୧୩ ବର୍ଷର ପୁଅ ଚଳାଇଲା କାର, ୨୫ ହଜାର ତଣ୍ଡ ଗଣିଲେ ଶିକ୍ଷକ ବାପା
୧୩ ବର୍ଷର ପୁଅ ଚଳାଇଲା କାର, ୨୫ ହଜାର ତଣ୍ଡ ଗଣିଲେ ଶିକ୍ଷକ ବାପା
admin
Dec 25, 2019 - 09:08
Updated: Dec 25, 2019 - 09:08
ରାୟଗଡ଼ା - ୧୩ ବର୍ଷର ପୁଅ ଚଳାଇଲା କାର । ବାପା ଗଣିଲେ ୨୫ ହଜାର ତଣ୍ଡ । ପରିବହନ ଓ ପୁଲିସ କର୍ମଚାରୀ ପହଞ୍ଚି ଜରିମାନା ଆଦାୟ କଲେ । ରାୟଗଡ଼ା ସହରରେ ମଙ୍ଗଳବାର ଏଭଳି ଘଟଣା ଦେଖିବାକୁ ମିଳିଛି । ଜରିମାନା ଗଣିଛନ୍ତି ଅଶୋକ ନଗରରେ ରହୁଥିବରା ଶିକ୍ଷକ ଶେଖ ତାଫିରୁଦ୍ଧିନ ।
ସହରର ବ୍ୟସ୍ତବହୁଳ ରିଂ-ରୋଡରେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଉକ୍ତ ଶିକ୍ଷକଙ୍କ ୧୩ ବର୍ଷର ପୁଅ ଏକ କାର ଚଳାଇ ଯାଉଥିଲେ । ଗାଡ଼ିରେ ବସିଥିଲେ ଜଣେ ସମ୍ପର୍କୀୟ ଭାଇ । ଭାଇ ମଧ୍ୟ ନାବାଳକ ଥିଲେ । ଉଭୟ କାରରେ ଯାଉଥିବା ବେଳେ ସ୍ଥାନୀୟ ପୁଲିସ ଲୋକ ଦେଖି କାରକୁ ଅଟକାଇଥିଲେ । ପରେ ପରିବହନ କାର୍ଯ୍ୟାଳୟ ଓ ଥାନାକୁ ସୂଚନା ଦେଇଥିଲେ । ଆରଟିଓ ଦିଲ୍ଲୀପ କୁମାର ଦଳାଇ ଏବଂ ପୁଲିସ ଏସଆଇ ମାନସ ସାହୁ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଗାଡ଼ି ଜବତ କରିଥିଲେ । ଗାଡ଼ି ଯାଞ୍ଚ ରିପୋର୍ଟ ଅନଲାଇନରେ ଦାଖଲ କରି ପୁଲିସ ୨୫ ହଜାର ଟଙ୍କା ଫାଇନ କରିଥିଲା । ଗାଡ଼ି ମାଲିକ ତଥା ନାବାଳକର ବାପା ତାଫିରୁଦ୍ଧିନଙ୍କଠାରୁ ଏହି ଜରିମାନା ଆଦାୟ କରାଯିବ କହି ଆରଟିଓ କର୍ମକର୍ତ୍ତା ଗାଡ଼ିଟିକୁ ପରିବହନ କାର୍ଯ୍ୟାଳୟକୁ ନେଇ ଯାଇଥିଲେ । ସମ୍ପୃକ୍ତ ଶିକ୍ଷକ ଓ ତାଙ୍କ ନାବାଳକ ପୁଅ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଉଭୟଙ୍କୁ ପୁଲିସ ଓ ଆରଟିଓ କର୍ମଚାରୀ କାଉନସେଲିଂ କରିଥିଲେ ।