୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗକୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ କରିଛି ।ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ରବିବାର ସୁଦ୍ଧା ଉତ୍ତର ବଙ୍ଗୋପସାଗର ଉପରକୁ ଆସିବ । ୪ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ରବିବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ,  ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ସୋନପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇପାରେ । ଏ ସବୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୦ରୁ ୧୧୦ ମିମି ପର୍ୟ୍ୟନ୍ତ ବର୍ଷା ସମ୍ଭାବନା ଅଛି ।

୪ ତାରିଖରେ ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳରେ ୭୦ରୁ ୨୦୦ମିମି ଯାଏ ବର୍ଷା ହୋଇପାରେ । ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ବରଗଡ଼ ଓ ସୋନପୁରରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଏ ସବୁ ଜିଲ୍ଲାରେ ୭୦ରୁ ୧୧୦ ମିମି ଯାଏ ବର୍ଷା ହୋଇପାରେ। ୫ରେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ନବରଙ୍ଗପୁରରେ ୭୦ରୁ ୨୦୦ ମିମି ପର୍ୟ୍ୟନ୍ତ ବର୍ଷା ସମ୍ଭାବନା ଅଛି । ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଯାଜପୁର ଓ ଢେଙ୍କାନାଳରେ ୭୦ରୁ ୧୧୦ମିମି ପର୍ୟ୍ୟନ୍ତ ବର୍ଷା ହୋଇପାରେ ।    ସେହିଭଳି ୬ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ଭାରୀ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।