ପଣଷଡ଼ିହାରେ କଂଗ୍ରେସର ଗର୍ଜନ ସମାବେଶ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କୁ ଠକିଛନ୍ତି; ଜୟଦେବ
Jayadev jena
ଆନନ୍ଦପୁର : କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ବିଜେଡ଼ି ସରକାର ସାଧାରଣ ଲୋକମାନଙ୍କ ଆସ୍ଥା ହରାଇଛନ୍ତି। ବିଶେଷକରି ଏହି ଦୁଇ ସରକାର ଅମଳରେ ଆଦିବାସୀମାନେ ସବୁଠାରୁ ଅଧିକ ଠକିଥିବାବେଳେ ସବୁଠାରୁ ଅଧିକ ଅବହେଳାର ଶିକାର ହୋଇଛନ୍ତି। କେନ୍ଦ୍ରର ବିଜେପି ସରକାରକୁ ହଟାଇବାକୁ କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀ ସଂକଳ୍ପ ନେଇଥିବାବେଳେ ୨୦୨୪ରେ ରାଜ୍ୟ ସରକାର ଗାଦିଚ୍ୟୁତ ହେବା ଏକପ୍ରକାର ନିଶ୍ଚିତ। ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଫେରିବା ନିଶ୍ଚିତ ବୋଲି ପୁର୍ବତନ ପିସିସି ସଭାପତି ଜୟଦେବ ଜେନା ଆନନ୍ଦପୁର ବ୍ଳକ ପଣଷଡ଼ିହାରେ ଆୟୋଜିତ ଏକ ସମାବେଶରେ ମତବ୍ୟକ୍ତ କରିଛନ୍ତି।
ସାରାଦେଶରେ ରାହୁଲଙ୍କ ନେତୃତ୍ବକୁ ଅଦ୍ଭୁତପୁର୍ଣ୍ଣ ଜନ ସମର୍ଥନ ମିଳୁଥିବାବେଳେ ବିଜେପି ତାଙ୍କୁ ରୋକିବାକୁ ହୀନ ଚକ୍ରାନ୍ତ କରୁଥିବା ନେଇ ଶ୍ରୀଜେନା ଅଭିଯୋଗ କରିଛନ୍ତି। ପଣଷଡ଼ିହା ଆମ୍ବତୋଟାରେ ପୁର୍ବତନ ସରପଞ୍ଚ ଅକ୍ଷୟ ମହାନ୍ତଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଯୁବନେତା ମନୋଜ ଜେନା, ଜିଲ୍ଲା କଂଗ୍ରେସ ଉପସଭାପତି ନିକୁଞ୍ଜ ବିହାରୀ ମିଶ୍ର, ଜିଲ୍ଲା ସମ୍ପାଦକ ହାଡ଼ିବନ୍ଧୁ ଖୁଣ୍ଟିଆ, ବରିଷ୍ଠନେତା ଶ୍ରୀଧର ଦଳେଇ, ବ୍ଳକ କଂଗ୍ରେସ ସଭାପତି ମୂରଲୀ ବେହେରା ପ୍ରମୁଖ ଉଦବୋଧନ ଦେଇ ଏହି ଅଞ୍ଚଳରେ ଯାହା ବିକାଶ ହୋଇଛି କେବଳ କଂଗ୍ରେସ ସମୟରେ ହୋଇଛି ବୋଲି କହିଥିଲେ।
ଆଗାମୀ ଦିନରେ କଂଗ୍ରେସ କ୍ଷମତାକୁ ଫେରିଲେ ଆଦିବାସୀଙ୍କ ସମସ୍ୟାର ସମାଧାନ ହେବବୋଲି କଂଗ୍ରେସ ନେତାମାନେ କହିଥିଲେ। ପ୍ରାରମ୍ଭରେ କଂଗ୍ରେସନେତା ଜୟଦେବ ଜେନାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ସ୍ବାଗତ କରାଯାଇ ସଭାସ୍ଥଳକୁ ଅଣାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଯୁବ ଇଂଜିନିୟର ସାଧୁଚରଣ ମହାନ୍ତ ନିଜର ସମର୍ଥକଙ୍କ ସହିତ କଂଗ୍ରେସରେ ସାମିଲ ହୋଇଥିଲେ। କଂଗ୍ରେସ ସମର୍ଥକ ବାପୁନ୍ ମୁଣ୍ଡରୀ, ଧନେଶ୍ବର ହେମ୍ରମ, ଅମିନ ମହାନ୍ତ, ମଙ୍ଗଲ ମାଣ୍ଡ୍ରି, ବୀର ଗାଗରାଇ, ମନୋଜ ମହାନ୍ତ, ଗିରିଶ ମହାନ୍ତ, ଅଞ୍ଜନ ନାଏକ, ସନ୍ତୋଷ କୁମାର ମହାନ୍ତ, ମଧୁସୁଦନ ମହାନ୍ତ, ନିରଞ୍ଜନ ଦେହୁରୀ, ମାଟୁ ମୁର୍ମୁ, ତୁଶୀଲ ହାସଦା, ବାସ୍ତା ମୁର୍ମୁ, ଘନଶ୍ୟାମ ମହାନ୍ତ, ସୁନ୍ଦରା ମୁର୍ମୁ, ଯୁଧିଷ୍ଠିର ତନ୍ତି, ଲମ୍ବୋଦର ସୋରେନ୍ ପ୍ରମୁଖ ପରିଚାଳନା କରିଥିଲେ। ସମାବେଶରେ ଗୟଳମୁଣ୍ଡା, ପଣଷଡ଼ିହା, ମନୋହରପୁର ପଞ୍ଚାୟତରୁ ୫ହଜାରରୁ ଉର୍ଦ୍ଧ୍ବ ସମର୍ଥକ ଯୋଗ ଦେଇଥିଲେ।