କୋଟପାଡ ଆସନରେ ତ୍ରିମୁଖୀ ଲଢେଇ

କୋଟପାଡ ଆସନରେ ତ୍ରିମୁଖୀ ଲଢେଇ

କୋଟପାଡ ଆସନରେ ତ୍ରିମୁଖୀ ଲଢେଇ
କୋଟପାଡ: ସାଧାରଣ ନିର୍ବାଚନ ଯେତିକି ପାଖଉଛି, ବିଭିନ୍ନ ଦଳରେ ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି । କୋରାପୁଟ ଜିଲ୍ଲା କୋଟପାଡ ଆସନରେ ଏଥର ବିଜେଡି ପକ୍ଷରୁ ପଦ୍ମିନୀ ଦିଆନ, ବିଜେପିରୁ ଖଗେଶ୍ୱର ପୂଜାରୀ ଏବଂ କଂଗ୍ରେସରୁ ବିଧାୟକ ଚନ୍ଦ୍ରଶେଖର ମାଝୀ ପ୍ରାର୍ଥୀ ହୋଇଛନ୍ତି । ଚନ୍ଦ୍ରଶେଖର ଦ୍ୱିତୀୟଥର ପାଇଁ ବାଜିମାତ୍ ଲକ୍ଷ୍ୟରେ ଥିବା ବେଳେ ପଦ୍ମନୀ ଓ ଖଗେଶ୍ୱର ନୂଆ ମୁହଁ ଭାବେ ମୈଦାନକୁ ଓହ୍ଳାଇଛନ୍ତି । ତଥାପି ଏଥର ଏଠାରେ ତ୍ରିମୁଖୀ ଲଢେଇ ହେବ ବୋଲି କୁହାଯାଉଛି । କଂଗ୍ରେସ ନିଜ ଗଡ ବଜାୟ ଲକ୍ଷ୍ୟରେ ଥିବା ବେଳେ ବିଜେଡି ଓ ବିଜେପି ପକ୍ଷରୁ ଏହି ଆସନ ଅକ୍ତିଆର ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି । ଏ ଭିତରେ କେବଳ ଚନ୍ଦ୍ରଶେଖର ନାମାଙ୍କନ ଦାଖଲ କରାଯିବ । ସେହିପରି ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ଅନ୍ୟ କେତେ ଜଣ ପ୍ରାର୍ଥିପତ୍ର ଦାଖଲ କରିବେ । ଆଦିବାସୀଙ୍କ ପାଇଁ ସଂରକ୍ଷିତ କୋଟପାଡ ଆସନ । ୨୦୧୪ ନିର୍ବାଚନରେ ଏଠାରେ ବିଜୟୀ ହୋଇଥିଲେ କଂଗ୍ରେସର ଚନ୍ଦ୍ରଶେଖର ମାଝୀ । ଏଥର ମଧ୍ୟ ଦଳ ତାଙ୍କୁ ପ୍ରାର୍ଥୀ କରିଛି । ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଏହାକୁ ଆଖି ଆଗରେ ରଖି ଚନ୍ଦ୍ରଶେଖର ନିଜ ସମର୍ଥକ ସହ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଛି । ଦ୍ୱିତୀୟଥର ପାଇଁ ବିଧାୟକ ହେବା ଲକ୍ଷ୍ୟରେ କର୍ମୀମାନଙ୍କୁ ନେଇ ସଂଗଠନ ସୁଦୃଢ କରିବାରେ ଲାଗିଛନ୍ତି । ଦଳରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗ ନିଲମ୍ବିତ ହୋଇଥିବା ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଚଂଚଳ କୁମାର ଗୁଜରାଳଙ୍କ ଉପରୁ ନିଳମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି । ଏବେ ସକ୍ରିୟ ଭାବେ ଦଳପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ବିଜେଡି ଏଥର ଏଠାରେ ଖେଳିଛି ମହିଳା କାର୍ଡ । ପଦ୍ମିନୀଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ । ପଦ୍ମନୀଙ୍କୁ ପ୍ରାର୍ଥୀ କରି ମହିଳା ଭୋଟରଙ୍କ ସମର୍ଥନ ଜୁଟାଇବାକୁ ଆଶା ରଖିଛି । କିନ୍ତୁ ପଦ୍ମିନୀଙ୍କ ଟିକେଟ ଦିଆଯିବା ପରେ ଦଳରେ ଅନ୍ୟ ଆଶାୟୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅସନ୍ତୋଷ । ବିଶେଷକରି ଦଳର ଆଶାୟୀ ତଥା ଅଖିଳ ଭାରତୀୟ ଆଦିବାସୀ ଭତ୍ରା ବିକାଶ ପରିଷଦର ଜିଲ୍ଲା ସଭାପତି ନୀଳକଣ୍ଠ ପୂଜରୀ ଏଥର ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହେବାକୁ ନିଷ୍ପତି ନେଇଛନ୍ତି । ସୋମବାର ସେ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡିଛି । ଏ ସମ୍ପର୍କରେ ଶ୍ରୀ ପୂଜାରୀଙ୍କୁ ଯୋଗାଯୋଗ କରିବାକୁ ସେ କହିଛନ୍ତି ଯେ ତାଙ୍କ ସମେତ ଖଗେଶ୍ୱର ଓ ବିକ୍ରମ ମାଝୀ ଏହି ଆସନ ପାଇଁ ଆଶାୟୀ ଥିଲେ । ସେମାନଙ୍କ ମଧ୍ୟରୁ ଜଣଙକକୁ ଟିକେଟ ଦେବା ଲାଗି ଲିଖିତ ଭାବେ ଦଳ ପାଖରେ ଜଣାଇଥିଲୁ । କିନ୍ତୁ ସେଥିପ୍ରତି ଦୃଷ୍ଟି ଦିଆନଯାଇ ପଦ୍ମିନୀଙ୍କୁ ପ୍ରାର୍ଥୀ କରାଗଲା । କେବଳ ନୀଳକଣ୍ଠ ନୁହନ୍ତି, ବିଜେଡିର ଟିକେଟକୁ ନେଇ ଅନ୍ୟତମ ଆଶାୟୀ ବିକ୍ରମ ମଧ୍ୟ ଅସନ୍ତୁଷ୍ଟ ଥିଲେ । ସେ ବି ସ୍ୱାଧୀନ ଭାବେ ଲଢିବାକୁ ନିଷ୍ପତି ନେଇଥିଲେ । କିନ୍ତୁ ନିର୍ବାଚନ ମୈଦାନକୁ ନଓହ୍ଳାଇ ନିଜ ଦାଦା ତଥା କଂଗ୍ରେସର ଚନ୍ଦ୍ରଶେଖରଙ୍କୁ ସହାୟତାର ହାତ ବଢାଇକୁ ବୁଝାସୁଝା କରିଥିଲେ କଂଗ୍ରେସ କର୍ମୀମାନେ । ବିଶେଷକରି ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ମଣି ପ୍ରସାଦ ପଟ୍ଟନାୟକ, ଉପାଧ୍ୟକ୍ଷ ବାପୁନ ତ୍ରିପାଠୀ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ରଞ୍ଜିତ କୁମାର ପଟ୍ଟନାୟକ , କାଳୀଚରଣ ହୋତା ପ୍ରମୁଖ ତାଙ୍କୁ ବୁଝାସୁଝା କରିଥିଲେ । ଏହାପରେ ସେ ତାଙ୍କ ନିଷ୍ପତିରୁ ଓହରିଥିବା ଜଣାପଡିଛି । ସୋମବାର ବିଜେପିରୁ ଖଗେଶ୍ୱର ଏବଂ ସମାଜବାଦୀ ପାର୍ଟି ଏବଂ ବିଏସ୍ପି ମେଂଟ ପ୍ରାର୍ଥୀଭାବେ ମଙ୍ଗଳସାଇ ମାଝୀ ପାର୍ଥିପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । କୁହାଯାଉଛି ବିଜେଡିରେ ବିଦ୍ରୋହ ସୃଷ୍ଟି ହୋଇଥିବାରୁ ଏହାର ଫାଇଦା ଉଠାଇବେ ଉଭୟ କଂଗ୍ରେସ ଓ ବିଜେପି । ସୂଚନା ଥାଉକି , ଏହି ନିର୍ବାଚନମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ହେଉଛି ୧ ଲକ୍ଷ ୯୪ ହଜାର ୩୬୨ । କୋଟପାଡର ୧୭, କୁନ୍ଦୁରା ବ୍ଳକର ୧୮, କୋଟପାଡ ଏନ୍ଏସିର ୧୩ଟି ୱାର୍ଡ ଏବଂ ବୈପାରିଗୁଡା ବ୍ଳକର ୯ଟି ପଂଚାୟତକୁ ନେଇ ଗଠିତ ଏହି ଆସନ । କେବଳ ଦେଖିବାର କଥା, ଏଥର ଏଠରେ ଜନତା ଜନାର୍ଦ୍ଦନ ସପକ୍ଷରେ ଯାଉଛନ୍ତି ।