ଆଜି ବି ଆରବିଆଇ ଆଗରେ ଲୋକଙ୍କ ଗହଳି

ଆଜି ବି ଆରବିଆଇ ଆଗରେ ଲୋକଙ୍କ ଗହଳି

ଭୁବନେଶ୍ୱର: ଆଜି ବି ଆରବିଆଇ ଆଗରେ ଲୋକଙ୍କ ଗହଳି । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ସକାଳୁ ସକାଳୁ ଲାଗିଛି ଲମ୍ବା ଲାଇନ୍ । ଆଜି ବି ଆରବିଆଇ ଆଗରେ ଟଙ୍କା ବଦଳାଇବା ପାଇଁ ଭିଡ ଜମାଇଛନ୍ତି ଦିନ ମଜୁରିଆ । ୪ ଦିନ ହେବ ଏମାନେ ଆସି ଆରବିଆଇ ଆଗରେ ନୋଟ୍ ବଦଳାଇବା ପାଇଁ ଛିଡା ହେଉଛନ୍ତି । ଗତକାଲି ଇଡି ଓ ଇଓଡବ୍ଲୁ ଟିମ୍ ଯାଇ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରିବା ସହ ସେମାନଙ୍କ ଆଧାର କାର୍ଡ ଯାଂଚ କରି ଫଟୋ ଉଠାଇଥିଲେ ।
ତେବେ ଏତେ ପରିମାଣରେ ୨ ହଜାର ଟଙ୍କିଆ ନୋଟ୍ କେଉଁଠୁ ଆସିଲା ତାକୁ ନେଇ ବଢିଛି ସନ୍ଦେହ । ଟଙ୍କା ବଦଳ କରିବାକୁ ଏମାନଙ୍କୁ ପଠାଉଛି କିଏ । ସନ୍ଦେହ ହେଉଛି ପୋଲିସ ନଜରରୁ ବଞ୍ଚିବା ପାଇଁ କଳା ଟଙ୍କାକୁ ଧଳା କରିବା ଉଦ୍ଦେଶ୍ୟରେ କିଛି ଦଲାଲଙ୍କୁ ନିୟୋଜିତ କରିଛନ୍ତି ଧନୀ ଶ୍ରେଣୀର ଲୋକ । ବ୍ୟାଙ୍କରେ ଟଙ୍କା ବଦଳ କଲେ କାଳେ ଧରାପଡିଯିବେ, ସେହି ଭୟରେ ସମୟ ସରିଯିବା ପରେ ସିଧା ଆରବିଆଇ ଶାଖାରେ ଲୋକଙ୍କୁ ଲଗାଇ ନିଜ କଳା ଟଙ୍କାକୁ ଧଳା କରିବାରେ ଲାଗିପଡିଛନ୍ତି ।

ଆର୍‌ବିଆଇ ଭୁବନେଶ୍ୱର ଆଞ୍ଚଳିକ କାର୍ୟ୍ୟାଳୟ ନିର୍ଦ୍ଦେଶକ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ୨ ହଜାର ଟଙ୍କିଆ ନୋଟ୍‌ ବଦଳ ଓ ଜମା ପାଇଁ ବ୍ୟବସ୍ଥା ଅଛି। ତେଣୁ ପ୍ରତିଦିନ ଏଠାକୁ ପାଖାପାଖି ୨ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ଆସୁଛି। ସେଥିରୁ ପ୍ରାୟ ୯୫ ଭାଗ ବଦଳ ହେଉଛି ଓ ମାତ୍ର ୫% ଆକାଉଣ୍ଟରେ ଜମା ହେଉଛି। ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଥରକେ ୧୦ଟି ଦୁଇ ହଜାର ଟଙ୍କିଆ ନୋଟ୍‌ ଅର୍ଥାତ ୨୦ ହଜାର ଟଙ୍କା ବଦଳ କରିପାରିବ। ତେବେ ସେ ଦିନକରେ କେତେଥର ବଦଳାଇବେ ସେ ନେଇ କୌଣସି ନିର୍ଦ୍ଦିଷ୍ଟ କଟକଣା ନାହିଁ। କିନ୍ତୁ ସେ ନିଜ ଆକାଉଣ୍ଟରେ ଚାହିଁଲେ ଇଚ୍ଛା ମୁତାବକ ୨ ହଜାର ଟଙ୍କିଆ ଜମା କରିପାରିବ। ଏଥିପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଫର୍ମରେ ବ୍ୟାଙ୍କର ତଥ୍ୟସହ ପ୍ୟାନ୍‌, ଆଧାର, ଭୋଟର ଆଇଡି ଆଦି ଦେଇ ଟଙ୍କା ଜମାକରିବେ। ୨ରୁ ୩ଦିନ ମଧ୍ୟରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା କ୍ରେଡିଟ୍‌ ହୋଇଯିବ। ଆକାଉଣ୍ଟରେ ଜମା ପାଇଁ ସ୍ବତନ୍ତ୍ର କାଉଣ୍ଟର ରହିଛି। ତେବେ ଦୈନିକ କିଏ କେତେ ଟଙ୍କା ବଦଳ କଲେ? କିଏ କେତେ ଟଙ୍କା ଜମା କରିଛନ୍ତି? ତା’ର ତଥ୍ୟ ରେକର୍ଡ କରାଯାଉଛି।