ନନ୍ଦନକାନରେ ଆଉ ଏକ ଆନାକୋଣ୍ଡା ମୃତ

ନନ୍ଦନକାନରେ ଆଉ ଏକ ଆନାକୋଣ୍ଡା ମୃତ

 ନନ୍ଦନକାନରେ ଆଉ ଏକ ଆନାକୋଣ୍ଡା ମୃତ
ଭୁବନେଶ୍ୱର: ଶନିବାର ନନ୍ଦନକାନରେ ଆଉ ଏକ ଆନାକୋଣ୍ଡା ସାପର ମୃତୁ୍ୟ ହୋଇଛି । ଗୁରୁବାର ଦିନ ଏକ ଆନାକୋଣ୍ଡାର ମୃତୁ୍ୟ ହୋଇଥିଲା । ଏବେ ଆନାକୋଣ୍ଡା ମୃତୁ୍ୟ ସଂଖ୍ୟା ୨କୁ ବୃଦ୍ଧି ପାଇଥିବାବେଳେ ଆଉ ୩ଟି ଆନାକୋଣ୍ଡା ଅସୁସ୍ଥ ଥିବା ଜଣାଯାଇଛି । ତେବେ ସ୍ଥିତି ପରଖିବା ପାଇଁ ଚେନ୍ନାଇରୁ ଏକ ସ୍ୱତନ୍ତ୍ର ଟିମ ନନ୍ଦନକାନନ ଆସୁଛି । କିଛି ଦିନ ତଳେ ଚେନ୍ନାଇରୁ ମୋଟ ୮ଟି ଆନାକୋଣ୍ଡା ସାପ ଅଣାଯାଇଥିଲା । ସୂଚନା ମୁତାବକ, ଗତ ଅକ୍ଟୋବର ୨୨ରେ ଚେନ୍ନାଇସ୍ଥିତ କ୍ରୋକୋଡାଇଲ୍‌ ବ୍ୟାଙ୍କରୁ ୮ଟି ଆନାକୋଣ୍ଡା ଏବଂ ୩ଟି ନାଇଲ(ନୀଳନଦୀ) କୁମ୍ଭୀର ନନ୍ଦନକାନନ ଆସିଥିଲେ। ସେଠାକାର ଚିଡ଼ିଆଖାନା କର୍ତ୍ତୃପକ୍ଷ ନନ୍ଦନକାନନକୁ ଏସବୁ ଉପହାରସ୍ବରୂପ ପ୍ରଦାନ କରିଥିଲେ। ଆନାକୋଣ୍ଡାମାନଙ୍କ ମଧ୍ୟରେ ୪ଟି ଅଣ୍ଡିରା ଏବଂ ୪ଟି ମାଈ ଆନାକୋଣ୍ଡା ରହିଥିଲେ। ଏମାନଙ୍କୁ ୪୫ ନମ୍ବର ଖୁଆଡ଼ରେ ରଖାଯାଇଥିଲା। ଗତ ଗୁରୁବାର ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଥିଲାବେଳେ ଆଉ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଥିବା ଶନିବାର ସକାଳେ ଦେଖିବାକୁ ମିଳିଥିଲା। ନନ୍ଦନକାନନ କର୍ତ୍ତୃପକ୍ଷ ଆନାକୋଣ୍ଡାମାନଙ୍କର ଯତ୍ନ ନେବାରେ ବିଫଳ ହୋଇଥିବା ଏହି ଦୁଇଟି ଘଟଣାରୁ ସ୍ପଷ୍ଟ ହୋଇଛି ବୋଲି ପ୍ରାଣୀପ୍ରେମୀମାନେ ଅଭିଯୋଗ କରିଛନ୍ତି। ତେବେ କେଉଁ କାରଣରୁ ଆନାକୋଣ୍ଡାଙ୍କର ମୃତ୍ୟୁ ଘଟୁଛି ତାହାର ଅନୁଧ୍ୟାନ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ ପରେ ଏ ସମ୍ପର୍କରେ ଜଣାପଡ଼ିପାରେ।