ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ବିବନ ନାଁରେ ଚାର୍ଜସିଟ୍ ଦାଖଲ
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ବିବନ ନାଁରେ ଚାର୍ଜସିଟ୍ ଦାଖଲ
admin
May 12, 2021 - 11:16
Updated: May 12, 2021 - 11:16
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ପକ୍ଷରୁ ଫାଇନାଲ ଚାର୍ଜସିଟ ଦାଖଲ କରାଯାଇଛି । ସିବିଆଇ କୋର୍ଟରେ ଫାଇନାଲ ଚାର୍ଜସିଟ ଦାଖଲ କରାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଲା ଯେ, ଉକ୍ତ ଚାର୍ଜସିଟରେ ବିବନକୁ ଛାଡ଼ି ଅନ୍ୟ କାହାରି ନାମ ନାହିଁ ।
ପ୍ରକାଶ ଯେ, ଅଞ୍ଜନା ମିଶ୍ରଙ୍କୁ ୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ କଟକ-ବାରଙ୍ଗ ଥାନା ଅଞ୍ଚଳର ଗଣଦୁଷ୍କର୍ମ କରାଯାଇଥିଲା। ଏହି ଜଘନ୍ୟକାଣ୍ଡ ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ଘଟାଇଥିବା ଅଭିଯୋଗ ହୋଇଥିଲା। ଘଟଣାର ୧୭ ଦିନ ପରେ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ହୋଇଯାଇଥିଲା। ପୁଲିସ ବିବନଙ୍କ ପତ୍ତା ପାଇନଥିଲା। ଏହି ଘଟଣା ସମୟରେ ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା। ଏହି ଲୋମହର୍ଷଣକାରୀ ଘଟଣାକୁ ନେଇ ସେତେବେଳେ ରାତାରାତି ବଦଳି ଯାଇଥିଲା ରାଜ୍ୟରେ ରାଜନୈତିକ ଚିତ୍ର। ଘଟଣାର କିଛି ଦିନ ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା।
ତେବେ ୨୨ ବର୍ଷ ଧରି ପୁଲିସ ସହ ଲୁଚକାଳି ଖେଳୁଥିବା ବିବନକୁ କମିଶନରେଟ ପୁଲିସ ଲୋନାୱାଲା ରାସ୍ତାର ଆମ୍ବିଭ୍ୟାଲିରୁ ଗିରଫ କରିଥିଲା । କୋର୍ଟରେ ହାଜର କରିବା ପରେ ତାକୁ ଜେଲକୁ ପଠାଇ ଦିଆଯାଇଥିଲା । ପରେ ଝାରପଡ଼ା ଜେଲରେ ତା’ର ଟିଆଇ ପରେଡ଼ କରାଯାଇଥିବାବେଳେ ଅଞ୍ଜନା ଓ ତାଙ୍କ ଡ୍ରାଇଭର ନୀଳକଣ୍ଠ ରାଉତ ତାକୁ ଚିହ୍ନଟ କରିଥିଲେ ।