାଇଁ ୧୪୪.୯୮ କୋଟି ଟଙ୍କା ଏବଂ ବଲାଙ୍ଗିର ମେଡିକାଲ କଲେଜ ପାଇଁ ୧୪୨.୪୬ କୋଟି ଟଙ୍କା ଖର୍ଚ୍ଚ ହେବ।ଏହି ୨ଟି ମେଡିକାଲ କଲେଜର କାମ ଅଢ଼େଇ ବର୍ଷରେ ସରିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।